ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କ ସମର୍ଥନ ଲୋଡିଲେ ନୀତିଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୁରୁବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କଥା ହୋଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ନୀତିଶ ସମର୍ଥନ ମାଗିଥିବା ଜଣାପଡ଼ିଛି। ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ପାଇଁ ସମର୍ଥନ ମାଗିଛନ୍ତି ନୀତିଶ। ଗତ ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କୁ ସମର୍ଥନ କରିଥିଲା ବିଡେଜି। ତେବେ ହରିବଂଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ କରିବେ କି ନାହିଁ  ମତାମତ ଜଣାପଡିନି।

ସୂଚନା ଅନୁଯାୟୀ, ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରଥମ ଦିନ ରାଜ୍ୟସଭା ଅନୁଷ୍ଠିତ ହେବ। ଏହି କ୍ରମରେ ଜେଡ଼ିୟୁ ସାଂସଦ ତଥା ବର୍ତମାନର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ପୁଣିଥରେ ଉପାଧ୍ୟକ୍ଷ ନିମନ୍ତେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରାଜ୍ୟସଭାରେ ଏବେ ଏନଡ଼ିଏ ନିକଟରେ ସଂଖ୍ୟା ଗରିଷ୍ଠତା ରହିଛି । ଏହି କାରଣରୁ ହରିବଂଶଙ୍କ ବିଜୟ ସମ୍ଭାବନା ଅଧିକ । ଏହି ନିର୍ବାଚନ ପୂର୍ବରୁ ବିଜେପି ନିଜର ସମସ୍ତ ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ହ୍ବିପ ଜାରି କରି ୧୪ ତାରିଖରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି । ହରିବଂଶଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହୋଇଥିଲା ଓ ସେ ପୁନର୍ବାର ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ବିହାରରୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭା ସଚିବାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଏନଡ଼ିଏ ପ୍ରାର୍ଥୀ ଭାବରେ ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ବିଜେପି ଏ ସଂକ୍ରାନ୍ତରେ ଅନ୍ୟ ରାଜନୈତିକ ଦଳ ସହ ଆଲୋଚନା କରି ତାଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିବ ବୋଲି ସୂଚନା ମିିିଳିଛି ।  ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ଭାବରେ ଅତ୍ୟନ୍ତ ସଫଳତାର ସହ ନିଜର ଦାୟିତ୍ବ ତୁଲାଇଥିବାରୁ ପ୍ରାୟ ସବୁ ରାଜନୈତିକ ଦଳ ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

 

 

 

Comments are closed.