ଶିଳ୍ପକୁ ପାଣି ଆବଣ୍ଟନ ନିୟମ ଏଣିକି କଡ଼ାକଡ଼ି

ଅଣମୌସୁମୀ ଋତୁ ପାଇଁ ପାଣି ଚିନ୍ତା

ଭୁବନେଶ୍ବର : ଅଣମୌସୁମି ଋତୁରେ ରାଜ୍ୟରେ ଭୂପୃଷ୍ଠ ଜଳର ପରିମାଣ ଧୀରେ ଧୀରେ କମୁଛି। ନିର୍ଦିଷ୍ଟ ଭାବେ ନଦୀ ଅବବାହିକା ପାଇଁ ଜଳାଭାବ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଗ୍ରୀଷ୍ମଋତୁରେ ଜଳ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଅଣମୌସୁମି ଋତୁରେ ରାଜ୍ୟର ବିଭିନ୍ନ ନଦୀରେ ପ୍ରବାହିତ ପାଣିର ୧୦ ପ୍ରତିଶତ ଶିଳ୍ପ ଉଦ୍ଦେଶ୍ୟରେ ବିନିଯୋଗ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ କରାଯାଇଛି। ନିର୍ଦିଷ୍ଟ ଭାବେ ନଦୀର ଜଳ ତଥା ଭୂପୃଷ୍ଠ ଜଳ ଉପରେ ନିର୍ଭରଶୀଳ ଶିଳ୍ପ ସଂସ୍ଥାଗୁଡ଼ିକୁ ଆବଣ୍ଟନ ପରିମାଣ ଉପଲବ୍ଧ ପାଣିର ସର୍ବାଧିକ ୧୦ ପ୍ରତିଶତ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଭଳି ପଡ଼ୋଶୀ ରାଜ୍ୟରେ ଶିଳ୍ପ ପାଇଁ ସର୍ବାଧିକ କେତେ ପରିମାଣର ପାଣି ଯୋଗାଣ ନେଇ କଟକଣା ରହିଛି ଏବଂ ଗୋଟିଏ ନଦୀ ଅବବାହିକାର ମୋଟ ଅଣମୌସୁମି ଋତୁରେ ପ୍ରବାହିତ ଜଳର ସର୍ବାଧିକ କେତେ ପାଣି ଶିଳ୍ପ କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଉଛି ସେ ସଂକ୍ରାନ୍ତ ନିୟମାବଳିକୁ ଜଳସେବା ବିଭାଗ ମୁଖ୍ୟ ଯନ୍ତ୍ରୀ ଅନୁଧ୍ୟାନ କରିବାକୁ କୁହାଯାଇଛି। ଗୁଜରାଟ ଓ ମହାରାଷ୍ଟ୍ର ଭଳି ଶିଳ୍ପୋନ୍ନତ ରାଜ୍ୟରେ ସର୍ବାଧିକ କେତେ ଜଳ ଶିଳ୍ପରେ ବିନିଯୋଗ ହେଉଛି ତାହା ମଧ୍ୟ ଅନୁଧ୍ୟାନ କରିବାକୁ କୁହାଯାଇଛି।

ଶିଳ୍ପ କ୍ଷେତ୍ରକୁ ପାଣି ଯୋଗାଣ ସଂକ୍ରାନ୍ତରେ ନିକଟରେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଶିଳ୍ପ ଓ ଜଳସମ୍ପଦ ବିଭାଗକୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ପ୍ରତି ଶିଳ୍ପ ସଂସ୍ଥାକୁ ପ୍ରାଥମିକ ପର୍ଯ୍ୟାୟରେ ୩ବର୍ଷ ପାଇଁ ପାଣି ଆବଣ୍ଟିତ କରାଯିବ। ଯଦି ଏହି ସମୟ ଭିତରେ ସମ୍ପୃକ୍ତ ଶିଳ୍ପ ସଂସ୍ଥା ପାଣି ବ୍ୟବହାର ନକରେ, ତେ​‌େ​‌ବ ଅବଧି ଶେଷ ହେବାର ୩ ମାସ ପୂର୍ବରୁ ଏହାକୁ ପୁନଃ ଆବେଦନ କରିବାକୁ ହେବ। ଜଳ ଆବଣ୍ଟନ ଅନୁମତି ବୃହତ ଶିଳ୍ପ ପାଇଁ ୩ବର୍ଷ ଓ ଏମଏସଏମଇ ପାଇଁ ୨ବର୍ଷ ପ୍ରଦାନ କରାଯିବ।

ସ୍ଥାୟୀ ଭାବେ ଚାଲୁଥିବା ଶିଳ୍ପ ସଂସ୍ଥା କ୍ଷେତ୍ରରେ ପାଣି ଆବଣ୍ଟନ ବନ୍ଦ କରାଯିବ ନାହିଁ। କୌଣସି ପରିସ୍ଥିତିର ଶିଳ୍ପ ସଂସ୍ଥା ଗୋଟିଏ ବର୍ଷ ଧରି ପାଣି ବ୍ୟବହାର ନକଲେ ଆଗାମୀ ବର୍ଷଗୁଡ଼ିକରେ ଏହି ପରିମାଣର ଜଳ ବ୍ୟବହାର କରିବା ସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବାକୁ ହେବ। ପାଣିର ଉପଲବ୍ଧତାକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟସ୍ତରୀୟ ଫାସିଲିଟେସନ ସେଲ (ଏସଏଲଏଫସି)ର ସୁପାରିସ ଆଧାରରେ ପାଞ୍ଚ ବର୍ଷ ପାଇଁ ପର୍ଯ୍ୟାୟ କ୍ରମେ ପାଣି ଆବଣ୍ଟନ ପାଇଁ ଅନୁମତି ପ୍ରଦାନ କରାଯିବ। ପର୍ଯ୍ୟାୟ କ୍ରମେ ପାଣି ଆବଣ୍ଟନ କ୍ଷେତ୍ରରେ ଚୁକ୍ତି ସମୟର ପ୍ରତିଶ୍ରୁତି ଅନୁସାରେ ଅର୍ଥ ଭରଣା ବାବଦ ଦେୟ ଲାଗୁ ହେବ। ଶିଳ୍ପସଂସ୍ଥା ବନ୍ଦ ହେଲେ ଶିଳ୍ପ ବିଭାଗ ପ୍ରମାଣପତ୍ର ଆଧାରରେ ଜଳ ଆବଣ୍ଟନ ବନ୍ଦ କରିଦିଆଯିବ। ନିୟମିତ ଭାବେ ପାଣି ବନ୍ଦ କରିବା ପାଇଁ ଜଳସମ୍ପଦ ଏବଂ ଶିଳ୍ପ ବିଭାଗ ପ୍ରତି ବର୍ଷ ମାର୍ଚ୍ଚରେ ଏକ ବୈଠକରେ ନିଷ୍ପତ୍ତି ନେବେ। କ୍ରମାଗତ ଭାବେ ଶିଳ୍ପ ସଂସ୍ଥା ପାଣି ବ୍ୟବହାର କରୁ ନଥିଲେ ପାଣି ଯୋଗାଣ ଅନୁମତି ବନ୍ଦ କରିବା ସଂକ୍ରାନ୍ତରେ ମିଳିତ ଭାବେ ଜଳସମ୍ପଦ ଓ ଶିଳ୍ପ ବିଭାଗ ନିଷ୍ପତ୍ତି ନେବେ।
ଏ ପର୍ଯ୍ୟନ୍ତ ରାଜ୍ୟରେ ୬୦ଟି ଶିଳ୍ପ ସଂସ୍ଥା ବନ୍ଦ ହୋଇଥିବା ଜଣାପଡ଼ିଛି। ନିର୍ଦିଷ୍ଟ ବନ୍ଦ ତାରିଖ ସମ୍ପର୍କରେ ପ୍ରମାଣପତ୍ର ପାଇଁ ୬୦ଟି ବନ୍ଦ ଶିଳ୍ପ ସଂସ୍ଥାର ତାଲିକା ଶିଳ୍ପ ବିଭାଗକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ଏହାଫଳରେ ସମ୍ପୃକ୍ତ ଶିଳ୍ପ ସଂସ୍ଥାକୁ ପାଣି ବନ୍ଦ କରାଯିବା ସହିତ ସଂସ୍ଥା ଉପରେ କୌଣସି ବକେୟା ଥିଲେ ତାହା ଆଦାୟ କରାଯିବ। ବ୍ରାହ୍ମଣୀ, ବୈତରଣୀ, ମହାନଦୀ ଏବଂ ଋଷିକୂଲ୍ୟା ଅବବାହିକାରେ ଅଣମୌସୁମି ଜଳର ପରିମାଣ କ୍ରମଶଃ ହ୍ରାସ ପାଉଥିବା ଜଣାପଡ଼ିଛି। ଇପିକଲ ଏମଡ଼ି, ଶିଳ୍ପ ବିଭାଗ ଯୁଗ୍ମ ସଚିବ ପିପିଓ ଏଫର ମୁଖ୍ୟ ଯନ୍ତ୍ରୀ, ଜଳସମ୍ପଦ ବିଭାଗ ଜଳ ଆବଣ୍ଟନ ଦାୟିତ୍ବରେ ଥିବା ନିର୍ଦେଶକଙ୍କୁ ନେଇ ଏକ କମିଟି ଗଠନ କରାଯିବା ସହିତ ନିର୍ଦେଶକଙ୍କୁ ଏହାର ଆବାହକ ରଖାଯାଇଛି। ଉପରୋକ୍ତ ନଦୀଗୁଡ଼ିକରେ ଥିବା ସମ୍ଭାବ୍ୟ ଜଳାଭାବ ଅଞ୍ଚଳ ଚିହ୍ନଟ କରିବା ସହିତ କେଉଁଠାରେ ଜଳଭଣ୍ଡାର(ଇନ ଷ୍ଟ୍ରିମ ଷ୍ଟୋରେଜ) ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ନିଷ୍ପତ୍ତି ନେବେ। କମିଟି ଗଠନ ହେବାର ମାସକ ଭିତରେ ଏହାର ରିପୋର୍ଟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ପ୍ରଦାନ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଶିଳ୍ପ ବିଭାଗ ଦ୍ବାରା ବିକଶିତ ଗୋ ସ୍ବିଫ୍ଟ ପୋର୍ଟାଲରେ ପାଣି ଆବଣ୍ଟନ, ନବୀକରଣ, ପୁରୁଣା ବା ନୂଆ ଶିଳ୍ପ ସଂସ୍ଥା ପାଇଁ ଆବଣ୍ଟିତ ପାଣି ପରିମାଣ ବୃଦ୍ଧି ବ୍ୟବସ୍ଥା ନଥିବାରୁ ଶିଳ୍ପ ବିଭାଗ ଏବଂ ଇପିକଲ ଏସବୁ ବ୍ୟବସ୍ଥା ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ମତି ଦେଇଛନ୍ତି।

Comments are closed.