ଆଇନ ବିଭାଗ ଆଣିଛି ‘ଓଡ଼ିଶା ରିପିଲିଂ ବିଲ୍‍-୨୦୨୦’ ; ୬୯୯ ଅଚଳ ଆଇନରେ ପଡ଼ିବ ତାଲା !

ଭୁବନେଶ୍ୱର: ରାଜ୍ୟରେ ଦୀର୍ଘ ୪୬ବର୍ଷ ହେଲା ଶତାଧିକ ପୁରୁଣା କାଳିଆ ଆଇନ କେବଳ କାଗଜପତ୍ରରେ ଚାଲୁ ରହିଛି। ଯାହାକି କାଳକ୍ରମେ ସାଂପ୍ରତିକ ପରିସ୍ଥିତି ଅନୁଯାୟୀ ଗୁରୁତ୍ୱ ହରାଇଲାଣି। ତେଣୁ ଏହିସବୁ ଆଇନକୁ ଆଗାମୀ ଦିନରେ କାର୍ଯ୍ୟକ୍ଷମ ନକରି ସେସବୁକୁ ସବୁଦିନ ପାଇଁ ବନ୍ଦ କରିଦେବାପାଇଁ ଲକ୍ଷ୍ୟ ନେଇ ଆଇନ ବିଭାଗ ପକ୍ଷରୁ ‘ଓଡ଼ିଶା ରିପେଲିଂ ଆଇନ-୨୦୨୦’ଅଣାଯାଇଛି। ଏଥିରେ ୬୯୯ଟି ପୁରୁଣାକାଳିଆ ଆଇନ ବନ୍ଦ କରାଯିବା ଲାଗି ପ୍ରସ୍ତାବ ରହିଛି। ଏହିସବୁ ଆଇନକୁ ନେଇ କେଉଁ ନ୍ୟାୟାଳୟରେ ଯଦି ମାମଲା ଗଡ଼ୁଛି କିମ୍ବା ଏହାର କିଛି ଗୁରୁତ୍ୱ ରହିଛି ସେସମ୍ପର୍କରେ ୧୫ଦିନ ମଧ୍ୟରେ ଜଣାଇବା ଲାଗି ଆଇନ ବିଭାଗ ପକ୍ଷରୁ ରାଜ୍ୟ ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ସବୁ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଯାଇଛି।

ଏସଂକ୍ରାନ୍ତରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର ସବୁ ବିଭାଗକୁ ଚଳିତମାସ ୧୦ତାରିଖରେ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ବିଭାଗ ପକ୍ଷରୁ ଅଚଳନ୍ତି ଆଇନକୁ ବନ୍ଦ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ୧୯୭୩ରୁ ୨୦୧୬ ପର୍ଯ୍ୟନ୍ତ ଯେଉଁସବୁ ଆଇନଗୁଡିକର ବିଶେଷ ଗୁରୁତ୍ୱ ଆଜିର ଦିନରେ ନାହିଁ ତାକୁ ବନ୍ଦ କରିବା ନେଇ ବିଭାଗ ପକ୍ଷରୁ ଏହି ବିଲ୍‍ ଅଣାଯାଇଛି। ଯଦି କୌଣସି ବିଭାଗ ଏହି ଆଇନଗୁଡିକ ମଧ୍ୟରୁ କୌଣସିଟି ଏବେ ବି କାର୍ଯ୍ୟକ୍ଷମ ହେଉଛି ବା କେଉଁ ଆଇନକୁ ନେଇ ଏବେ ମାମଲା ନ୍ୟାୟାଳୟରେ ଚାଲୁ ରହିଛି ତାହାଲେ ତୁରନ୍ତ ବିଭାଗକୁ ଅବଗତ କରାଇବାକୁ ହେବ। ଏହାସହିତ ଉକ୍ତ ଆଇନକୁ କାହିଁକି ବନ୍ଦ କରା ନଯିବ ସେସମ୍ପର୍କରେ ମଧ୍ୟ ମତାମତ ଦେବାକୁ ହେବ। ଏହାବାଦ୍‍ ଯଦି ଏହି ପ୍ରସ୍ତାବିତ ବନ୍ଦ ଆଇନ ମଧ୍ୟରୁ କୌଣସି ଆଇନର ସଂଶୋଧନ ହୋଇଥାଏ ଏବଂ ଉକ୍ତ ଆଇନକୁ ସ୍ୱୟଂକ୍ରିୟ ଭାବେ ସରକାର ଗ୍ରହଣ କରିଛନ୍ତି ତାହାଲେ ମଧ୍ୟ ଅବଗତ କରାଇବାକୁ ପଡ଼ିବ।

ଆଇନ ବିଭାଗର ପ୍ରସ୍ତାବିତ ବିଲ୍‍ ମଧ୍ୟରେ ସର୍ବାଧିକ ରାଜସ୍ୱ ବିଭାଗର ୧୧୩ଟି ଆଇନ ରହିଥିବାବେଳେ ଅର୍ଥ ବିଭାଗର ୮୩ଟି ଆଇନ ରହିଛି। ଏଥିମଧ୍ୟରେ ଅର୍ଥ ବିଭାଗର ୧୯୭୩ର ବିକ୍ରି କର, ଆମୋଦପ୍ରମୋଦ କର ଆଦି ରହିଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ମ୍ୟୁନିସିପାଲିଟି ଆଇନ-୧୯୭୫ ଆଇନ ଏବଂ ପଞ୍ଚାୟତିରାଜ ବିଭାଗର ଗ୍ରାମ ପଞ୍ଚାୟତ ଆଇନ ଭଳି ୭୭ଟି ଲେଖାଏଁ ଅଚଳ ଆଇନ ରହିଛି। ଏହାବାଦ୍‍ ରାଜସ୍ୱ ବିଭାଗର ଲ୍ୟାଣ୍ଡ ରିଫର୍ମ ଆକ୍ଟ-୧୯୭୩, ଓଡ଼ିଶା ଇଷ୍ଟେଟ ଆବୋଲିସନ ଭଳି ଆଇନ ରହିଛି। ୩୪ଟି ବିଭାଗର ୬୯୯ଟି ପୁରୁଣା ଆଇନ ରହିଥିବାବେଳେ ସେଥିମଧ୍ୟରେ ପୂର୍ତ , ଖଣି ଓ ଇସ୍ପାତ, ଇଆଣ୍ଡ ଆଇଟି, ଦକ୍ଷତା ବିକା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଗୋଟିଏ ଲେଖାଏଁ ଆଇନ ଉଚ୍ଛେଦ ପାଇଁ ବିଲ୍‍ରେ ରହିଥିବା ଜଣାଯାଇଛି।

Comments are closed.