କୁମ୍ଭମେଳାର ଦ୍ବିତୀୟ ଦିନ : ସାଧୁ-ଶ୍ରଦ୍ଧାଳୁଙ୍କ ଭିଡ଼, ଆରମ୍ଭରୁ ଅଣାୟତ୍ତ ଟ୍ରାଫିକ

ଭୁବନେଶ୍ବର : କୁମ୍ଭମେଳାର ଦ୍ବିତୀୟ ଦିନରେ ଆଧ୍ୟାତ୍ମିକ ସ୍ଥଳ ପାଲଟିଛି ଖଣ୍ଡଗିରି ପାହାଡ଼। ହୋମ, ଯଜ୍ଞ, ଜପତପରେ ନିମଗ୍ନ ଅଛନ୍ତି ସାଧୁସନ୍ନ୍ୟାସୀ। ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ଚାରିଆଡ଼େ ବେଦପାଠ, ମହାଯଜ୍ଞ ଚାଲିଛି। ସାଧୁ ଓ ଶ୍ରଦ୍ଧାଳୁଙ୍କ ମହାମିଳନ ଘଟିଛି ମେଳାରେ। ଯଜ୍ଞସ୍ଥଳରେ ଅନ୍ନଛତ୍ର ବଣ୍ଟା ହେଉଛି। କେଉଁଠି ସାଧୁମାନେ ଜ୍ଞାନ ଚର୍ଚ୍ଚା କଲେଣି ତ ପୁଣି କେଉଁଠି ଯଜ୍ଞକୁଣ୍ଡରେ ଆହୁତି ଚାଲିଛି। ସାଧୁଙ୍କ ପାଇଁ ପ୍ରଶାସନ ତରଫରୁ ସବୁ ବ୍ୟବସ୍ଥା କରାଯାଇଛି।

ମେଳାର ଦ୍ବିତୀୟ ଦିନରେ ଉତ୍ତର ଭାରତରୁ ପ୍ରାୟ ୭୦ ସାଧୁଙ୍କ ଆଗମନ ହୋଇଛି। ଦୁଇ ଦିନରେ ମେଳାସ୍ଥଳରେ ପ୍ରାୟ ୪୭୦ ସାଧୁସନ୍ନ୍ୟାସୀ ଏକାଠି ହେଲେଣି। ସେମାନଙ୍କୁ ଆତି‌େ‌ଥୟତା ପ୍ରଦାନ ଲାଗି ବିଶ୍ବ ସନାତନ ବୈଦିକ ଧର୍ମ ପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏବର୍ଷ ମେଳାରେ ୩୦୦୦ରୁ ଅଧିକ ସାଧୁ ଏକାଠି ହେବା କାର୍ଯ୍ୟକ୍ରମ ରହିଛି।
ସେହିପରି ଖଣ୍ଡଗିରି ପାହାଡ଼ ଉପରେ ଥିବା ଅଧିଷ୍ଠାତ୍ରୀ ଦେବୀ ବାରଭୁଜା ମନ୍ଦିର ସନ୍ନିକଟ ଅନନ୍ତ ଗୁମ୍ଫା ନିକଟରେ ସାଧୁ ଗୋସ୍ବାମୀ ସ୍ବର୍ଗତ ପୀତାମ୍ବର ଦାସଙ୍କ ତତ୍ତ୍ବାବଧାନରେ ମାଘ ସପ୍ତମୀରୁ ଆରମ୍ଭ ହୋଇ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏହି ଯଜ୍ଞ ଗତବର୍ଷ ସୁବର୍ଣ୍ଣ ଜୟନ୍ତୀ ଭାବେ ପାଳନ କରିଥିବାବେଳେ ଏବର୍ଷ ୫୧ତମ ହୋମଯଜ୍ଞ କରାଯାଉଥିବା ରାସବିହାରୀ ସ୍ବାଇଁ ସୂଚନା ଦେଇଛନ୍ତି।

ମେଳା ଆରମ୍ଭରୁ ଅଣାୟତ୍ତ ଟ୍ରାଫିକ ଫସିଲା ଆମ୍ବୁଲାନ୍ସ, ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ୍‌ ଫୋର୍ସ : ଖଣ୍ଡଗିରି ମେଳା ଆରମ୍ଭରୁ ଟ୍ରାଫିକ ଅଣାୟତ୍ତ ହୋଇଛି। ସଙ୍କୁଚିତ ରାସ୍ତା ଓ ଅମାନିଆ ଚାଳକଙ୍କ ଲାଗି ଏଭଳି ସମସ୍ୟା ଦେଖାଯାଉଛି। ଦିନଠାରୁ ସନ୍ଧ୍ୟାର ଟ୍ରାଫିକ ସମସ୍ୟା ବଳିଯାଉଛି।

ଘଣ୍ଟା ଘଣ୍ଟା ଟ୍ରାଫିକ୍‌ ଜାମ୍‌ରେ ଲୋକେ ଫସି ନୟାନ୍ତ ହେଉଛନ୍ତି। ପୁଣି ଆଗକୁ ମେଳାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ। ୩ଦିନ ପରେ ଆରମ୍ଭ ହୋଇଯିବ ଯାତ୍ରା। ସେତେବେଳେ ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେବ। ତା’ପୂର୍ବରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ଟ୍ରାଫିକ ସଜାଡ଼ିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ରବିବାର ସନ୍ଧ୍ୟାରେ ଖଣ୍ଡଗିରି ଛକରେ ଏକ ଆମ୍ବୁଲାନ୍ସ ଫସି ଯାଇଥିଲା। ଅନେକ ସମୟ ଧରି ଛିଡ଼ାହେବା ପରେ ଟ୍ରାଫିକ ପୁଲିସ ପହଞ୍ଚି ଗାଡ଼ିକୁ ସାଇଡ୍‌ କଲା ପରେ ଜାମ୍‌ରୁ ବାହାରିଥିଲା। ଭିଡ଼ରେ ଗୁରୁତର ରୋଗୀ ଯଦି ଫସି ଯାଏ ତା’ହେଲେ କଥା ସରିଲା। ଖଣ୍ଡଗିରିରେ ଟ୍ରାଫିକ୍‌ ପରିଚାଳନା ପାଇଁ ୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଉଥିବା ଜଣାପଡ଼ିଛି। ଆଗକୁ ଭିଡ଼ ବଢ଼ିଲେ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବଢ଼ିବ ବୋଲି ସୂଚନା ମିଳିଛି।

Comments are closed.