ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସରେ ଇ-କ୍ୟାମ୍ପେନ ରୋଜଗାର ଦିଅ

ଭୁବନେଶ୍ୱର: କ୍ରାନ୍ତି ଦିବସ ଅବସରରେ ଭାରତୀୟ ଯୁବ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଯୁବ କଂଗ୍ରେସର ପତାକା ଉତୋଳନ କରିବା ସହ ମିଷ୍ଟନ୍ନ ବଣ୍ଟନ କରିଥିଲେ। ପରେ ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଆଜିର ଦିନରେ ଆରମ୍ଭ ହୋଇଥିବା ଇ- କ୍ୟାମ୍ପେନ ‘ରୋଜଗାର ଦିଅ’ ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖି ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିରୋଧରେ ସ୍ଲୋଗାନ ଦିଆଯାଇ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।

ଭାରତୀୟ ଜନତା ପାର୍ଟି ସରକାରଙ୍କ ଦିଗହୀନ ଅର୍ଥନୀତି ଯୋଗୁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ସହ ରାଷ୍ଟ୍ରର ଯୁବପିଢି ନିଜର ନିଯୁକ୍ତି ହରାଇବାକୁ ବସିଲେଣି। ପରିସ୍ଥିତି ଏଭଳି ହୋଇଛି ଯେ ଦେଶର ବେରୋଜଗାରୀ ହାର ୪୫ ବର୍ଷର ରେକର୍ଡ ଭଙ୍ଗ କରିସାରିଛି। କୋଭିଡ-୧୯ ମହାମାରୀ କାରଣରୁ ପାଖାପାଖି ଦେଶର ୧୨ କୋଟି ଯୁବକ ନିଯୁକ୍ତି ହରାଇସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ବର୍ଷକୁ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ଯୁବକ ଯୁବତୀମାନଙ୍କୁ ପ୍ରତାରଣା ଦେଇଛନ୍ତି। ସମାନ ଭାବରେ ବର୍ଷକୁ ୧ଲକ୍ଷ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବା ରାଜ୍ୟ ବିଜେଡି ସରକାର ମଧ୍ୟ ଓଡ଼ିଶାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୁନଶ୍ଚ ବିଭିନ୍ନସରକାରୀ ସଂସ୍ଥାଗୁଡ଼ିକ ଘରୋଇକରଣ କରି ଦେଶର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଆଜିର ‘ରୋଜଗାର ଦିଅ’ ଇ କ୍ୟାମ୍ପେନ ଜରିଆରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟର ସମସ୍ତ ବିଧାନସଭା ଓ ଜିଲ୍ଲାସ୍ତରରେ ବହୁ ଯୁବ କଂଗ୍ରେସ କାର୍ଯ୍ୟକର୍ତାଙ୍କ ସହ ସାଧାରଣ ଯୁବକ ଯୁବତୀମାନେ ମଧ୍ୟ ଯୋଡ଼ିହୋଇ ସରକାରଙ୍କ ନିକଟରେ ଭାଷଣ ନୁହେଁ, ବରଂ ରୋଜଗାର ଦେବାକୁ ଦାବି ଜଣାଇଛନ୍ତି।

ଆଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଭଳି ଯୁବ ମାରଣ ନୀତି ବିରୋଧରେ ଦୃଢ ଆନ୍ଦୋଳନ କରାଯିବାନେଇ ଶ୍ରୀ ଲେଙ୍କା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି। ସର୍ବ ଭାରତୀୟ ସ୍ତରରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ବି.ଭି. ଶ୍ରୀନିବାସନ ଓ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟି ଯୁଗ୍ମ ସମ୍ପାଦକ କ୍ରିଷ୍ଣା ଆଲାଭାରୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟଠାରେ ଆଜିର ଇ-କ୍ୟାମ୍ପେନକୁ ବିଧିବଧ ଭାବେ ଘୋଷଣା କରିଥିଲେ।

ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟଠାରେ ପାଳିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ପାତ୍ର, ନଳିନୀକାନ୍ତ ନାୟକ, ମହ୧ଦ ଅଲିମ, ଶଙ୍କୁନା କଅଁର, ସ୍ୱାଗତ କର, ବିଶ୍ୱରଞ୍ଜନ ଦାସ, ଆଶୁତୋଷ ଲେଙ୍କା, ସୌମ୍ୟ ମିଶ୍ର, ବିପ୍ଲବ ପରିଡ଼ା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ଦାସ, ଅଖିଳେଶ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.