ଅସୁରେଶ୍ବର ଗୋରକ୍ଷଣୀର ପ୍ରତିଷ୍ଠା ଦିବସ ପାଳିତ, ବିଶ୍ବ ଶାନ୍ତି ପାଇଁ ଗୋମାତାଙ୍କ ନିକଟରେ ପ୍ରାର୍ଥନା

ଭୁବନେଶ୍ୱର : ଅନନ୍ୟ ଗୋସେବା ଅନୁଷ୍ଠାନ ଅସୁରେଶ୍ବର ଗୋରକ୍ଷଣୀର ୭୭ତମ ଜନ୍ମ ଦିବସ ଚିତାଲାଗି ଅମାବାସ୍ୟା ଦିନ ପାଳିତ ହୋଇଯାଇଛି। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସଭାସମିତିକୁ ବାତିଲ କରାଯାଇ କେବଳ ଗୋ ପୂଜନ ଓ ଗୋସେବା ସମ୍ପନ୍ନ ହୋଇଥିଲା।

 

ସୋମବାର ପୂର୍ବାହ୍ନରେ ଅନୁଷ୍ଠାନର ସଭାପତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ସମ୍ପାଦକ ପର୍ଶୁରାମ ଦ୍ବିବେଦୀଙ୍କ ତତ୍ତ୍ଵାବଧାନରେ ଗୋ ପୂଜନ ଓ ଗୋସେବା ସମ୍ପନ୍ନ ହୋଇଥିଲା। ବିଶିଷ୍ଟ ବ୍ୟବସାୟୀ ପ୍ରଶାନ୍ତ କର, ସଦସ୍ୟ ସର୍ବଶ୍ରୀ ବୈକୁଣ୍ଠ ନାୟକ, ନାରାୟଣ ଚନ୍ଦ୍ର ସାହୁ, ବିଷ୍ଣୁ ଚରଣ ସାମଲ ଓ ଧୃବ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗୋ ସେବା ଓ ଗୋ ପୂଜନ ପରେ କରୋନା ମହାମାରୀରୁ ବିଶ୍ଵ ବାସୀଙ୍କୁ ରକ୍ଷା କରିବାକୁ ବେଦ ପାଠ ସହ ସ୍ବତନ୍ତ୍ର ପ୍ରାର୍ଥନା ଗୋମାତାଙ୍କ ନିକଟରେ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୧୯୪୩ ମସିହାରେ ପ୍ରତିଷ୍ଠିତ ଏହି ଗୋସେବା ଅନୁଷ୍ଠାନ ଅକର୍ମଣ୍ୟ ଓ ବୃଦ୍ଧ ଗାଈଗୋରୁଙ୍କ ସେବା ନିଷ୍ଠାର ସହିତ କରିଆସୁଛି। ହିନ୍ଦୁ ଯୁବକ ଡାକ୍ତର ଜଳଧର ନାୟକ ଓ ମୁସଲମାନ ଯୁବକ ସୟଦ ଅଫସର ଅଲ୍ଲୀ ଏହାର ପ୍ରତିଷ୍ଠାତା। କଟକ ଜିଲ୍ଲା ମାହାଙ୍ଗାର ଅସୁରେଶ୍ବରରେ ଚାଲିଥିବା ଏହି ଗୋରକ୍ଷଣୀ ଭାରତ ବର୍ଷର ଏକ ଅନନ୍ୟ ଅନୁଷ୍ଠାନ।

Comments are closed.