ଭୁବନେଶ୍ବରରେ କମୁଛି ସଂକ୍ରମଣ, ପୂଜା ଋତୁ ପାଇଁ ଅଧିକ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ କମୁଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଦୁଇଟି କୋଭିଡ୍‌ କେୟାର୍‌ ସେଣ୍ଟର ବନ୍ଦ କରାଯାଇଛି। ଜାମୁଝରି ଓ ଜଟଣୀରେ ଥିବା ଦୁଇଟି ସିସିସିର ୭୫୦ ବେଡ୍‌ ବନ୍ଦ କରାଯାଇଛି। ଆଗକୁ ପୂଜା ଋତୁ ଆସୁଥିବାରୁ କରୋନା ସଂକ୍ରମଣ ନେଇ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।
ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧୁରୀ କହିଛନ୍ତି କହିଛନ୍ତି ଯେ ପାର୍ବଣ ଋତୁରେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। ଦୁର୍ଗାପୂଜା ସମୟରେ ମହାଷଷ୍ଠୀ ଓ ମହାସପ୍ତମୀ ତିଥିରେ ବଜାରରେ ବହୁତ ଭିଡ ରହୁଥିବାରୁ ବାହାରକୁ ଯିବା ପୂର୍ବରୁ ସତର୍କ ରହିବାକୁ ହେବ। ଅର୍ଥାତ ଏହି ସମୟରେ ସପିଂ କମ କରିବାକୁ ପଡ଼ିବ।
ଶ୍ରୀ ଚୌଧୁରୀ ଉଦାହରଣ ଦେଇ କହିଛନ୍ତି ଯେ କେରଳରେ ବିଗତ ଦିନରେ କରୋନା ସଂକ୍ରମଣ କମିଥିଲା। କିନ୍ତୁ ଓନାମ ପର୍ବ ସମୟରେ ଲୋକେ ଏକତ୍ର ହେବା ପରେ ଏହା ପୁଣି ଥରେ ବଢ଼ିଥିଲା। ସେହିପରି ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ଏକଦା କରୋନା କମିଥିଲା। କିନ୍ତୁ ଏବେ ପୁଣି ବଢ଼ିଛି। ପାର୍ବଣ ଋତୁ ସମୟରେ ଆମକୁ ସତର୍କ ରହିବାକୁ ହେବ। ବିଏମସି, ବିଡିଏକୁ ନେଇ ଆମର ବୈଠକ ହେଉଛି। ପୂଜା କମିଟିମାନଙ୍କ ସହିତ କଥା ଚାଲିଛି। ଲୋକଙ୍କୁ ସତର୍କ କରାଯାଉଛି। ଲୋକେ ଘରେ ପୂଜା କରନ୍ତୁ ବୋଲି ବିଏମ୍‌ସି କମିସନର ପ୍ରକାଶ କରିଛନ୍ତି।
ତେବେ କୋଭିଡ୍‌-୧୯ ନିୟମ ଉଲ୍ଲଙ୍ଘନ କରୁଥିବା ଦୋକାନୀ, ସପିଂ ମଲ୍‌ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାଙ୍ଗକୁ ଆବଶ୍ୟକସ୍ଥଳେ ସିଲ୍‌ କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

Comments are closed.