ସେପ୍ଟେମ୍ବର ଆରମ୍ଭରୁ ସ୍ଥିତି ଭୟଙ୍କର; ୨ ଦିନରେ ୬ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ, ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ ପୂର୍ବାପେକ୍ଷା ଟେଷ୍ଟିଂ କମୁଛି; କିନ୍ତୁ ଦୈନିକ ସଂକ୍ରମଣ ବଢ଼ୁଛି। ଦୈନିକ ହାରାହାରି ୩ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା କମୁନାହିଁ। ସେପ୍ଟେମ୍ବର ମାସର ପ୍ରଥମ ଦୁଇ ଦିନରେ ୬୨୪୪ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ ୨୨ଜଣଙ୍କ ଜୀବନ ଗଲାଣି। ସେପଟେ ଖୋର୍ଦ୍ଧା ସ୍ଥିତି ସଙ୍ଗୀନ୍ ହେବାରେ ଲାଗିଛି। ଆଜି ଜିଲାରୁ ଏକାଥରକେ ୭୩୧ ପଜିଟିଭ୍ ବାହାରି ଥିବା ବେଳେ ଏଥିରୁ ଭୁବନେଶ୍ବରର ୫୪୧ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି ତାଲିକାରେ ଉପରକୁ
ଉଠୁଥିବା କଟକରୁ ଆଜି ୪୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ୟେଲୋ ଜୋନ୍‌ରେ ଥିବା ଦେବଗଡ଼ ଜିଲାରେ ୧୦୦ରୁ କମ୍ ସକ୍ରିୟ ସଂକ୍ରମିତ ଥିବାରୁ ଏହା ଗ୍ରୀନ୍ ଜୋନ୍‌କୁ ଆସିଛି। ତେବେ ଦୀର୍ଘଦିନ ଧରି ୟେଲୋ ଜୋନ୍‌ରେ ଥିବା ନୂଆପଡ଼ା ଜିଲା ଏବେ ରେଡ୍‌ ଜୋନ୍ ମୁହାଁ ହୋଇଛି। ସଂଧ୍ୟାସୁଦ୍ଧା ଜିଲାରେ ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦୦ ରହିଛି। ଅପରପକ୍ଷେ ଆଜି ଆଉ ୧୧ ସଂକ୍ରମିତ ପ୍ରାଣ ହରାଇବା ପରେ ମୃତ୍ୟୁ ସଂଖ୍ୟା ୫୧୪ରେ ପହଞ୍ଚିଛି। ସଂକ୍ରମିତ ତାଲିକାରେ ପ୍ରଥମ ସ୍ଥାନରେ ଥିବା ଗଞ୍ଜାମରେ ଏଯାଏଁ ୧୮,୨୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୫୯ ହେଲାଣି।
ଗତ ୨୪ ଘଣ୍ଟାରେ ୫୧,୨୪୫ ନମୁନା ପରୀକ୍ଷା ହୋଇଥିବା ବେଳେ ୨୯ ଜିଲାରୁ ୩୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯୩୧ କ୍ବାରେଣ୍ଟାଇନ୍‌ରେ ଥିଲେ ଓ ୧୨୮୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଓ କଟକ ପରେ ଆଜି ପୁରୀରୁ ୨୧୭, ବାଲେଶ୍ବରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, ମୟୂରଭଞ୍ଜରୁ ୧୩୭, ଯାଜପୁରରୁ ୧୧୭, କେନ୍ଦୁଝରରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ କୋରାପୁଟରୁ ୯୦, ଭଦ୍ରକରୁ ୮୭, ସମ୍ବଲପୁରରୁ ୭୮, ଅନୁଗୋଳରୁ ୬୬, ନୟାଗଡ଼ରୁ ୬୨, ସୁନ୍ଦରଗଡ଼, ଜଗତସିଂହପୁର ଓ ଝାରସୁଗୁଡ଼ାରୁ ୬୦ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫୭, ନବରଙ୍ଗପୁରରୁ ୫୫, ନୂଆପଡ଼ାରୁ ୪୯, କଳାହାଣ୍ଡି ଓ ଢେଙ୍କାନାଳରୁ ୩୭ ଲେଖାଏଁ, ବୌଦ୍ଧରୁ ୩୬, କନ୍ଧମାଳରୁ ୩୨, ଗଜପତିରୁ ୨୭, ସୋନପୁରରୁ ୨୬, ରାୟଗଡ଼ାରୁ ୨୫, ମାଲକାନଗିରିରୁ ୧୩, ବଲାଙ୍ଗିରରୁ ୧୦ ଆକ୍ରାନ୍ତ ଠାବ ହୋଇଛନ୍ତି। ଅପରପକ୍ଷେ ଆଜି ସକାଳ ସୁଦ୍ଧା ଗଞ୍ଜାମରୁ ୩, ଭୁବନେଶ୍ବରରୁ ୨, ଜଗତସିଂହପୁର, ପୁରୀ, ରାୟଗଡ଼ା, ଭଦ୍ରକ, ସମ୍ବଲପୁର ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୮୦ରେ ପହଞ୍ଚିଛି।

ଅନ୍ୟପକ୍ଷରେ ବୁଧବାର ରାଜ୍ୟରେ ଆଉ ୩୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ୮୪,୦୭୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। କଟକରୁ ସର୍ବାଧିକ ୬୫୦, ଖୋର୍ଦ୍ଧାରୁ ୪୯୩ ଓ ଯାଜପୁର ଜିଲାରୁ ୨୧୩ ଜଣ ସମେତ ମୋଟ ୨୬ଟି ଜିଲାରୁ ୩୩୦୩ ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ଦିଆଯାଇଛି।

Comments are closed.