ପ୍ରଧାନମନ୍ତ୍ରୀ ନିଶା ବର୍ଜନ ଆହ୍ୱାନକୁ କାର୍ଯ୍ୟକାରୀ କରନ୍ତୁ: ମଦମୁକ୍ତି ଅଭିଯାନ

ଭୁବନେଶ୍ୱର: ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂମପାନ, ମଦ୍ୟପାନ ନ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ତଥା ଓଡ଼ିଶା ମଦମୁକ୍ତି ଅଭିଯାନର ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ସ୍ୱାଗତ କରିବା ସହ କେବଳ କଥାରେ ନୁହେଁ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗ କାମରେ କରି ଦେଖାଇବାକୁ ନିବେଦନ କରିଛନ୍ତି।
ଧୂମପାନ ଓ ମଦ୍ୟପାନରୁ ସାଧାରଣ ଲୋକ ଦୂରେଇ ରହିବା ସହ ଏଣେତେଣେ ଛେପ ନ ପକାଇବା, ବାରମ୍ବାର ହସ୍ତ ପ୍ରକ୍ଷାଳନ କରିବା, ମାସ୍କ ପରିଧାନ ସହ ପ୍ରତିଦିନ ଯୋଗ ପ୍ରାଣାୟାମ କରିବାକୁ ଆଜି ପୁଣିଥରେ ତାଙ୍କ ପରାମର୍ଶ ଦୋହରାଇଛନ୍ତି।

ଏ ସଂକ୍ରାନ୍ତୀୟ ପରାମର୍ଶ କେବଳ ବିବୃତ୍ତିରେ ସୀମିତ ନ ରଖି ଧୂମପାନ, ମଦ୍ୟପାନ ଏବଂ ଗୁଟ୍‍ଖା, ତମାଖୁ ସମେତ ଅନ୍ୟାନ୍ୟ ମାଦକ ପଦାର୍ଥର ସେବନ, ବିପଣନ, ଉତ୍ପାଦନ ଓ ପରିବହନକୁ ସାରା ଦେଶରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେବାକୁ ସେ କହିଛନ୍ତି।
ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟ ଲକ୍‍ଡାଉନ୍‍ ଘୋଷଣା କରିବା ବେଳେ ସାରା ଦେଶରେ ମଦ ଦୋକାନ ସବୁକୁ ବନ୍ଦ କରିଦିଆଯିବା ସହ ପାନ, ବିଡ଼ି, ସିଗାରେଟ୍‍, ଗୁଟ୍‍ଖା, ଖଇନି ଆଦିର ବେପାର ମଧ୍ୟ ନିଷିଦ୍ଧ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ୍‍ ବେଳେ ବି ଏହି ନିଷିଦ୍ଧାଦେଶ ବଳବତ୍ତର ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାର ଏହି ବିଷର ବେପାରକୁ ପୁଣି ଚଳାଇବା ପାଇଁ ଅନୁମତି ଦେବା କରୋନା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି।

ତେଣୁ ଦେଶବାସୀଙ୍କୁ ଏ ପରିପ୍ରେକ୍ଷୀରେ ଧୂମପାନ, ମଦ୍ୟପାନ ଓ ଅନ୍ୟାନ୍ୟ ନିଶା ସେବନରୁ ଦୂରେଇ ରହିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ଲୋକେ ପାଳନ କରିବା ଆବଶ୍ୟକ ଏବଂ ଗଙ୍ଗୋତ୍ରୀରୁ ଗଙ୍ଗା ସଫେଇ ଅଭିଯାନ ପରି ଏ ସବୁ ନିଶା ସାମଗ୍ରୀକୁ ରାଜ୍ୟ ସରକାରମାନଙ୍କ ସହାୟତାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଏବଂ ନିଶା ନିବାରଣକୁ ସମ୍ବିଧାନର କେନ୍ଦ୍ରୀୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ୱରିତ ପଦକ୍ଷେପ ନେବା ଲାଗି ଶ୍ରୀ ସିଂହ ନିବେଦନ କରିଛନ୍ତି।

Comments are closed.