ବିଏମ୍‌ସିର ବିଚିତ୍ର ନୀତି : ଷଣ୍ଢ, କୁକୁର ଖାଇଗଲେ ୧୧ ଲକ୍ଷ

ଭୁବନେଶ୍ୱର, : କରୋନା ତାଲାବନ୍ଦୀ ସମୟରେ ବୁଲା କୁକୁର, ଷଣ୍ଢଙ୍କୁ ଲକ୍ଷ ଲକ୍ଷ ଟଙ୍କାର ବିରିୟାନି, ଚୋକଡ଼ ଖୁଆଇଛି ବିଏମ୍‍ସି। ଏ ବାବଦକୁ ଦିନକୁ ୨୦ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିଛି। ଏହାବାଦେ ଅନେକ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟକ୍ତି ବିଶେଷ ବୁଲା କୁକୁର, ଷଣ୍ଢଙ୍କୁ ଖାଇବାକୁ ଦେଇଛନ୍ତି। ବିଏମ୍‌ସି ୧୧ ଲକ୍ଷ ଖର୍ଚ୍ଚ କରିଛି ା ହେଲେ ୪ମାସ ହେଲା କାମ ଧନ୍ଦା ନପାଇ ଆର୍ଥିକ ସଙ୍କଟରେ ପଡ଼ି ଭୋକ ଓପାସରେ କାଳ କାଟୁଛନ୍ତି ଦିନ ମଜୁରିଆ ା ଖଟିଖିଆଙ୍କ ଚିତ୍କାର ବିଏମ୍‍ସି କର୍ତ୍ତୃପକ୍ଷଙ୍କ କାନରେ ପଡ଼ୁନଥିବା ଅଭିଯୋଗ ହେଉଛି। ଦିନ ମଜୁରିଆଙ୍କୁ କାମ ଯୋଗାଇବା ଲକ୍ଷ୍ୟରେ ସରକାର ଦେଇଥିବା ୧୦ କୋଟି ଟଙ୍କା ପଡ଼ିରହିଛି ।

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ ସମୟରେ ଦୋକାନ, ବଜାର, ହୋଟେଲ ବନ୍ଦ ରହିବାରୁ ବୁଲା କୁକୁର ଏବଂ ଷଣ୍ଢଙ୍କୁ ଖୁଆଇବା ପାଇଁ ସରକାର ନିଷ୍ପତ୍ତି ନେଲେ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଦୁଇ କିସ୍ତିରେ ୭ଲକ୍ଷ ୪୦ ହଜାର ବିଏମ୍‍ସିକୁ ଦେଇଥିଲା। ବିଏମ୍‍ସି ନିଜ ରାଜସ୍ୱରୁ ଆଉ ୩ ଲକ୍ଷ ୨୦ ହଜାର ମିଶାଇ ୫୩ ଦିନରେ ୧୦ ଲକ୍ଷ ୬୦ ହଜାର ଟଙ୍କାର ଖାଦ୍ୟ ବୁଲା କୁକୁର ଏବଂ ଷଣ୍ଢଙ୍କୁ ଖୁଆଇଛି। ଏ ସୂଚନା ଆର୍‍ଟିଆଇରେ ମିଳିଛି। ଷଣ୍ଢଙ୍କୁ ଚୋକଡ଼, ପାଣି, ଘାସ ଆଦି ଦେଇଥିବାବେଳେ କୁକୁରଙ୍କୁ ଚିକେନ୍‍ ଏବଂ ସାଧା ବିରିୟାନି ଦେଇଛି। ଏଥିପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ କରାଯାଇ ଖାଦ୍ୟ ବିତରଣ କରାଯାଇଥିଲା।

ପଶୁପ୍ରେମୀ ମାନସ ଦାସ କହିଛନ୍ତି, ତାଲାବନ୍ଦ ସମୟରେ ବିଏମ୍‍ସି ବୁଲା କୁକୁର ଷଣ୍ଢଙ୍କୁ ଖାଇବାକୁ ଦେବାକୁ ବ୍ୟବସ୍ଥା କରିଥିଲେ ହେଁ ସହରର ସବୁ ସ୍ଥାନରେ ପହଞ୍ଚି ନଥିଲା। ପ୍ରମୁଖ ରାସ୍ତାକଡ଼ରେ ବୁଲି ବିଏମ୍‍ସି ଦଳ ବୁଲା ପ୍ରାଣୀଙ୍କୁ ଖାଇବାକୁ ଦେଉଥିଲା। ହେଲେ ଗଳିକନ୍ଦିରେ ଥିବା ବୁଲା ପ୍ରାଣୀ ଭୋକିଲା ଥିଲେ। ଗୋଟିଏ ପଟେ ବିଏମ୍‍ସି ପଶୁଙ୍କ ଭୋକ ଦୂର କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ଅନ୍ୟପଟେ କାମଧନ୍ଦା ପାଉ ନଥିବା ଖଟିଖିଆ ଦିନ ମଜୁରିଆଙ୍କ ଦୁଃଖ ବୁଝିବାରେ ବିଏମ୍‍ସି ବିଫଳ ହୋଇଛି। ସରକାର ଦିନ ମଜୁରିଆଙ୍କୁ କାମ ଯୋଗାଇବା ପାଇଁ ୧୦କୋଟି ଟଙ୍କା ବିଏମ୍‍ସିକୁ ଦେବାକୁ ଘୋଷଣା କରିଥିଲେ। ଏହି ଟଙ୍କାରେ ଦିନ ମଜୁରିଆଙ୍କୁ ରାସ୍ତା, କୋଠା ଓ ଡ୍ରେନ୍‍ ନିର୍ମାଣ ଏବଂ ମରାମତି ସହିତ ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟ ଆଦି ବିଭିନ୍ନ ଛୋଟ ଛୋଟ ନିର୍ମାଣ କାମରେ ଲଗାଇବା ପାଇଁ ନିର୍ଦେଶ ଦେଇଥିଲେ। ହେଲେ ବିଏମ୍‍ସି ଏଥିରୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରିପାରିନାହିଁ। ଶ୍ରମିକଙ୍କୁ କାମ ଦେବା ପାଇଁ ପ୍ରସ୍ତାବ ମଧ୍ୟ ସରକାରଙ୍କ ନିକଟରେ ରଖି ନଥିବା ଜଣାପଡ଼ିଛି। ସନ୍ତୋଷ ନାଗ କହିଛନ୍ତି, ୪ ମାସ ହେଲା କାମ ମିଳୁନି। ପରିବାର ଚଳେଇବା କଷ୍ଟକର ହୋଇପଡ଼ିଛି। ଏ ସମୟରେ କେହି ଧାର ଉଧାର ଦେଉ ନାହାନ୍ତି। ସରକାର କାମ ଦେବାକୁ ଘୋଷଣା କରିଥିଲେ ମଧ୍ୟ କେବେ ଦେବେ ତାହା ଜଣାପଡ଼ୁନାହିଁ। ବିଏମ୍‍ସି ପକ୍ଷରୁ କୁହାଯାଇଛି, କରୋନା ମୁକାବିଲାରେ କର୍ମଚାରୀ ଲାଗିଛନ୍ତି। ବିନା ଟେଣ୍ଡରରେ ଦିନ ମଜୁରିଆଙ୍କୁ କାମ ଦେବାକୁ ପଡ଼ିବ ବୋଲି ବ୍ୟବସ୍ଥା ହୋଇଛି। ହେଲେ ବିନା ଟେଣ୍ଡର ଏବେ କୌଣସି ଠିକାଦାର କାମ କରିବାକୁ ରାଜି ହେଉ ନାହାନ୍ତି। ବିଏମ୍‍ସି ଏଭଳି ମନ୍ତବ୍ୟ ରଖି ନିଜ କାନ୍ଧରୁ ଦାୟିତ୍ୱ ଖସେଇ ଦେବାକୁ ବସିଥିବାବେଳେ ଦିନ ମଜୁରିଆଙ୍କ ପରିବାର ଦୁର୍ଦିନରେ ଦିନ କାଟୁଛନ୍ତି ବୋଲି ଶ୍ରମିକ ସଂଗଠକ ପ୍ରକାଶ ସାହୁ କହିଛନ୍ତି।

Comments are closed.