ଏଥର ମେଳା ନୁହେଁ, ଭର୍ଚୁଆଲ ବୈଠକ

ପୁରସ୍କାର ପାଇଁ ପୁସ୍ତକ ଆହ୍ୱାନ

ଭୁବନେଶ୍ୱର: ପ୍ରଦର୍ଶନୀ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ବହିର ପସରା। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କଳିଙ୍ଗ ପୁସ୍ତକ ମେଳାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶନାମା ଅନୁସାରେ ପୁସ୍ତକ ମେଳା କମିଟି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାବେଳେ କେବଳ ଭର୍ଚୁଆଲ ବୈଠକ କରାଯିବ। ଏନେଇ ପୁସ୍ତକ ମେଳା ଆୟୋଜକ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି।

କଳିଙ୍ଗ ପୁସ୍ତକ ମେଳା ପ୍ରତିବର୍ଷ ନଭେମ୍ବର ୨୯ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ହେବନାହିଁ। ମେଳା ସହିତ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ସମ୍ଭବ ହେବ ତାହାକୁ ଭର୍ଚୁଆଲ ମୋଡ୍‌ରେ କରାଯିବା ନେଇ ନିଷ୍ପତ୍ତି ହୋଇଛି। କମିଟିର ନିଷ୍ପତ୍ତି ଅନୁସାରେ ସାହିତ୍ୟ ନିମନ୍ତେ ପୁସ୍ତକ ମନୋନୟନ ଓ ପୁରସ୍କାର ପାଇଁ ପ୍ରତିଷ୍ଠାତା ପୂର୍ଣ୍ଣେନ୍ଦୁ ମିଶ୍ରଙ୍କ ନାମରେ ଦିଆଯିବ। ଭାଗନେବାକୁ ଥିବା ପ୍ରକାଶକ, ପ୍ରକାଶନୀ ସଂସ୍ଥା, ଲେଖକ, ଲେଖିକା ଆବେଦନ କରିପାରିବେ। ଏହାଛଡ଼ା ୮ଟି ବିଭାଗରେ ୮ ପୁରସ୍କାର ପ୍ରତିଷ୍ଠାତାଙ୍କ ନାମରେ ପ୍ରଦାନ କରାଯିବ। ଏଥିରେ ରହିଛି ଶିଶୁସାହିତ୍ୟ, ଉପନ୍ୟାସ, କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ, ନାଟକ, ଧର୍ମ ଏବଂ ବ୍ୟଙ୍ଗ। ୨୦୧୮ରୁ ୨୦୨୦ ମଧ୍ୟରେ ପ୍ରକାଶିତ ପୁସ୍ତକ ୩ଖଣ୍ଡ ସହିତ ବାୟୋଡାଟା, ପାସପୋର୍ଟ ସାଇଜ ଫଟୋ, ଇ-ମେଲ ନଭେମ୍ବର ୨୦ ସୁଦ୍ଧା ପଠାଇପାରିବେ। ସେହିପରି ପ୍ରତିବର୍ଷ ପରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚଳିତ ବର୍ଷ ମଧ୍ୟ ବକ୍ତୃତା, ଏକକ ସଙ୍ଗୀତ, କବିତା ପାଠୋତ୍ସବ ଏବଂ ପ୍ରବନ୍ଧ ଆଦି ବିଷୟରେ ପ୍ରତିଯୋଗିତା କରାଯିବ। ଡିସେମ୍ବର ୨,୩,୪ ଏବଂ ୫ ତାରିଖ ଅପରାହ୍ଣ ୩ଟାରୁ ଡିଜିଟାଲରେ ଏହି ପ୍ରତିଯୋଗିତା କରାଯିବ। ଏହାକୁ ଡିଭିଓ କରି ପଠାଇବେ ଏବଂ ଭିଡିଓ ଆରମ୍ଭରେ ଛାତ୍ରଛାତ୍ରୀ ନିଜର ଠିକଣା ସହିତ ଶିକ୍ଷାନୁଷ୍ଠାନର ନାମ, କ୍ଲାସ ଏବଂ ଇ-ମେଲ କହିବେ। ନଭେମ୍ବର ୨୮ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଭିଡିଓ ପଠାଇପାରିବେ। ଶିଶୁ ମହୋତ୍ସବର ପ୍ରତିଯୋଗିତା ଡିଜିଟାଲ ମାଧ୍ୟମରେ ହୋଇସାରିଛି। ପୁରସ୍କାର ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖରେ ପ୍ରଦାନ କରାଯିବ। ଅଧିକ ତଥ୍ୟ କଳିଙ୍ଗ ପୁସ୍ତକ ମେଳା ୱେବ୍‌ସାଇଟ୍‌ ଏବଂ ଫେସ୍‌ବୁକ୍‍ ପେଜରେ ମିଳିପାରିବ ବୋଲି ମେଳାର ସମ୍ପାଦିକା ରେଣୁକା ମିଶ୍ର ତଥା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.