ଭୁବନେଶ୍ବରରେ ଡଙ୍ଗା ଭସାଣ ଉତ୍ସବ: ବାଲ୍ଟି ଓ ଟବ୍‌ ପାଲଟିଲା କୃତ୍ରିମ ପୋଖରୀ, ପାରମ୍ପରିକ ରୀତିନୀତିରେ ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ପାଇଁ କଟକଣା ଜାରି କରାଯାଇଥିବାରୁ ପୂର୍ବବର୍ଷ ଭଳି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିନାହିଁ। କାର୍ତ୍ତିକ ପୂର୍ଣ୍ଣିମାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ନଦୀ ଘାଟ ଓ ପୋଖରୀରେ ଗହଳି କରି ଗାଧୋଇବା ଓ ଡଙ୍ଗା ଭସାଇବାକୁ ବାରଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ମାନି ନେଇଥିଲେ ରାଜଧାନୀର ଭିଏସ୍‌ଏସ୍‌ନଗର ବାସିନ୍ଦା। ଅଭିନବ ଉପାୟରେ ଡଙ୍ଗା ଭସାଇବାକୁ ହୋଇଥିଲା ଯୋଜନା। ଘରେ ଥିବା ବାଲ୍ଟି ଓ ଟବ୍‌ରେ ପାଣି ଭର୍ତ୍ତି କରି ପାରମ୍ପରିକ ରୀତିନୀତିରେ ଡଙ୍ଗା ଭସାଇଥିଲେ ଅନେକ। ତୁଳସୀ ଚଉରା ନିକଟରେ ବାଲ୍ଟିରେ କୃତ୍ରିମ ପୋଖରୀ ତିଆରି କରି ସେଠାରେ ଧୂପ, ଦୀପ, ଚନ୍ଦନ, ଫୁଲ ଆଦି ଦେଇ ଡଙ୍ଗା ଭସାଇଥିଲେ। ରାଜଧାନୀ ବାସୀଙ୍କ ଏଭଳି ଉଦ୍ୟମକୁ ଅନେକ ପ୍ରଶଂସା କରିଛନ୍ତି।


ତେବେ କେତେକ ସ୍ଥାନରେ କିଛି ଅମାନିଆ ଲୋକେ ଡଙ୍ଗା ଭସାଣି କରିଥିବାର ସୂଚନା ମିଳିଛି। କରୋନା କଟକଣା ଯୋଗୁଁ ପ୍ରଭାବିତ ହୋଇଛି ବୋଇତ ବନ୍ଦାଣ। ରାଜଧାନୀ ଭୁବନେଶ୍ବର ଓ କଟକର ସମସ୍ତ ଜଳାଶୟ, ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଣି ଉପରେ କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ରାଜ୍ୟର କେତେକ ସ୍ଥାନରେ କଟକଣା ନମାନି ଲୋକେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି।

Comments are closed.