କେତେ ମୁଣ୍ଡ ଗଲେ ଚେତା ପଶିବ?

ଭୁବନେଶ୍ୱର: ବିପଜ୍ଜନକ ହେଲାଣି ଜାତୀୟ ରାଜପଥ। ଗୋଟାଏ ପରେ ଗୋଟାଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବହୁ ଅମୂଲ୍ୟ ଜୀବନ ଚାଲିଯାଉଛି। ହେଲେ ହାଇୱେ ପାଟ୍ରୋଲିଂ କିଛି କାମରେ ଲାଗୁନି। ଶୁକ୍ରବାର ରାତିରେ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏକ ଜାଗୁଆର କାର୍‌ରେ ପୂର୍ବତନ ସାଂସଦଙ୍କ ପୁଅଙ୍କ ସମେତ ତିନି ଯୁବକ ପ୍ରାଣ ହରାଇବା ଘଟଣା ପରେ ହାଇୱେ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି।

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପଦକ୍ଷେପ ନେବାକୁ ଗତବର୍ଷ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମକୋର୍ଟ କମିଟି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏନ୍‌ସିଆରବି ରିପୋର୍ଟ ଅନୁସାରେ ଗତବର୍ଷ ଓଡ଼ିଶାରେ ୫୨୩୪ ସଡ଼କ ଦୁର୍ଘଟଣାରେ ୫୫୮୧ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୨୦୧୭ରେ ମୃତକଙ୍କ ସଂଖ୍ୟା ୪୬୧୦ ଥିଲା। ୨୦୦୮ରୁ ୨୦୧୮ ମଧ୍ୟରେ ୪୩,୩୧୨ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତେବେ ଗତବର୍ଷ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଦୁର୍ଘଟଣା ଓ ମୃତାହତ ସଂଖ୍ୟାରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ଜାତୀୟ ରାଜପଥରେ ବେଲଗାମ୍ ଗାଡ଼ି ଚଳାନା ଯୋଗୁଁ ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଚାଲିଯାଉଛି।

ଜାତୀୟ ରାଜପଥ ସର୍ବଦା ଦୁର୍ଘଟଣା ପ୍ରବଣ ହୋଇ ରହିଥିବା ବେଳେ ଏଠାରେ ଦୁର୍ଘଟଣା ହ୍ରାସ ପାଇଁ ଏକାଧିକବାର ଯୋଜନା ପ୍ରସ୍ତୁତ ହେଲାଣି। କିନ୍ତୁ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି। ଭୁବନେଶ୍ବରଠାରୁ ଆରମ୍ଭ କରି ପୁରୀ, କଟକ, ବୌଦ୍ଧ, ମୟୂରଭଞ୍ଜ, ରାୟଗଡ଼ା, ଦେବଗଡ଼, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ବାଲେଶ୍ବର, ଖୋର୍ଦ୍ଧା, କେନ୍ଦୁଝର, ଗଞ୍ଜାମ, ଯାଜପୁର, କଟକ, ସମ୍ବଲପୁର ଓ ଅନୁଗୋଳରେ ୨୦୧୯ରେ ୨୦୦ରୁ ଅଧିକ ଦୁର୍ଘଟଣାଜନିତ ମୃତାହତ ଘଟଣା ଘଟିଛି। ପ୍ରାୟ ୬୮ପ୍ରତିଶତ ଦୁର୍ଘଟଣା ଅଧିକ ବେଗରେ ଗାଡ଼ି ଚାଳନା ଯୋଗୁଁ ଘଟୁଛି। ଏ କ୍ଷେତ୍ରରେ ଧରପଗଡ଼ ଅଭିଯାନ ସନ୍ତୋଷଜନକ ହେଉନାହିଁ। ଓଭର ସ୍ପିଡ଼ିଂ ଠାବ ପାଇଁ ଇଣ୍ଟରସେପ୍ଟର ବ୍ୟବହାର ସହିତ ଆରଟିଓଙ୍କୁ ଅଧିକ ଷ୍ଟାଫ ଯୋଗାଇଦିଆଯାଇଛି। ଉପରୋକ୍ତ ଜିଲାରେ ଏନଫୋର୍ସମଣ୍ଟ ବ୍ୟବସ୍ଥା କଡ଼ାକଡ଼ି କରଯିବା ନିମନ୍ତେ ସୁପ୍ରିମ୍ କୋର୍ଟ କମିଟି ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଅଧିକ ବେଗରେ ଯାଉଥିବା ଗାଡ଼ି ଠାବ କରିବାକୁ ପୁଲିସକୁ ଇଣ୍ଟରସେପ୍ଟର ଯୋଗାଇଦେବାକୁ ଆରଟିଓଙ୍କୁ ନିର୍ଦେଶ ଦିଆଯାଇଥିଲା। ରାଜ୍ୟ ସଡ଼କ ସୁରକ୍ଷା କାର୍ଯ୍ୟ ଯୋଜନା ଅନୁସାରେ ୫ବର୍ଷ ଭିତରେ ନିରାପତ୍ତା ଉପକରଣ କିଣିବା ନିମନ୍ତେ ୧୫୫କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଜାତୀୟ ରାଜପଥରେ ବ୍ଲାକ୍ ସ୍ପଟ୍ ଚିହ୍ନଟ କରି ସିସିଟିଭି ସ୍ଥାପନ ତଥା ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ୧୧୯ ଜଣ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ ରାଜ୍ୟ ସରକାର ଗତ ଜାନୁଆରୀରେ ଅନୁମତି ଦେଇଥିଲେ। ଭୁବନେଶ୍ବର-ପୁରୀ, ସମ୍ବଲପୁର-ସୋହେଲା, ମଙ୍ଗୁଳି-ସମ୍ବଲପୁର, ଜଳେଶ୍ବର-ଇଚ୍ଛାପୁରମ୍ ଏବଂ ସମ୍ବଲପୁର-ରାଉରକେଲା ଜାତୀୟ ରାଜପଥରେ ପାଟ୍ରୋଲିଂ ଆରମ୍ଭ ପାଇଁ ଲକ୍ଷ୍ୟ ରହିଥିଲା। କିନ୍ତୁ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଗୋଟିକ ପରେ ଗୋଟିଏ ଯୋଜନା କେବଳ ଫାଇଲ ଭିତରେ ବନ୍ଧା ହୋଇପଡ଼ିଛି। ଜାତୀୟ ରାଜପଥର ସବୁ ସ୍ଥାନରେ ବେଗ ନିୟନ୍ତ୍ରଣ ପାଇଁ ସୂଚନା ନଥିବା ବେଳେ ବେପରୁଆ ଚାଳକ ମନଇଚ୍ଛା ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ବହୁ ଜୀବନ ଅକଳରେ ଚାଲିଯାଉଛି। ହେଲେ ବେଗ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବିଶେଷ କରି କଟକ-ଭୁବନେଶ୍ବର ଭିତରେ ଅତି ବେଶୀରେ କେତେ ବେଗରେ କାର ଚଳାଇ ଯାଇହେବ ଏବଂ ଏହାଠୁ ଅଧିକ ବେଗରେ ଗଲେ କି ପ୍ରକାର ନିୟନ୍ତ୍ରଣ ବା ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ କାର ଚାଳକ କିମ୍ବା ସାଧାରଣ ଲୋକଙ୍କ ‌ପାଇଁ ଜାଣିବାର କିଛି ବାଟ ନାହିଁ। ଆମର ସଡ଼କ ସୁରକ୍ଷ ଯୋଜନା କେବଳ ଉତ୍ସବ ପାଳନ ଭିତରେ ସୀମିତ ରହିଯାଉଥିବାରୁ ଦୁର୍ଘଟଣା ରୋକିବା ଦିଗରେ ପ୍ରଶାସନ ସମର୍ଥ ହୋଇପାରୁନି। ଗତକାଲି ତେଲଙ୍ଗାପେଣ୍ଠରେ ତିନି ଜଣ ଏବଂ ଭୁବନେଶ୍ବର ପୁରୀ ରାସ୍ତାରେ ଜଣକର ଦୁର୍ଘଟଣାରେ ବିପଜ୍ଜନକ ସ୍ଥିତିରେ ପ୍ରାଣ ଚାଲିଯାଇଛି। ଦୁର୍ଘଟଣାଜନିତ ମୃତାହତ କେବଳ ଏତିକିରେ ସୀମିତ ନାହିଁ । ନିତିଦିନ ବାରମ୍ବାର ଦୁର୍ଘଟଣା ଘଟି ରେ ଆମ ଆଖି ଆଗରେ ପ୍ରାଣ ଚାଲିଯାଉଥିଲେ ହେଁ ଏଥିନେଇ ଚାଳକ, ପରିବହନ ବିଭାଗ କିମ୍ବା ପୁଲିସ ପ୍ରଶାସନ କାହାରି ନିଦ ଭାଙ୍ଗୁନି।

Comments are closed.