ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ

ଭୁବନେଶ୍ବର: ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନର ପ୍ରତିଷ୍ଠାତା ସଦାଶିବ ଜେନା। କୁନିକୁନି ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଓ ରକ୍ତଦାନ ଶିବିର ଆୟୋଜିତ  କରି ନିଜର ଜନ୍ମଦିନ ପାଳନ କରିଛନ୍ତି।

ଏହି ଅବସରରେ ଭୁବନେଶ୍ବରର ୨ଟି ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। କମିଶନରେଟ ପୁଲିସ ସହଭାଗିତାରେ ସମର୍ପିତ ଓ ସେବା ଫାଉଣ୍ଡେସନ ଦ୍ୱାରା ଆରାଇଜ ୟୁଥ ୟୁନିଅନ ସହ ନିଳାଦ୍ରୀବିହାରରେ ଓ ପଳାଶୁଣିରେ ଉକ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସେହିପରି ଅନୁଗୁଳରେ ମଧ୍ୟ ଜୀବନସାଥୀ ଫାଉଣ୍ଡେସନର ସହଭାଗିତାରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଭୁବନେଶ୍ୱରର ଦୁଇ ଶିବିରକୁ କମିଶନରେଟ ପୁଲିସ ଏସିପି ତଥା ରେଡ଼କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତେନ୍ଦୁ ମହାନ୍ତି, ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସଂଯୋଜକ ଡ଼. ପ୍ରକାଶ ତ୍ରିପାଠୀ ଏବଂ ଆରାଇଜ ୟୁଥ ୟୁନିଅନର ପ୍ରତିଷ୍ଠାତା ଜିତେନ୍ଦ୍ରିୟ ସଢଙ୍ଗୀ, ପ୍ରକାଶ ରଥ ଉଦଘାଟନ କରିଥିଲେ।

ସେହିପରି ଅନୁଗୁଳ ଶିବିରକୁ ଉଦଘାଟନ କରିଥିଲେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ସାହୁ ଓ ଜୀବନ ସାଥି ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ସାହୁ ଉଦଘାଟନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଭୁବନେଶ୍ୱର ଓ ବିଏମସି ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଭୁବନେଶ୍ୱରର ଦୁଇଟି ଶିବିରରୁ ଏବଂ ଅନୁଗୁଳ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ଅନୁଗୁଳ ଶିବିରରୁ ରକ୍ତ ସଂଗୃହୀତ ହୋଇଥିଲା।

ସମସ୍ତ ରକ୍ତଦାତାଙ୍କୁ ସଦାଶିବ ଜେନା ଉପସ୍ଥିତ ରହି କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ। ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ସଦସ୍ୟା ମାନେ ଶିବିର ପରିଚାଳନା କରିଥିଲେ। କରୋନା ମହାମାରୀ ସମୟରେ ଏହା ସମର୍ପିତ ଓ ସେବା ଫାଉଣ୍ଡେସନର ୩୧ ତମ ଓ କମିଶନରେଟ ପୁଲିସ ସହଭାଗିତାରେ ୧୦ ମ ରକ୍ତଦାନ ଶିବିର ଅଟେ।

Comments are closed.