ଦାରିଦ୍ର୍ୟ ଆଗରେ ବଳି ପଡ଼ିଛି ମାତୃତ୍ବ : ୧୯ଦିନର ଶିଶୁକୁ ବିକିଲା ମାଆ

ଭୁବନେଶ୍ୱର : ଦାରିଦ୍ର୍ୟ ଆଗରେ ବଳି ପଡ଼ିଛି ମାତୃତ୍ବ। ଅଭାବ ଅନଟନ ଯୋଗୁଁ ୧୯ଦିନର ଶିଶୁପୁତ୍ରକୁ ମାଆ ଦେଢ଼ ଲକ୍ଷ ଟଙ୍କାରେ ବିକି ଦେଇଥିବା ଅଭିଯୋଗ ହୋଇଛି। ନିଜ ପିଲାକୁ ପୋଷିବାକୁ ଅକ୍ଷମ ହେବାରୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛି। ଏଥିପାଇଁ ବାପା ମାଆ ଶିଶୁପୁତ୍ରକୁ ଦେଇ ୧୦,୦୦୦ ଟଙ୍କା ନେଇଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ହୋଇଛି। ଏନେଇ ଚାଇଲ୍ଡ ଲାଇନରେ ଅଭିଯୋଗ ହେବାପରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ପିଲା ବିକ୍ରି ଘଟଣାରେ ହୋଇଥିବା କାଗଜପତ୍ରରେ ମଧ୍ୟସ୍ଥତା ସାଜିଥିବା ମାନସ, ଆଶାକର୍ମୀ ନଳିନୀ ସାହୁ ଓ ଅଙ୍ଗନବାଡ଼ି କର୍ମୀଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା। ଏହାପରେ ଚାଇଲ୍ଡ ଲାଇନ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା। ପିଲା ବିକ୍ରି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହି ଘଟଣାରେ ଖଣ୍ଡଗିରି ପୁଲିସ ଶିଶୁପୁତ୍ରର ମାଆ ଓ ବାପାଙ୍କ ସମେତ ମଧ୍ୟସ୍ଥିକୁ ଅଟକ ରଖି ପଚରା ଉଚରା କରିଥିଲା।
ଅନ୍ୟପକ୍ଷରେ ଶିଶୁପୁତ୍ରର ବାପା ପିଲା ବିକ୍ରିକୁ ଖଣ୍ଡନ କରିବା ସହ ପୁଲିସକୁ ପିଲା ଖୋଜି ବାହାର କରିବାରେ ଅସହଯୋଗ କରିବା ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଦୁଇଟି ଟିମ୍‍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଶିଶୁପୁତ୍ରକୁ ଉଦ୍ଧାର କରିବା ପାଇଁ ପୁଲିସ ଦିନ ତମାମ ଲାଗି ପଡ଼ିଥିଲା। ରାତି ପ୍ରାୟ ୮ଟା ସମୟରେ ପୁଲିସ ମଞ୍ଚେଶ୍ୱର ଥାନା ଅଧୀନ ରଙ୍ଗମାଟିଆ ଅଞ୍ଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ପିଲା ରଖିଥିବା ପ୍ରଶାନ୍ତ ଗୋଚ୍ଛାୟତକୁ ଧରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ମଧ୍ୟସ୍ଥ ସାଜିଥିବା ମାନସକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଉଦ୍ଧାର ଶିଶୁପୁତ୍ରକୁ ପୁଲିସ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ଶିଶୁପୁତ୍ରର ଅବସ୍ଥା ଭଲ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ା ଶିଶୁପୁତ୍ର ବିକ୍ରି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି ।
ଗଞ୍ଜାମ ଜିଲାର ଦମ୍ପତି ଖଣ୍ଡଗିରି ଥାନା ଭରତପୁରର ଏକ ବସ୍ତିରେ ଦୀର୍ଘ ୧୫ବର୍ଷ ଧରି ରହୁଛନ୍ତି। ଯୁବକ ଜଣଙ୍କ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ଦୁଇ ପତ୍ନୀ ଅଛନ୍ତି। ପ୍ରଥମ ପତ୍ନୀର ୫ଟି ଶିଶୁପୁତ୍ର ଥିବା ବେଳେ ଦ୍ବିତୀୟ ପତ୍ନୀର ୨ଟି ସନ୍ତାନ ରହିଛି। ଦାରିଦ୍ର୍ୟ ଯୋଗୁଁ ଅନେକ ସମୟରେ ପରିବାର ମଧ୍ୟରେ ଝଗଡ଼ା ଓ ଅଶାନ୍ତି ଲାଗି ରହୁଥିଲା। ଶେଷରେ ଯୁବକଙ୍କ ପ୍ରଥମ ପତ୍ନୀ ୧୯ଦିନର ଶିଶୁପୁତ୍ରକୁ ବିକିବା ଲାଗି ମନସ୍ଥ କରିଥିଲେ। ଶିଶୁପୁତ୍ରକୁ ବିକିବା ଲାଗି ଦେଢ଼ ଲକ୍ଷ ଟଙ୍କା ସ୍ଥିର ହୋଇଥିଲା। ଆଶାକର୍ମୀ ଓ ଅନ୍ୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଚୁକ୍ତିପତ୍ର ବଳରେ ଶିଶୁପୁତ୍ରକୁ ବିକି ଦେଇ ତାଙ୍କଠାରୁ ଅଗ୍ରୀମ ୧୦ ହଜାର ନେଇଥିଲେ। ଅବଶିଷ୍ଟ ଟଙ୍କା ପରେ ଦେବାକୁ ମଧ୍ୟସ୍ଥଙ୍କ ଉପସ୍ଥିତିରେ ସ୍ଥିର ହୋଇଥିଲା। ଘଟଣା ବସ୍ତିର କିଛି ଯୁବକ ଜାଣିବା ପରେ ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଶିଶୁର ମାଆ ଅଭାବ ଯୋଗୁଁ ପିଲାକୁ ବିକି ଦେଇଥିବା କହିଥିବାବେଳେ କିଣିଥିବା ଯୁବକଙ୍କୁ ଚିହ୍ନି ନଥିବା ଓ ତାଙ୍କର ଫୋନ୍‍ ନମ୍ବର ରଖିଥିବା କହିଥିଲେ। ପୁଲିସ ଉକ୍ତ ନମ୍ବର ଆଧାରରେ ଶିଶୁପୁତ୍ର ପାଖରେ ପହଞ୍ଚିଥିଲା।

Comments are closed.