ଇଞ୍ଜେକ୍ସନ୍‌ ନେବାର ୧୦ ମିନିଟ୍ ପରେ ମୃତ୍ୟୁ, ‘ସଂସାର ଗଢ଼ିବା ପୂର୍ବରୁ ଚାଲିଗଲେ ସିଦ୍ଧି’

ଭୁବନେଶ୍ବର: ଦିନକ ପରେ ଯାଇଥାନ୍ତେ ଝିଅ ଦେଖିବା ପାଇଁ। ବାହାଘର ନିମନ୍ତେ ମଧ୍ୟସ୍ଥି ତାରିଖ ଠିକ୍‌ କରିଥିଲେ। ପରିବାର ଲୋକେ ମଧ୍ୟ ପ୍ରସ୍ତୁତ ଥିଲେ। ହେଲେ ବିଧିର ବିଧାନ ଥିଲା ଆଉ କିଛି। ସମସ୍ତଙ୍କୁ ପର କରି ଚାଲିଗଲେ ଭିଙ୍ଗାରପୁର ଅଞ୍ଚଳର ସିଦ୍ଧି ସାହୁ। ତେବେ ଚିକିତ୍ସା ଅବହେଳା ଯୋଗୁଁ ସିଦ୍ଧିଙ୍କ ମୃତ୍ୟୁ ହୋଇଥିବା ତାଙ୍କର ବଡ଼ଭାଇ ବାବୁନା ଅଭିଯୋଗ କରିଛନ୍ତି। ତାଙ୍କର କୌଣସି ନିଶା ସେବନ କିମ୍ବା ରୋଗ ମଧ୍ୟ ନଥିଲା। ତାଙ୍କୁ ଇଞ୍ଜେକ୍ସନ୍ ଦେବାର ୧୦ ମିନିଟ୍‌ ପରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ଭିଙ୍ଗାରପୁର ଅଞ୍ଚଳର ସିଦ୍ଧି ସାହୁ ଗତକାଲି ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବାବେଳେ ବାଟରେ ତିନି ଥର ବାନ୍ତି ସହିତ ଥରେ ଝାଡ଼ା ହୋଇଥିଲା। ସେଠାରେ ସେ କିଛି ଖିରି ଖାଇଥିଲେ। ଝଡ଼ାବାନ୍ତି ଦେଖି ତାଙ୍କ ସହିତ ଥିବା ସାଙ୍ଗମାନେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ ଓ ସେଠାରେ ତାଙ୍କୁ ଆଶୁଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ଡାକ୍ତର ସିଦ୍ଧିଙ୍କୁ ଏକ ଇଞ୍ଜେକ୍ସନ୍‌ ଦେବାର କିଛି ସମୟରେ ପରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହଠାତ ମୃତ୍ୟୁ ହେବାକୁ ନେଇ ପରିବାର ଲୋକ ବିଶ୍ବାସ କରିପାରୁନାହାନ୍ତି। ଚିକିତ୍ସାରେ ତ୍ରୁଟି ଯୋଗୁଁ ତାଙ୍କର ଭାଇ ପ୍ରାଣ ହରାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୋମବାର ସନ୍ଧ୍ୟାରେ ବାଲିଅନ୍ତା ଥାନାରେ ବଡ଼ଭାଇ ଅଭିଯୋଗ କରିଛନ୍ତି।

ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ କହିଛନ୍ତି ଉକ୍ତ ଘଟଣାର ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ। ଯଦି କୌଣସି ତ୍ରୁଟି ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨ ଜଣ ଡାକ୍ତରଙ୍କ ଦ୍ବାରା ପୁଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ସହିତ ତଥ୍ୟ ପ୍ରମାଣ ଯେପରି ନଷ୍ଟ ନହେବ ସେଥିଲାଗି ବ୍ୟବଚ୍ଛେଦ ସମୟର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.