‘ଲୋକେ ହୃଦୟରୁ କହିବା ଦରକାର ଏହା ବାସ୍ତବରେ ମୋ ସରକାର’- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ମୋ ସରକାର ଚାଲିଛି- ରାଜ୍ୟର ପ୍ରତି ନାଗରିକ ଯେତେବେଳେ ତାଙ୍କ ହୃଦୟରୁ ଏକଥା କହିବେ ସେଭଳି ପରିବେଶ ସୃଷ୍ଟି କରିବା ଦିଗରେ ଦାୟିତ୍ବବୋଧ ସହକାରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ମୋ ସରକାର ଅଧୀନକୁ ଆଉ ୫ଟି ବିଭାଗ ସାମିଲ କରାଯିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଜଳସମ୍ପଦ, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବୟନ ଓ ହସ୍ତତନ୍ତ ଆଦି ଆଉ ୫ଟି ବିଭାଗ ମୋ ସରକାର ଅଧୀନକୁ ଆସିଛି। ଏଥିସହିତ ମୋ ସରକାରରେ ଏ ପର୍ଯ୍ୟନ୍ତ ମୋଟ ୧୨ଟି ବିଭାଗକୁ ସାମିଲ କରାଗଲାଣି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଜନସାଧାରଣଙ୍କ ମତାମତ ଓ ଇଚ୍ଛାଶକ୍ତିକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣ ପ୍ରକୃତ ଶକ୍ତି। ଲୋକଙ୍କୁ ସେବା ପ୍ରଦାନ କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏହାକୁ ପ୍ରତି ସରକାରୀ ଚାକିରିଆ ଏକ ସଂସ୍କୃତି ଭାବେ ସବୁ ସମୟରେ ଗ୍ରହଣ କରିବା ଦରକାର। ଲୋକଙ୍କୁ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ ଦ୍ବାରା ପ୍ରତି ସରକାରୀ କର୍ମଚାରୀ ନି​ଜେ ସମ୍ମାନ ପାଇବା ସହିତ ପ୍ରଶାସନକୁ ଲୋକପ୍ରିୟ କରାଇପାରିବେ। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଟିଏ ସନ୍ତୋଷର ସହିତ ଫେରିବା ଆବଶ୍ୟକ। ସେ ଭାବିବା ଦରକାର ଯେ ତାଙ୍କ ଉଦ୍ଦେଶ୍ୟ ସଫଳ ହୋଇଛି ଏବଂ ସେ ଉପଯୁକ୍ତ ସମ୍ମାନ ପାଇଛି। ପୂରା ପ୍ରଶାସନ ତାଙ୍କ ଭଳି ଲୋକଙ୍କ ପାଇଁ କାର୍ଯ୍ୟ କରୁଛି ବୋଲି ତାଙ୍କର ଧାରଣା ସ୍ପଷ୍ଟ ହେବ।

ଏହି ଅବସରରେ ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଲୋକଙ୍କୁ ସମ୍ମାନର ସହ ବ୍ୟବହାର ଓ ସେବା ପ୍ରଦାନ ନିମନ୍ତେ ସେମାନଙ୍କ ବିଭାଗର ପ୍ରତିବଦ୍ଧତା ରହିଛି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ମୋ ସରକାର ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଲୋକଙ୍କୁ ସଶକ୍ତ କରିବ।
୫-ଟି ସଚିବ ଭି.କେ.ପାଣ୍ଡିଆନ କେନ୍ଦୁଝର, ଜଗତସିଂହପୁର, ବୌଦ୍ଧ, ବଲାଙ୍ଗୀର ଓ ନବରଙ୍ଗପୁର ଜିଲାର ପାଞ୍ଚଟି ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମୋ ସରକାର କାର୍ଯ୍ୟକ୍ରମ ଉପରେ ଅଧିକାରୀ ଓ କର୍ମଚାରୀ ବେଶ ସଚେତନ ଥିବାରୁ ସେ ସନ୍ତୋଷପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମରେ ମିଳୁଥିବା ସୂଚନାକୁ ଗୁରୁତ୍ବ ଦିଆଯିବା ସହିତ ଏ ସଂକ୍ରାନ୍ତରେ ଆସିଥିବା କୌଣସି ଅଭିଯୋଗ ଉପରେ ତୁରନ୍ତ ଉତ୍ତର ରଖାଯିବା ଆବଶ୍ୟକ। ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.