କରୋନା ଚିନ୍ତା – ବଢ଼ିବ ମୋବାଇଲ ପରୀକ୍ଷଣ ଟିମ୍‌

- ଫେରିଲେ ଆୟୁଷ ଡାକ୍ତର, କାର୍ଯ୍ୟକ୍ଷମ ହେଲା ୧୯୨୯ ନମ୍ବର

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଟିକାକରଣ କେନ୍ଦ୍ର ଅପେକ୍ଷା ପରୀକ୍ଷଣ କେନ୍ଦ୍ରରେ ଭିଡ଼ ହେଉଛି। ଦୈନିକ ୨୦୦୦ରୁ ଅଧିକ ପରୀକ୍ଷା କରାଯାଉଛି। ଏଥିରେ ଉଭୟ ଆଣ୍ଟିଜେନ ଏବଂ ଆରଟିପିସିଆର ପରୀକ୍ଷା କରାଯାଉଛି। ଯେଉଁଥିରେ ୫.୫୬ ପ୍ରତିଶତ ପଜିଟିଭ ଚିହ୍ନଟ ହେଉଛନ୍ତି। ଉଭୟ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ମାତ୍ର ଚିନ୍ତା ବଢ଼ାଉଛନ୍ତି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀ। ବିଶେଷକରି ମୁମ୍ବଇ, ପୁନେ ଏବଂ ଗୁଜରାଟରୁ ଆସୁଥିବା ଯାତ୍ରୀ ଅଧିକସଂଖ୍ୟାରେ ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏହି ଅଞ୍ଚଳରୁ ଆସୁଥିବା ଯାତ୍ରୀଙ୍କୁ ଗୁରୁତ୍ବ ଦିଆଯାଇ ପରୀକ୍ଷଣ କରାଯିବା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଉଛି।

ରାଜଧାନୀରେ ବର୍ତ୍ତମାନ ୩ଟି ମୋବାଇଲ ଟିମ୍‌ କାର୍ଯ୍ୟ କରୁଥିବା ବେଳେ ଆସନ୍ତାକାଲିଠୁ ଆଉ ଦୁଇଟି ଟିମ୍‌ ବୃଦ୍ଧି କରାଯିବ। ଯେଉଁମାନେ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବିଭିନ୍ନ ସହାରାଞ୍ଚଳ ହସ୍ପିଟାଲ ଯାଇ ନମୁନା ସଂଗ୍ରହ କରିବେ। ଏହାଛଡ଼ା ରାଜଧାନୀରେ ୩୮ଜଣ ଆୟୁଷ ଡାକ୍ତର କରୋନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଯେଉଁମାନେ ବିଭିନ୍ନ ଜୋନ୍‌ରେ କାର୍ଯ୍ୟ କରିବେ। ୩ଟି ଜୋନ୍‌ରେ ଏହି ଡାକ୍ତରଙ୍କୁ ନେଇ ୪ଟି ଲେଖାଏଁ ଟିମ୍‌ କରାଯାଇଛି। ଯେଉଁଥିରେ ଏମାନଙ୍କ ସହିତ କିଛି ପାରାମେଡିକ୍ସ କର୍ମଚାରୀ ମଧ୍ୟ ରହିଛନ୍ତି। ଏହି ଟିମ୍‌ କେବଳ ହୋମ୍‌ ଆଇସୋଲେସନ ଉପରେ ତଦାରଖ କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କରୋନା ପାଇଁ ଜାରି କରାଯାଇଥିବା ନମ୍ବର ୧୯୨୯ ନମ୍ବରକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି।

ଟିକାକରଣ କେନ୍ଦ୍ରରେ ଭିଡ଼ କମିଥିବା ବେଳେ ପରୀକ୍ଷଣ କେନ୍ଦ୍ରରେ ଭିଡ଼ ବଢୁଛି। ୩୩ଟି ଘରୋଇ ହସ୍ପିଟାଲ ସହିତ ୨୮ଟି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯାଉଛି। ପ୍ରତିଦିନ ଟିକାଦାନ ସଂଖ୍ୟା ୧୦,୦୦୦ ଅତିକ୍ରମ କରୁଛି। ବର୍ତ୍ତମାନ ସ୍ଥିତିରେ କରୋନା ନିୟମ ମାନିବା ସହିତ ୪୫ ବର୍ଷରୁ ଅଧିକ ବୟସର ଲୋକ ଟିକା ନେବାକୁ କହିଛନ୍ତି ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ।

Comments are closed.