ମାର୍କେଟ ବିଲ୍ଡିଂ ଭଙ୍ଗାରୁଜା ଘଟଣା : ପୁଣି ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ମାର୍କେଟ ବିଲ୍ଡିଂ ପରିସରରେ ମୁଖାପିନ୍ଧା ଦୁର୍ବୃତ୍ତ ଆତଙ୍କରାଜ ଘଟଣାରେ କମିସନରେଟ ପୁଲିସ ପୁଣି ୬ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଏମାନଙ୍କୁ ମିଶାଇ ୨୮ ଜଣ ଧରାପଡ଼ିଛନ୍ତି। ଆଜି ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ବଡ଼ଗଡ଼ ଥାନା ଅଞ୍ଚଳର ରାକେଶ ମହାନ୍ତି ଓରଫ ଚିଣ୍ଟୁ(୨୪), ସାଇପ୍ରୀତମ ପଟ୍ଟନାୟକ ଓରଫ ପ୍ରୀତମ(୧୯), ଉଦିତ୍ ନାରାୟଣ ପ୍ରଧାନ ଓରଫ କାହ୍ନା(୨୧), ସ୍ମୃତିସାଗର ମହାପାତ୍ର ଓରଫ ପିନୁ(୩୪) ସୁରଜ ସାହା ଓରଫ ସୁରଜ(୧୯) ଏବଂ ପିପିଲି ଅଞ୍ଚଳର ପଙ୍କଜ ରାଜ୍ ଓରଫ ବାପି(୩୩)। ସେମାନଙ୍କଠାରୁ ଗୋଟିଏ ଲେଖାଏଁ କାର୍ ଓ ବାଇକ୍ ପୁଲିସ ଜବତ କରିଛି। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପୀକୁ କମିସନରେଟ ପୁଲିସ ଏପର୍ଯ୍ୟନ୍ତ ଠାବ କରିପାରି ନାହିଁ। ତାକୁ ଧରିବା ପାଇଁ ପୁଲିସର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରିଖିଛି।
ପୁଲିସ ସୂଚନା ଅନୁସାରେ ଆକ୍ରମଣ ଏବଂ ଭଙ୍ଗାରୁଜା ପରେ ଗିରଫ ଭୟରେ ଅଭିଯୁକ୍ତମାନେ ସ୍ଥାନ ବଦଳାଉଥିଲେ। ଏଥିପାଇଁ ସେମାନଙ୍କୁ ଧରିବା ପାଇଁ କମିସନରେଟ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ପୁଲିସ ସ୍ବତନ୍ତ୍ର ସ୍କ୍ବାଡ୍ ରାଜ୍ୟ ବାହାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ୩ଜଣ ଗିରଫ ଭୟରେ ରାତି ହେଲେ ଏକ କାର୍ରେ ଶୋଉଥିବା ଜଣାପଡ଼ିଛି। ଚଢ଼ଉ ବେଳେ ପୁଲିସକୁ ଦେଖି ଚାଲାଖି କରି ସେଠାରୁ ଖସି ପଳାଉଥିଲା। ହେଲେ ରବିବାର ପୁଲିସ ହାବୁଡ଼ରେ ପଡ଼ିଯାଇଥିଲେ। ଉକ୍ତ କାର୍ଟିକୁ ଜବତ କରାଯାଇଛି। ଅଭିଯୁକ୍ତମାନେ ମାର୍କେଟ ବିଲ୍ଡିଂର ଅଣ ଓଡ଼ିଆ ବ୍ୟବସାୟୀଙ୍କ ମଧ୍ୟରେ ଭୟ ସୃଷ୍ଟି ପାଇଁ ଏପରି ଲଙ୍କାକାଣ୍ଡ ଘଟାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ୧୦ ତାରିଖ ସନ୍ଧ୍ୟାରେ ପୂର୍ବ ବିବାଦକୁ କେନ୍ଦ୍ରକରି ୩୦ ଦୁର୍ବୃତ୍ତ ବ୍ୟବସାୟୀ ଓ ପୁଲିସଙ୍କ ଆକ୍ରମଣ କରିବା ସହ ଉଠା ଦୋକାନକୁ ଭାଙ୍ଗିରୁଜି ଚୂର୍ମାର୍ କରି ଦେଇଥିଲେ।
ପୂର୍ବରୁ କମିସନରେଟ ପୁଲିସ ଏହି ଘଟଣାରେ ସମ୍ପୃକ୍ତି ଥିବା ୨୨ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରୁ ୧୫ ନାବାଳକ ହୋଇଥିବାବେଳେ ୭ ଯୁବକ ରହିଥିଲେ। କମିସନରେଟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା, ସର୍ବ ସାଧାରଣରେ ହିଂସା କରିବା ଭଳି ସଙ୍ଗୀନ୍ ଦଫା ଲଗାଇଛି।