‌‌ଷ୍ଟେଟ୍‌ ରେଫରାଲ ଲାବ୍‌କୁ ସବୁଜ ସଙ୍କେତ

ଭୁବନେଶ୍ବର: ଏଣିକି କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜିରେ ପରୀକ୍ଷା ପାଇଁ ରୋଗୀଙ୍କୁ ହଟହଟା ହେବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ଏଠାରେ ରାଜ୍ୟର ସବୁଠୁ ବଡ଼ ଏବଂ ଅତ୍ୟାଧୁନିକ ରେଫରାଲ ଲାବୋ​‌​‌ରେଟୋରୀ କରାଯିବ। ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲର ନମୁନା ଏଠାରେ ପରୀକ୍ଷା କରାଯିବ। ଯଦିଓ ଏନେଇ ପୂର୍ବରୁ ବୈଠକ ହୋଇଥିଲା କିନ୍ତୁ ଆଜି ବିଧିବଦ୍ଧ ଭାବେ ସ୍ବାସ୍ଥ୍ୟ ସଚିବ ଡା. ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି।

ଏଠାରେ ଲାବ୍‌ ନେଇ ସ୍ଥାନ ଚିହ୍ନଟ ହୋଇଥିବାବେଳେ ପୁରୁଣା ପାଥୋଲୋଜି ବା ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଏହି ବିଲ୍ଡିଂ ନିର୍ମାଣ କରାଯିବ। ଆର୍‌ ଆଣ୍ଡ ବି ଏବଂ ପିଡବ୍ଲ୍ୟୁଡି ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ବିଲ୍ଡିଂର ନକ୍ସା ପ୍ରସ୍ତୁତ କରାଯିବା ପରେ ସରକାରଙ୍କୁ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ୨୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାର୍ଯ୍ୟ ଆରମ୍ଭ ହେବା ପରେ ବ୍ୟୟବରାଦ ବଢ଼ିପାରେ ବୋଲି ସୂଚନା ଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠାରେ ଜି-୫ ଅର୍ଥାତ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ ପାଞ୍ଚ ମହଲା କୋଠା ନିର୍ମାଣ କରାଯିବ। ଆର୍‌ଏମ୍‌ଆରସି ଶୈଳୀରେ ଏଠାରେ ଅତ୍ୟାଧୁନିକ ପରୀକ୍ଷା ନିରୀକ୍ଷା କରାଯିବ। ସବୁ ଶ୍ରେଣୀର ରୋଗୀ ଏଥିରେ ସୁବିଧା ପାଇବେ। ଘରୋଇ ହସ୍ପିଟାଲ ବା ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ। ଅଭ୍ୟର୍ଥନା କକ୍ଷରୁ ଆରମ୍ଭ କରି କର୍ମଶାଳା ଓ ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଏଠାରେ କରାଯିବ।

କୋଠା ନିର୍ମାଣ ପରେ ମାନବ ସମ୍ବଳ ଏବଂ ସରଞ୍ଜାମ ବିଷୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ଆଜିର ବୈଠକରେ ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡା. ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନିରଞ୍ଜନ ମିଶ୍ର, ଏନ୍‌ଏଚ୍‌ଏମ୍‌ ନିର୍ଦେଶିକା ଶାଳିନୀ ପଣ୍ଡିତ, ଡିଏମ୍‌ଇଟିଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.