ପ୍ରୟାସର ସମୂହ ବିବାହ ଉତ୍ସବ ବନ୍ଧନରେ ବାନ୍ଧିହେଲେ  ୨୫ ଯୋଡ଼ି

ଭୁବନେଶ୍ବର :  ବାଜିଲା ସାହାନାଇ ସିଙ୍ଘବାଜା, ବ୍ୟାଣ୍ଡପାର୍ଟିରେ ଦୁଲୁକୁଥିଲା ଦାଣ୍ଡ।ରୋଶଣି ଶୋଭାଯାତ୍ରାରେ ସୁସଜ୍ଜିତ ୨୫ଟି ଗାଡ଼ିରେ ଆସିଲେ ବର। ବାଣ, ବାଜା ସାଙ୍ଗକୁ ବରଯାତ୍ରୀଙ୍କ ନୃତ୍ୟରେ ଜାମ୍‌ ହୋଇଗଲା ଶ୍ରୀରାମମନ୍ଦିର ଛକ ଅଞ୍ଚଳ। କିଏ ଆର୍ଥିକ ଅନଗ୍ରସର ତ ପୁଣି କିଏ  ବାପ, ମା’ ଛେଉଣ୍ଡ। ପୁଣି କିଏ ଆର୍ଥିକ ସ୍ବଚ୍ଛଳ ଥିଲେ  ମଧ୍ୟ ଜାତିଗତ ବୈଷମ୍ୟ ବାଧକ ସାଜୁଥିଲା। ଏଭଳି ଅଭାବୀ ପରିବାରର ଯୁବକ ଯୁବତୀଙ୍କୁ ସାଂସାରିକ ବନ୍ଧନରେ ବନ୍ଧନ କରିଥିଲା ପ୍ରୟାସ ଅନୁଷ୍ଠାନ।

କୌଣସି ସମ୍ଭ୍ରାନ୍ତ ବାହାଘର ଠାରୁ କମ୍‌ ନଥିଲା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଖାରବେଳନଗର ଶ୍ରୀରାମମନ୍ଦିର ପରିସରରେ। ୨୫ ଯୋଡ଼ା  ବରକନ୍ୟାଙ୍କ ହାତଗଣ୍ଠି ଆଜି ପଡ଼ିଥିଲା।  ଆର୍ଯ୍ୟସମାଜ ପଦ୍ଧତିରେ ବାହାଘର ସମ୍ପନ୍ନ ହୋଇଥିଲା। ମୁଖ୍ୟ ପୁରୋଧା ଭାବେ ଆର୍ଯ୍ୟ ସମାଜର ସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ବିନୋଦବିହାରୀ ଦାଶ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।  ଡ. ବଦ୍ରିନାଥ ପଟ୍ଟନାୟକ ସପତ୍ନୀକ ପ୍ରଥମ କନ୍ୟା ଦାନ କରିଥିଲେ। ସେହିପରି ପୂର୍ବତନ ଜଜ୍‌ ସଞ୍ଜୟକୁମାର ପଣ୍ଡା, ନମ୍ରତା ଚଢ଼ାଙ୍କ ଭଳି ୨୫ ବଦାନ୍ୟ ବ୍ୟକ୍ତି କନ୍ୟା ପିତାମାତାଭାବେ ସମୂହ ବିବାହ କାର୍ଯ୍ୟରେ କନ୍ୟାଦାନ କରିଥିଲେ।

ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ ସମସ୍ତ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ।  ପ୍ରୟାସର ପ୍ରତିଷ୍ଠାତା ବନ ମହାନ୍ତି   ବିବାହ କାର୍ଯ୍ୟ ଆୟୋଜନ କରିଥିଲେ।  ଡା. ଜଗନ୍ନାଥ  ମହାପାତ୍ର, ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ରକୁମାର ମିଶ୍ର, ଡ. ସୌରେନ୍ଦ୍ର ମହାପାତ୍ର   ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ।  ଜୟନ୍ତ ମହାରଣା, ମହିମୋହନ ମହାପାତ୍ର, ଉମାକାନ୍ତ ତାଣ୍ଡିଙ୍କ ସମେତ ୨୫ ବ୍ରାହ୍ମଣ  ବିବାହ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିବା ବେଳେ  ଏକ ହଜାରରୁ ଊର୍ଦ୍ଧ୍ବ ବଦାନ୍ୟ ବ୍ୟକ୍ତି ବରଯାତ୍ରୀଭାବେ ଆସିଥିଲେ।

Comments are closed.