ଅନ୍ୟ ରାଜ୍ୟରେ ମହାମାରୀ ସ୍ଥିତି ସଙ୍ଗିନ; ପ୍ରବାସୀଙ୍କୁ ଟାଣି ନେଉଛି ପେଟର ଭୋକ

ପେଟ ପାଇଁ ଦାନା ଯୋଗାଡ଼ କରିବା ସଂଘର୍ଷ ଆଗରେ ଜୀବନର ସୁରକ୍ଷା ତୁଚ୍ଛ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଘର ମୁହାଁ ହୋଇଥିବା ପ୍ରବାସୀ ଓଡ଼ିଆ ଏବେ କର୍ମସ୍ଥଳକୁ ବାହୁଡ଼ିବା ଆରମ୍ଭ କରିଛନ୍ତି। ୬ ମାସ ଧରି ଘରେ ବସି ରହିଥିବା କୁଶଳୀ, ଅଣକୁଶଳୀ ଶ୍ରମିକଙ୍କୁ କାମରେ ଯୋଗଦେବା ପାଇଁ ଡ଼ାକରା ଆସିଲାଣି। ଆଗୁଆ ଦରମା ଦେଇ କମ୍ପାନୀ ମାଲିକ ଶ୍ରମିକଙ୍କୁ ଡ଼ାକୁଛନ୍ତି। ନୂଆ ଶ୍ରମିକଙ୍କୁ ପ୍ରଶିକ୍ଷଣ ଦେଇ କାମ ଦେବା ପାଇଁ ଅଧିକାଂଶ ବାହାର କମ୍ପାନୀ ପ୍ରସ୍ତାବ ଦେଉଛନ୍ତି। ଏକ ଅଧ୍ୟୟନ ଅନୁସାରେ ଲକ୍‌ଡାଉନ୍ ସମୟରେ ରାଜ୍ୟକୁ ଯେତେ ସଂଖ୍ୟକ ପ୍ରବାସୀ ଓଡ଼ିଆ ଆସିଥିଲେ, ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ନିଜ ନିଜ କର୍ମକ୍ଷେତ୍ରକୁ ବାହୁଡ଼ି ଗଲେଣି। କିନ୍ତୁ ଯେଉଁ ସମୟରେ ସେମାନେ ଘରକୁ ଚାଲି ଆସିଥିଲେ, ସେହି ସମୟରେ ସେମାନେ କାମ କରୁଥିବା ବଡ଼ ରାଜ୍ୟରେ ସଂକ୍ରମଣ କମ୍ ଥିଲା। କିନ୍ତୁ ଏବେ ସେଠାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ସତ୍ତ୍ବେ ପ୍ରବାସୀ ଓଡ଼ିଆ ସେଠାକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ପେଟ ପାଇଁ ଦାନା ଯୋଗାଡ଼ କରିବା ସଂଘର୍ଷ ଆଗରେ ଜୀବନର ସୁରକ୍ଷା ତୁଚ୍ଛ ହୋଇଯାଉଛି।

କରୋନା ଲକ୍‌ଡାଉନ୍ ସମୟରେ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟକୁ ପ୍ରାୟ ୧୨ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଥିଲେ। ସେଥିରୁ କେବଳ ଗଞ୍ଜାମକୁ ୪ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଥିଲେ। ଅଗଷ୍ଟ ପର୍ଯ୍ୟନ୍ତ ଓଡ଼ିଶାକୁ ଫେରିବା ଲୋକଙ୍କ ସଂଖ୍ୟା ଅଧିକ ଥିବା ବେଳେ ବହୁ କମ୍ ସଂଖ୍ୟକ ଲୋକ ଫେରୁଥିଲେ। କିନ୍ତୁ ସେପ୍ଟେମ୍ବର ମାସ ଅନଲକ୍ ୪ରେ ଗାଡ଼ିଘୋଡ଼ା, ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଯାଇଛି। ଏବେ ୨୧ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚାଲୁଥିବା ବେଳେ ବିମାନରେ ଦୈନିକ ପ୍ରାୟ ୪ ହଜାର ଲୋକ ଓଡ଼ିଶା ବାହାରକୁ ଯାଉଛନ୍ତି। ସେହିପରି ରାଜ୍ୟରୁ ଦିନକୁ ପାଖାପାଖି ୧୦ରୁ ୧୫ ବସ୍ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରକୁ ଯାଉଛି। ଓଡ଼ିଶାରୁ ଗୁଜରାଟକୁ ସର୍ବାଧିକ ୬ଟି ଟ୍ରେନ୍ ଚଳାଚଳ କରୁଥିବା ବେଳେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ସବୁ ଟିକଟ ଶେଷ ହୋଇଯାଇଛି। ଅନେକ କୁଶଳୀ ଶ୍ରମିକଙ୍କୁ ସେମାନଙ୍କ ମାଲିକ ବିମାନ ଟିକଟ ଦେଇ ଡ଼କାଇ ନେଉଛନ୍ତି। ଏଥିରୁ ପ୍ରବାସୀଙ୍କ ବାହୁଡ଼ା ପର୍ବ ସ୍ପଷ୍ଟ ହେଉଛି। ତଥାପି ଆହୁରି ୭୦ ପ୍ରତିଶତ ପ୍ରବାସୀ ଫେରିବା ପଥକୁ ଚାହିଁ ବସିଛନ୍ତି। ପ୍ରବାସୀ ଓଡ଼ିଆ ଶ୍ରମିକ ମଞ୍ଚର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି, ରହି ଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଲୋକ ବିଭିନ୍ନ କାରଣ ପାଇଁ ଫେରିପାରୁ ନାହାନ୍ତି। କାରଣ ସର୍ବାଧିକ ପ୍ରବାସୀ ଓଡ଼ିଆ କାମ କରୁଥିବା ରାଜ୍ୟରେ ସଂକ୍ରମଣ ବହୁତ ବଢ଼ି ଯାଇଛି।

ଉଦାହରଣ ସ୍ବରୂପ ସୁରତରେ ଏବେ ପ୍ରାୟ ଶହେ ସଂକ୍ରମିତ ପ୍ରାଣ ହରାଉଛନ୍ତି; କିନ୍ତୁ କାମ ପାଇଁ ସେଠାକୁ ଯିବାରେ ଭୟ ରହୁନାହିଁ। ଅନେକ ପ୍ରବାସୀ ଏବେ ସ୍ଥିତି ସୁଧୁରିବା ଅପେକ୍ଷାରେ ଅଛନ୍ତି। ଅପରପକ୍ଷେ ଓଡ଼ିଶାରେ ମନରେଗା କାମରେ ପ୍ରାୟ ୧୦ ପ୍ରତିଶତ ପ୍ରବାସୀ ଓଡ଼ିଆ କାମ ପାଇଛନ୍ତି। କିନ୍ତୁ ବାହାରେ ସେମାନେ ଯେତିକି ଦରମା ପାଉଥିଲେ ତାହା ତୁଳନାରେ ମଜୁରି ବହୁତ କମ। ତେଣୁ ପ୍ରବାସୀ ଶ୍ରମିକଙ୍କ ପକ୍ଷେ ଫେରିବା ଛଡ଼ା ଅନ୍ୟ ଉପାୟ ନାହିଁ।

Comments are closed.