କରୋନା କଟକଣା: ରାଜପଥରେ ଚାଲିଛି ହାଟ, ଦୁର୍ଘଟଣାକୁ ଆମନ୍ତ୍ରଣ

ଭୁବନେଶ୍ବର,୨୪ା୮(ନି.ପ୍ର): କରୋନା ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପ୍ରତିେଷଧକମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସାମାଜିକ ଦୂରତା ରଖି ବ୍ୟବସାୟ କରିବାକୁ ପରାମର୍ଶ ଦିଆଯାଉଛି। ଏପରିକି ଅନେକ ସ୍ଥାନରେ ସାପ୍ତାହିକ ହାଟକୁ ଖୋଲା ସ୍ଥାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ମଧ୍ୟ କରାଯାଇଛି। ମାତ୍ର ତ୍ରିନାଥ ବଜାର ସାପ୍ତାହିକ ହାଟ ଖୋଲା ସ୍ଥାନ ବଦଳରେ ଫୁଲନଖରା-ନିଆଳି ୬୦ନମ୍ବର ଜାତୀୟ ରାଜପଥ କଡରେ ଚାଲିଛି। ଏହି ରାସ୍ତାରେ ପ୍ରାୟ ସବୁ ସମୟରେ ଯାନବାହନ ଚଳାଚଳ କରୁଥିବା ବେଳେ ଦିନବେଳା ଅଧିକ ଯାନବାହନ ଚଳାଚଳ କରିଥାଏ। ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ଆଳ ଦେଖାଇ ବେପାରୀଙ୍କୁ ରାସ୍ତାକଡରେ ବିପଦଜନକ ଭାବେ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଛି।

 

ପ୍ରକାଶ ଯେ ତ୍ରିନାଥ ବଜାର ହାଟ ଉପରେ ଆଖପାଖ ଗ୍ରାମବାସୀଙ୍କ ସମେତ ଚାଷୀମାନେ ମଧ୍ୟ ନିର୍ଭର କରିଥାନ୍ତି। ପୂର୍ବରୁ ହାଟ ଭିତରେ ଛୋଟବଡ ପ୍ରାୟ ୧୦୦ ଜଣ ବ୍ୟବସାୟ କରି ଆସୁଛନ୍ତି। କରୋନା ସଂକ୍ରମଣ ରୋକିବା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ହାଟ ବ୍ୟବସାୟୀଙ୍କୁ ନିୟମ ମାନି ବେପାର କରିବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏହା ବିଫଳ ହେବା ପରେ ବିଡିଓ ହାଟ ମଧ୍ୟରେ ବ୍ୟବସାୟ ଉପରେ ନିେଷଧାଦେଶ ଜାରି କରିଥିଲେ। ବ୍ୟବସାୟୀଙ୍କୁ ଅନ୍ୟତ୍ର ବେପାର କରିବା ଲାଗି ବ୍ୟବସାୟୀ ସଂଘ ପକ୍ଷରୁ ଅନୁେରାଧ କରାଯାଇଥିଲା। ସରପଞ୍ଚ ଓ ବିଡିଓଙ୍କ ସହ ଆେଲାଚନା ପରେ ଓମଫେଡ ତାଲିମ କେନ୍ଦ୍ର ନିକଟ ପଡିଆରେ ହାଟ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏହି ସ୍ଥାନକୁ ଯିବାପାଇଁ ବ୍ୟବସାୟୀମାନେ ରାଜି ହୋଇ ନ ଥିଲେ। ବ୍ୟବସାୟୀଙ୍କୁ ବୁଝାଇବା ପରିବର୍ତ୍ତେ ସେମାନଙ୍କୁ ବିପଦପୂର୍ଣ୍ଣ ଭାବେ ରାଜପଥ କଡରେ ବେପାର କରିବା ପ୍ରଶାସନ ଅନୁମତି ଦେଇଥିଲା। ରାସ୍ତାକଡରେ ବେପାରୀମାନେ ବସିବା ଫଳରେ ଜଗନ୍ନାଥପୁର ପଞ୍ଚାୟତ କାର୍ୟ୍ୟାଳୟ ନିକଟରୁ ତ୍ରିନାଥବଜାର ଛକ ପର୍ୟ୍ୟନ୍ତ ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଗ୍ରାହକମାନେ ରାସ୍ତା ଉପରେ ଗାଡି ରଖି କିଣାକିଣି କରିବା ଫଳରେ ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସୋମବାର ଓ ଗୁରୁବାର ହାଟପାଳି ଦିନ ଅବସ୍ଥା ଅଣାୟତ୍ତ ହୋଇପଡୁଛି। ଫଳରେ ଏହି ସ୍ଥାନରେ ଦୁର୍ଘଟଣା ଘଟୁଛି।

ହେମନ୍ତ ପରିଜା, ସଭାପତି, ତ୍ରିନାଥବଜାର ବ୍ୟବସାୟୀ ସଂଘ- ସଂକ୍ରମଣ ରୋକିବା ଲାଗି ପ୍ରଶାସନ ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ମାତ୍ର ବେପାରୀଙ୍କୁ ରାସ୍ତାକଡରେ ନ ବସାଇ ଅନ୍ୟତ୍ର ବସାଇଥିଲେ ଭଲ ହୋଇଥାନ୍ତା। ରାଜରାସ୍ତା କଡରେ ବିପଦପୂର୍ଣ୍ଣ ଭାବେ ସେମାନେ ବେପାର କରୁଛନ୍ତି। କେବଳ ବେପାରୀ ନୁହନ୍ତି ସାଧାରଣ ଲୋକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ଦରକାର।

ପ୍ରଭାକର ରାଉତ (ବ୍ୟବସାୟୀ)- ହାଟ ଭିତରେ ପିଣ୍ଡି ଥିଲା। ପିଣ୍ଡି ଉପରେ ଛପର ଥିଲା। ମାତ୍ର ଏବେ ରାସ୍ତାକଡରେ ଖୋଲା ଆକାଶ ତଳେ ବପାର କରୁଛୁ। ବର୍ଷା ହେଲେ ଉପାୟଶୂନ୍ୟ। ଅନେକ ସମୟରେ ଆଖି ଆଗରେ ଦୁର୍ଘଟଣା ଘଟୁଛି। ସେସବୁ ଦେଖିଲେ ବେପାର କରିବାକୁ ଭୟ ଲାଗୁଛି। ମାତ୍ର ପେଟପାଟଣା କଥା ଭାବିଲା ବେଳକୁ ଚିନ୍ତା ଘାରୁଛି।

ସନାତନ ବେହେରା (ବ୍ୟବସାୟୀ)- ପିଣ୍ଡି ଓ ଛାତ ଥାଇ ଏେବ ରାସ୍ତାକଡରେ ଅସହାୟ ଭଳି ବସୁଛୁ। ଆଖପାଖରେ ବହୁତ ଖୋଲା ସ୍ଥାନ ଅଛି। ସେଠାରେ ନ ବସାଇ ରାସ୍ତାକଡରେ ଏପରି କାହିଁକି ମରିବାକୁ ଛାଡି ଦେଇଛନ୍ତି ବୁଝି ହେଉନି।

ରମା ଜେନା (ଗ୍ରାହକ)- କରୋନା ସଂକ୍ରମଣ ଲାଗି ଖୋଲାସ୍ଥାନରେ ହାଟ ହେବା ଭଲ କଥା। ମାତ୍ର ସବୁବେଳେ ଯାନବାହାନ ଚଳାଚଳ କରୁଥିବା ରାଜ୍ୟ ରାଜପଥ କଡରେ ବ୍ୟବସାୟୀଙ୍କୁ ବସାଇବା ହେଉଛି ଦୁର୍ଘଟଣାକୁ ଆମନ୍ତ୍ରଣ କରିବା। ଏ ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଚିନ୍ତା କରିବା ଦରକାର।

ଆଦିକନ୍ଦ ବେହେରା, ବିଡିଓ, ବାଲିଅନ୍ତା- କୋଭିଡ ନିୟମ ମାନି ବ୍ୟବସାୟ କରିବାକୁ ବାରମ୍ବାର କୁହାଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ମାନି ନ ଥିଲେ। ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନେବାକୁ ପଡିଲା। ପରିସ୍ଥିତି ସ୍ବାଭାବିକ ହେବା ପରେ ପୁନର୍ବାର ସେମାନେ ହାଟ ଭିତରେ ବ୍ୟବସାୟ କରିପାରିବେ। ତେବେ ରାସ୍ତାକଡରେ ବ୍ୟବସାୟ ଯୋଗୁ ସୃଷ୍ଟି ହେଉଥିବା ଟ୍ରାଫିକ୍ ସମସ୍ୟା ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିେବ।

ରଶ୍ମିତା ସାହୁ, ସରପଞ୍ଚ, ଜଗନ୍ନାଥପୁର- ବ୍ୟବସାୟୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସିଛୁ। ହାଟର ସମସ୍ତ ବ୍ୟବସାୟୀଙ୍କୁ ନିକଟସ୍ଥ ଏକ ପଡିଆରେ ବ୍ୟବସାୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବ୍ୟବସାୟୀ ସେଠାକୁ ଯିବାକୁ ରାଜି ହୋଇ ନ ଥିଲେ ଏବଂ ସ୍ଥାନୀୟ ଜନସାଧାରଣ ମଧ୍ୟ ନୂଆ ସ୍ଥାନକୁ କିଣାକିଣି କରିବାକୁ ଯିବେ ନାହିଁ ଆେୟାଜିତ ବୈଠକରେ ସିଧାସଳଖ କହିଥିଲେ। ତେଣୁ ବାଧ୍ୟ ହୋଇ ରାସ୍ତାକଡରେ ସେମାନଙ୍କୁ ବେପାର କରିବାକୁ ଅନୁମତି ଦିଆଯାଇଛି।

Comments are closed.