ରାଜଧାନୀରେ ଜିଲାପାର୍‌ ଅପରାଧୀଙ୍କ ରାଜ୍‌

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଚୋରି, ଛିନ୍‍ତାଇ ଘଟଣା ବୃଦ୍ଧି ପାଉଛି। ଲୁଟ୍‍ପାଟ୍‍ କରି ରାଜଧାନୀକୁ ଥରହର କଲେଣି ଲୁଟିଆ। କେଉଁଠି ଘରେ ପଶି ଆକ୍ରମଣ କରି ଲୁଟିଲେଣି ତ ଆଉ କେଉଁଠି ବନ୍ଧୁକ ମୁନରେ ପୁଲିସ ଅଧିକାରୀଙ୍କଠାରୁ ଛଡ଼େଇ ନେଲେଣି। ପରିସ୍ଥିତି ଏଭଳି ହେଲାଣି ଯେ ଦିନ ଦ୍ୱିପହରରେ ଘରେ ପଶି ଲୁଟ୍‍ପାଟ୍‍ କରୁଛନ୍ତି। ଲକ୍‍ଡାଉନ୍‍ର ସାଢ଼େ ୩ମାସ ସହରରେ ପରିସ୍ଥିତି ସ୍ୱାଭାବିକ ଥିଲା। କାଁ ଭାଁ ଘଟଣାକୁ ଛାଡ଼ିଦେଲେ ସହରର ଆଇନଶୃଙ୍ଖଳା ସ୍ଥିତି ପୁଲିସ ନିୟନ୍ତ୍ରଣରେ ଥିଲା। ଗତ ସପ୍ତାହେ ହେଲା ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି। ଏହାକୁ ନେଇ ଚିନ୍ତାରେ କମିସନରେଟ ପୁଲିସ। କିଭଳି ଅପରାଧୀଙ୍କୁ କାବୁ କରିବ ତାହା ମୁଖ୍ୟ ଆହ୍ୱାନ ହୋଇଛି।
ସହରରେ ଏବେ ଜିଲାପାର୍‍ ଅପରାଧୀଙ୍କ ରାଜ୍‍ ଚାଲୁଛି। ସେମାନେ ରାଜଧାନୀରେ ଆଡ୍ଡା ଜମାଉଛନ୍ତି। ସହରରେ ଘୂରି ବୁଲିବା ସହ ସୁଯୋଗ ମିଳିବା ମାତ୍ରେ ସୁନାଚେନ୍‍ ଝାମ୍ପି ନେଉଛନ୍ତି। ଛିନ୍‍ତାଇ ଓ ଲୁଟ୍‍ପାଟ୍‍ ପରେ ରାତାରାତି ସେମାନଙ୍କ ଜିଲାକୁ ଫେରାର୍‍ ହୋଇଯାଉଛନ୍ତି। ଟେର୍‍ ପାଉନି କମିସନରେଟ ପୁଲିସ।

ପ୍ରାୟ ସପ୍ତାହେ ଧରି ନାକେଦମ ହେବା ପରେ ପଡ଼ୋଶୀ ଜିଲାର ଅପରାଧୀ ରାଜଧାନୀରେ ଲୁଟ୍‍ପାଟ କରୁଥିବା ପୁଲିସ ସନ୍ଦେହ କରିଥିଲା। ଉପକଣ୍ଠ ଅଞ୍ଚଳ ଓ ସହରର ଅନେକ ଘଟଣାରେ ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼ ଆଦି ଜିଲାର ଅପରାଧୀ ଆସି ଏଭଳି କାଣ୍ଡ ଭିଆଉଥିବା ଜିଲା ପୁଲିସଠାରୁ ଜାଣିବାକୁ ପାଇଥିଲା। ସହରରେ ପଡ଼ୋଶୀ ଜିଲାର ଅପରାଧୀ ଛିନ୍‍ତାଇ ଓ ଲୁଟ୍‍ପାଟ କରୁଥିବା ସୋମବାର ସ୍ପଷ୍ଟ ହୋଇଛି। ବାଲିଅନ୍ତା ଥାନା ଅଞ୍ଚଳରେ ଧରାପଡ଼ିଥିବା ୩ ଲୁଟିଆଙ୍କ ଘର ଜଗତସିଂହପୁର। ସେମାନେ ବାଲିଅନ୍ତା ଥାନା ଅଞ୍ଚଳର ଭିଙ୍ଗାରପୁର ଛକରେ କିଛି ଦିନ ତଳେ ଦମ୍ପତିଙ୍କୁ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଓ ଟଙ୍କା ଲୁଟିନେଇଥିଲେ। କମିସନରେଟ ପୁଲିସ ପକ୍ଷରୁ ସହରକୁ ସଂଯୋଗ କରୁଥିବା ପଥରେ ଯାଞ୍ଚ କରାଯାଉଥିଲେ ହେଁ ସେମାନଙ୍କ ଲାଗି କିଛି ଫରକ ପଡ଼ୁନି। ଯାଞ୍ଚ ଆହୁରି କଡ଼ାକଡ଼ି କରିବା ଲାଗି ପୁଲିସ ପକ୍ଷରୁ କୁହାଯାଇଛି।

ସେପଟେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ସହରରେ ଆତଙ୍କ ସୃଷ୍ଟି କରୁଥିବା ସହରୀଦାଦା ଏବେ ଆତ୍ମଗୋପନ କରିଛନ୍ତି। କରୋନା ମହାମାରୀ ସମୟରେ ରାଜଧାନୀରେ ଅସାମାଜିକ କାର୍ଯ୍ୟକଳାପ କିମ୍ବ ଅପରାଧରେ ଲିପ୍ତ ରହୁଥିବା ଅପରାଧୀଙ୍କୁ ନିସ୍ତାର ମିଳିବ ନାହିଁ। ବିଶେଷକରି ଜେଲ୍‍ ଫେରନ୍ତାଙ୍କ ଉପରେ ପୁଲିସ ଗୁରୁତ୍ୱ ଦେଇଛି। କରୋନା ଲାଗି ଛୋଟମୋଟ ଚୋରି ଘଟଣାରେ ସମ୍ପୃକ୍ତଙ୍କୁ ଜାମିନ ମିଳିଯାଉଛି। ସେମାନେ ଜେଲ୍‍ରୁ ଫେରି ଅପରାଧରେ ସଂଶ୍ଲିଷ୍ଟ ରହୁଥିବା ଅଭିଯୋଗ ହେଉଛି। କୌଣସି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଧରାପଡ଼ିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୧୧୦ ଦଫାରେ ବୁକ୍‍ କରାଯିବ ବୋଲି କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି। ସପ୍ତାହେ ଭିତରେ କ୍ୟାପିଟାଲ ଥାନା ପୁଲିସ ୩ ଅପରାଧୀଙ୍କ ବିରୋଧରେ ୧୧୦ ଦଫା ଲଗାଇଛି।

ସେହିପରି ରବିବାର ସହରର ଦୁଇଟି ଥାନା ଅଞ୍ଚଳରୁ ଲୁଟ୍‍ ହୋଇଥିଲା। ଖାରବେଳ ଥାନା ଅଧୀନରେ ଜଣେ ମହିଳା ପୁଲିସଙ୍କୁ ବନ୍ଧୁକ ମୁନରେ ଲୁଟ୍‍ କରିଥିବାବେଳେ ନୂଆପଲ୍ଲୀ ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିନେଇଥିଲେ। ଏହି ଘଟଣା ପରେ କମିସନରେଟ ପୁଲିସ ପକ୍ଷରୁ ସ୍ପେଶାଲ ସ୍କ୍ୱାଡ୍‍ ସମେତ ଆଉ ଦୁଇଟି ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଏହି ୩ଟି ଟିମ୍‍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଅପରାଧୀଙ୍କୁ ଧରିବା ଲାଗି ଚେଷ୍ଟା କରାଯାଉଥିବା ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଏହାସହ ଅପରାଧୀଙ୍କ ବିଷୟରେ କୌଣସି ଖବର ଥିଲେ ପୁଲିସ ହେଲ୍ପଲାଇନ ନମ୍ବର-୧୦୦ରେ ଯୋଗାଯୋଗ କରି ସହଯୋଗ କରିବା ଲାଗି ସେ ଜନସାଧାରଣଙ୍କ ସହାୟତା ଲୋଡ଼ିଛନ୍ତି।

Comments are closed.