କଳାପଲସରରେ ଆସି ପୁଲିସକୁ ଲୁଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ଦିନ ଦ୍ବିପ୍ରହରରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଏକ କଳାପଲସରରେ ଆସି ଲୋକଙ୍କ ସାମ୍ନାରେ ଓଏସ୍‌ଏପି ୭ମ ବାଟାଲିଅନରେ ସିପାହୀ ଭାବେ କାର୍ଯ୍ୟରତ ପ୍ରଦୀପ ଗଡ଼ନାୟକଙ୍କଠାରୁ ଦୁଇ ଲକ୍ଷ ଟଙ୍କା ଲୁଟି ଫେରାର୍‌ ହୋଇଯାଇଛନ୍ତି। ସେ ଏସ୍‌ବିଆଇ ଟ୍ରେଜେରି ଶାଖାରୁ ଟଙ୍କା ଉଠାଇ ବାଟାଲିଅନ ଫେରୁଥିବାବେଳେ ରେଡକ୍ରସ୍‌ ଛକରେ ଦୁଇଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିଲେ। ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଜବତ କରି ତଦନ୍ତ ଚାଲିଥିବା ପୁଲିସ କହିଛି।

ସୂଚନା ଅନୁସାରେ, ପ୍ରଦୀପ ଘରକାମ ପାଇଁ ଦିନ ୧୨ଟାରେ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ ଯୋଗେ ଓଏସ୍‌ଏପି ୭ତମ ବାଟାଲିଅନକୁ ଫେରୁଥିଲେ। ରେଡକ୍ରସ୍‌ ଛକରେ ପହଞ୍ଚିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ଏକ କଳାପଲସରରେ ତାଙ୍କ ପଛପଟୁ ଧକ୍କା ଦେଇଥିଲେ। ସେ ଘଟଣାସ୍ଥଳରେ ପଡ଼ିଯିବାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଥିଲେ। ଏନେଇ ସେ ଖାରବେଳ ନଗର ଥାନାରେ ମାମଲା ରୁଜୁ କରିଛନ୍ତି। ଲୋକଙ୍କ ସାମ୍ନାରୁ ଜଣେ ପୁଲିସଠାରୁ ଲୁଟ୍‌ ହେବା ଘଟଣାକୁ ସାଧାରଣ ଜନତା ସହଜରେ ଗ୍ରହଣ କରିପାରୁନାହାନ୍ତି। କମିସନରେଟ ପୁଲିସକୁ ଲୁଟିଆଙ୍କ ଖାତିର ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Comments are closed.