ଶ୍ରେଷ୍ଠ ୨୦ ମେଡିକାଲ କଲେଜରେ ଭୁବନେଶ୍ୱର ଏମ୍ସ

ଉଦୀୟମାନ କଲେଜ ମଧ୍ୟରେ ୨ୟ ଶ୍ରେଷ୍ଠ

ଭୁବନେଶ୍ୱର : ଦେଶର ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଭୁବନେଶ୍ୱର ଏମ୍ସ । ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ୨୦ତମ ସ୍ଥାନ ମିଳିଛି। ଗତବର୍ଷ ଏମ୍ସ ଏହି ତାଲିକାରେ ୨୫ ତମ ସ୍ଥାନରେ ଥିଲା।
‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ଣ୍ଣାନ୍ସ’, ‘ଏକାଡେମିକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଭଳି ପାଞ୍ଚଟି ମାନକକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ସର୍ଭେ ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି। ରୋଗୀ ସେବା ପ୍ରତି ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା ଏବଂ ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରି ମାନ୍ୟତା ହାସଲ କରିଛି। ଏହି ସର୍ଭେରେ ଏମ୍ସ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି।
ସେହିଭଳି ୨୦୦୦ ମସିହା କିମ୍ବା ପରେ ସ୍ଥାପିତ ଶ୍ରେଷ୍ଠ ୧୦ଟି ଉଦୀୟମାନ /ସର୍ବାଧିକ ସ୍କୋରିଂ କଲେଜ ମଧ୍ୟରେ ଏମ୍ସ, ଭୁବନେଶ୍ୱରକୁ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା ମିଳିଛି। ଏଥିସହିତ ଏହି ସର୍ଭେ‌େ‌ର ଏମ୍ସ ଭୁବନେଶ୍ୱର ସର୍ବନିମ୍ନ ଦେୟ ନେଉଥିବା ସରକାରୀ ମେଡିକାଲ କଲେଜଗୁଡିକ ମଧ୍ୟରେ ଚତୁର୍ଥରେ ରହିଛି। ଏମ୍ସ ଭୁବନେଶ୍ୱର ନିର୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏଭଳି ସଫଳତାରେ ଖୁସିବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହିତ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଭୁବନେଶ୍ୱର ଏମ୍ସ ପ୍ରତିବଦ୍ଧ। ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହା ବର୍ତ୍ତମାନ ଦେଶରେ ବିଶ୍ୱାସର ପ୍ରତୀକ ପାଲଟିଛି ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି। ମେଡିକାଲ ଅଧୀକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି, ଡିନ ଡା. ଦେବାଶିଷ ହୋତା, ରେଜିଷ୍ଟ୍ରାର ବି .ବି ମିଶ୍ର ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.