ହାଟ କରୁଛି ହଟହଟା : ବେପାରୀଙ୍କୁ କରୋନା, ତଥାପି ସୁଧୁରୁ ନାହାନ୍ତି ଲୋକେ

ଭୁବନେଶ୍ୱର : ରାଜଧାନୀରେ କରୋନା କାୟା ମେଲାଉଥିବାବେଳେ ସୁଧୁରୁ ନାହାନ୍ତି ଲୋକେ । ମୁହଁରେ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ବାରମ୍ବାର ସରକାର ପ୍ରଚାର ପ୍ରସାର କରୁଥିଲେ ମଧ୍ୟ ସହରବାସୀ ଧ୍ୟାନ ଦେଉନାହାନ୍ତି । କେବଳ ଗ୍ରାହକ ନୁହନ୍ତି ବେପାରୀ ମଧ୍ୟ ସରକାରୀ କଟକଣାକୁ ଭୁଲିଯାଉଛନ୍ତି । ଏକନମ୍ବର ହାଟରେ ଗତକାଲି କରୋନା ପଜିଟିଭ ବାହାରିବା ପରେ ଗୋଷ୍ଠୀ ସଂକ୍ରମଣ ଭୟ ଅଧିକ ରହିଛି। କାରଣ ହାଟରେ ଉଭୟ ହୋଲସେଲ ଏବଂ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଏଠୁ ବେପାରୀମାନେ ପରିବା ନେଇ ଅନ୍ୟତ୍ର ବେପାର କରୁଥିବା ବେଳେ ଖାଉଟିମାନେ ମଧ୍ୟ ଘର ପାଇଁ ପରିବା କିଣିଥାନ୍ତି । ତେବେ ଏକନମ୍ବର ହାଟ ବ୍ୟବସାୟୀଙ୍କଠାରୁ କେଉଁ ବ୍ୟବସାୟୀ ଏବଂ ଖାଉଟି ପରିବା କିଣିଛନ୍ତି ତାହା ବିଏମ୍ସି ପକ୍ଷେ ଜାଣିବା ମୁସ୍କିଲ ହୋଇପଡ଼ିଛି। ସେହିପରି ମୁଖ୍ୟସ୍ଥାନରୁ ହାଇସ୍କୁଲ ପଡ଼ିଆକୁ ପରିବା ହାଟ ସ୍ଥାନାନ୍ତର ହେଲା ପରେ ମଧ୍ୟ ସେଠାରେ ସାମାଜିକ ଦୂରତ୍ବ ରହୁନଥିବା ନଜରକୁ ଆସିଛି । ଲୋକେ ଦେହକୁ ଦେହ ଲଗାଇ ହାଟରୁ ପରିବା କିଣୁଛନ୍ତି । ମୁହଁର ମାସ୍କ ବେକରେ ଟଙ୍ଗା ଯାଇ ପରିବା କିଣାଯାଉଛି ।
ଅପର ପକ୍ଷରେ ୨ ଦିନ ପୂର୍ବେ ୪ ନମ୍ବର ହାଟରୁ ଜଣେ ଗ୍ରୋସରୀ ଦୋକାନୀ ଏବଂ ମାଛ ବେପାରୀ କରୋନା ଚିହ୍ନଟ ପରେ ୪ ନମ୍ବର ହାଟକୁ ବିଏମ୍ସି ସିଲ୍ କରିବା ସହ ସାନିଟାଇଜ୍ କରିଥିଲା; କିନ୍ତୁ ଏକନମ୍ବର ହାଟକୁ କରୋନା ସଂକ୍ରମଣ ଚିହ୍ନଟ ପରେ ବିଏମ୍ସି ସେଭଳି କୌଣସି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିନାହିଁ । ଫଳରେ ସଂକ୍ରମଣ ଭୟ ଅଧିକ ରହୁଛି । ସମସ୍ତ ହାଟ ବେପାରୀଙ୍କ ସ୍ବାବ୍ ଟେଷ୍ଟ କରିବାକୁ ସାଧାରଣରେ ଦାବି ହେଉଛି ।