ଓଡ଼ିଶାରେ ସ୍ବାସ୍ଥ୍ୟ ସେବାକୁ ସୁଗମ ଲକ୍ଷ୍ୟ ନେଇ ଭୁବନେଶ୍ବର ଏମ୍‌ସ ପାଇଁ ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ

ଭୁବନେଶ୍ବର ଏମ୍‌ସରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ହେଉଛି ୯୬ତମ ଜନ୍ମଜୟନ୍ତୀ। ୧୯୨୪ ମସିହା ଡିସେମ୍ବର ୨୫ ତାରିଖ ଗ୍ବାଲିୟରର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ । ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱ ଓ ବାଣୀ ଏପରି ଥିଲା, ଯେ ଖାଲି ସମର୍ଥକ ନୁହେଁ ବରଂ ବିରୋଧି ମଧ୍ୟ ତାଳି ମାରିବାକୁ ପଛଘୁଞ୍ଚା ଦେଉନଥିଲେ।


ତାଙ୍କର ପ୍ରଧାନମନ୍ତ୍ରୀତ୍ବ କାଳରେ ଅଟଳ ବିହାରୀ ବାଜପେୟୀ ଦେଶର ବିକାଶ ପାଇଁ ବହୁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ତେବେ ଓଡ଼ିଶାର ବିକାଶ ପାଇଁ ଅଟଳଜୀ ନେଇଥିବା କେତେକ ପଦକ୍ଷେପ ପାଇଁ ସମଗ୍ର ଓଡ଼ିଶା ତାଙ୍କୁ ସର୍ବଦା ମନେରଖିବେ। ସେଥିମଧ୍ୟରୁ ଓଡ଼ିଶାର ଭୁବନେଶ୍ବରରେ ପ୍ରତିଷ୍ଠା ହୋଇଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) ଅନ୍ୟତମ। ଓଡ଼ିଶାରେ ଏମ୍‌ସ ସ୍ଥାପନ ପାଇଁ ଅଟଳଜୀଙ୍କ ପାଖରେ କେହି ଦାବିପତ୍ର ନେଇ ଯାଇନଥିଲେ କିନ୍ତୁ ଓଡ଼ିଶାରେ ସ୍ବାସ୍ଥ୍ୟ ସେବାକୁ ସୁଗମ କରିବା ଉଦେଶ୍ୟରେ ଭୁବନେଶ୍ବରରେ ଏମ୍‌ସ ପାଇଁ ଘୋଷଣା କରିଥିଲେ। ବାଜପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଦେଶରେ ଯେଉଁ ଛଅଟି ନୂଆ ଏମ୍‌ସ ସ୍ଥାପନ କରିବାର ନିଷ୍ପତ୍ତି ନେଇଥିଲେ ସେଥିରେ ଭୁବନେଶ୍ୱରରେ ଏମ୍‌ସ ସ୍ଥାନ ପାଇଥିଲା। ୨୦୦୩ ଜୁଲାଇ ୧୫ ତାରିଖରେ ସେ ଭୁବନେଶ୍ୱରରେ ଏମ୍‌ସର ଶିଳାନ୍ୟାସ କରିଥିଲେ ଅଟଳ ବିହାରୀ ବାଜପେୟୀ। ଦିଲ୍ଲୀ ପରେ ଦେଶରେ ପ୍ରଥମ ଏମ୍‌ସ ଆମ ରାଜ୍ୟରେ ପ୍ରତିଷ୍ଠା ପାଇଁ ଅଟଳଜୀଙ୍କ ନିଷ୍ପତ୍ତି ଓଡ଼ିଶା ପାଇଁ ତାଙ୍କ ଭଲ ପାଇବାର ପ୍ରମାଣ।


ଆଜି କୋଭିଡ୍‌ ନିୟମାନୁସାରେ ଭୁବନେଶ୍ବର ଏମ୍‌ସ କ୍ୟାମ୍ପସରେ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଏମ୍‌ସ ନିର୍ଦେଶକ ଡା.ଗୀତାଞ୍ଜଳି ବାତ୍ମାବାନେ, ମେଡ଼ିକାଲ୍‌ ସୁପରିଟେଣ୍ଡେଣ୍ଟ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଉପନିର୍ଦେଶକ(ପ୍ରଶାସନ) ପ୍ରଦୀପ କୁମାର ରାୟ ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ। ଆଡିସ୍‌ନାଲ୍‌ ମେଡ଼ିକାଲ୍‌ ସୁପରିଟେଣ୍ଡେଣ୍ଟ ଡା.ପ୍ରଭାସ ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନାକ କରିଥିଲେ।

Comments are closed.