ବାଂଲାଦେଶୀ ଯୁବତୀଙ୍କୁ ଡର କାହିଁକି ?

ଭୁବନେଶ୍ବର : ରାଜଧାନୀରେ ଅନୈତିକ କାରବାରରେ ଲିପ୍ତ ବାଂଲାଦେଶୀ ଯୁବତୀଙ୍କୁ ଏସ୍‌ଟିଏଫ୍ ଉଦ୍ଧାର କରି ସ୍ବଧାର ଗୃହରେ ରଖିଛି। ବେଆଇନଭାବେ ରାଜଧାନୀକୁ ଆସି ଏଭଳି ଅନୈତିକ କାର୍ଯ୍ୟ କରୁଥିବା ଯୁବତୀମାନେ ପୀଡ଼ିତା ବୋଲି କହି ଏସ୍‌ଟିଏଫ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଆଦୌ ଚାହଁୁନାହିଁ। ସେମାନଙ୍କ ପ୍ରତି ଏସ୍‌ଟିଏଫ୍‌ର ଗୋଟିଏ ପଟେ ସହାନୁଭୂତି ପ୍ରଦର୍ଶନ କରୁଥିବା ବେଳେ ଅନ୍ୟପକ୍ଷରେ ସେମାନଙ୍କ ବେଆଇନ କାର୍ଯ୍ୟକୁ ଉପେକ୍ଷା କରୁଛି ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏସ୍‌ଟିଏଫର ଏଭଳି ପଦକ୍ଷେପ ଆଗାମୀ ଦିନରେ ରାଜଧାନୀରେ ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି।

ନିକଟରେ ଲକ୍ଷ୍ମୀସାଗର ପୁଲିସ ଜଣେ ବାଂଲାଦେଶୀ ଯୁବତୀଙ୍କୁ ଗିରଫ କରିଥିଲା। ଯୁବତୀ ଜଣକ ନିଜକୁ ଜଣେ ଦେହଜୀବୀ ବୋଲି ଉଲ୍ଲେଖ କରି ହୋଟେଲ୍‌ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ହୋଟେଲ୍‌ କର୍ମଚାରୀଙ୍କୁ ପୁଲିସ ଗିରଫ କରି ଯୁବତୀଙ୍କୁ ଏକ ସଟ୍‌ଷ୍ଟେ ହୋମ୍‌ରେ ରଖିଥିଲା। ତେବେ ଯୁବତୀ ଜଣକ ନିଜର ଠିକଣା ଦେଇ ନ ପାରିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ତାଙ୍କ ଆଧାରକାର୍ଡ଼ରୁ ପରିଚୟ ଖୋଜିବା ବେଳେ ସେ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା।  ବେଆଇନଭାବେ ଦେଶକୁ ଆସିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତାଙ୍କୁ ଗିରଫ କରାଯାଇଥିଲା। ତେବେ ଯୁବତୀଙ୍କ ବାପା ଖୋଜାଖୋଜି କରି ଆସି ଏଠାରେ ପହଞ୍ଚିଥିଲେ।

ରାଜଧାନୀକୁ ବିଦେଶିନୀ ଆସି ଅନୈତିକ କାର୍ଯ୍ୟରେ ଲିପ୍ତ ହେବା ନୂଆ ଘଟଣା ନୁହେଁ। କିର୍ଗିଜସ୍ଥାନ, ଥାଇଲାଣ୍ଡରୁ ଯୁବତୀ ଆସି ଧରାପଡ଼ିଛନ୍ତି। ହେଲେ ସେମାନେ ପର୍ଯ୍ୟଟନ ଭିସାରେ ଆସି ଏଭଳି ଅନୈତିକ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ପୁଲିସ ସେମାନଙ୍କ ଦେଶର ଦୂତାବାସ ସହ ଯୋଗାଯୋଗ କରି ହସ୍ତାନ୍ତର କରିଛି। ନଚେତ୍‌ ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଥିଲା। ଥାଇଲାଣ୍ଡରୁ ଆସିଥିବା ୮ ଜଣ ଯୁବତୀଙ୍କୁ ଦେଶ ଛାଡ଼ି ଯିବାକୁ ୪୮ ଘଣ୍ଟା ସମୟ ଦିଆଯାଇଥିଲା।

ଠାବ ହୋଇଥିବା ବାଂଲାଦେଶୀ ଯୁବତୀମାନେ ପୀଡ଼ିତା ବୋଲି ଏସ୍‌ଟିଏଫ୍‌ କିପରି ଜାଣିବାକୁ ପାଇଲା ବୋଲି ପ୍ରଶ୍ନ ଉଠୁଛି। ଯୁବତୀଙ୍କୁ ବଳପୂର୍ବକ ଆଣି ଏଠାରେ ଅନୈତିକ କାର୍ଯ୍ୟ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ କି ? ଅନ୍ୟପକ୍ଷରେ ଏସ୍‌ଟିଏଫ୍ ଦଲାଲ ଦମ୍ପତି ସେକ୍‌ ଇବ୍ରାହିମ୍‌ ଓ ରୁକସାନା ବେଗମକୁ ପିପିଲିରୁ ଗିରଫ କରିବା ପରେ ସେମାନଙ୍କ ବୟାନକୁ ଆଧାର କରି ରଥରୋଡ଼ର ଏକ ଭଡ଼ା ଘରୁ ବାଂଲାଦେଶୀ ଯୁବତୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଜାଲ୍‌ ପରିଚୟପତ୍ର ଜବତ କରାଯାଇଛି। ବେଆଇନ ଭାବେ ଆସି ଏଠାରେ ଅନୈତିକ କାର୍ଯ୍ୟ କରୁଥିବା ଯୁବତୀଙ୍କୁ ପୀଡ଼ିତା ବୋଲି ଉତ୍‌ଥାପନ କରାଯିବା କେତେ ଗ୍ରହଣୀୟ ବୋଲି ଜଣେ ଆଇନଜୀବୀ କହିଛନ୍ତି।  କେନ୍ଦ୍ର ସରକାର ସିଏଏ ଏବଂ ଏନ୍‌ଆର୍‌ସିକୁ ଦୃୃଢ଼ ଭାବେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବାରୁ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ରାଜରାସ୍ତାକୁ ଓହ୍ଲାଇଛନ୍ତି। ତେବେ ଏକ ସଙ୍ଗରେ ୬ଜଣ ଯୁବତୀଙ୍କୁ ଗିରଫ କଲେ କାଳେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ଏହାକୁ ନେଇ ରାଜନୀତି ସରଗରମ ହେବ ତେଣୁ ଏସ୍‌ଟିଏଫ୍‌ କାଦୁଅକୁ ନ ଯାଇ ବାଂଲାଦେଶୀ ଯୁବତୀଙ୍କୁ ପୀଡ଼ିତା ବୋଲି କହି ଏହାକୁ ଏଡ଼ାଇ ଯିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Comments are closed.