ବସ୍‌ରେ ମହିଳାଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର : ଏଣିକି ମହିଳା ଯାତ୍ରୀଙ୍କୁ ବସ୍‌ରେ ମିଳିବ ସ୍ବତନ୍ତ୍ର ବ୍ୟବସ୍ଥା। ମହିଳାମାନେ ବସ୍‌ରେ ବସିବା ଉପରେ ଗୁରୁତ୍ବ ଦିଆଯାଇଛି। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷ ବସିବା ଉପରେ ବାରଣ କରାଯାଇଛି। ଏହାକୁ ଯିଏ ଅବମାନନା କରିବ ତା’ଠାରୁ ଜୋରିମାନା ଆଦାୟ କରାଯିବ। ଏହାସହ ସେମାନଙ୍କ କୌଣସି ସମୟରେ ଅସୁବିଧା ହେଲେ ଏନେଇ ବସ୍‌ ଭିତରେ ଜରୁରୀକାଳୀନ ଏକ ଫୋନ୍‌ ନମ୍ବର ଜାରି କରାଯିବ। ତା’ସହ ଏକ ହ୍ବାଟ୍‌ସପ୍‌ ଗ୍ରୁପ୍‌ ମଧ୍ୟ କରାଯାଇଛି। ଏହାକୁ କ୍ରୁଟ୍‌ର ଜଣେ ମହିଳାଙ୍କୁ ଏସ୍‌ପିଓ ଭାବେ ଦାୟିତ୍ବ ଦିଆଯାଇଛି। ମହିଳାଙ୍କ ସୁବିଧା ଓ ଅସୁବିଧା ସେମାନେ ଉକ୍ତ ଗ୍ରୁପ୍‌ରେ କହିପାରିବେ। ବସ୍‌‌ର କଣ୍ଡକ୍ଟର କିଭଳି ମହିଳା ଯାତ୍ରୀଙ୍କୁ ବ୍ୟବହାର କରିବେ ତା’ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଆଗକୁ କଣ୍ଡକ୍ଟରମାନେ ଯତ୍ନବାନ ହେବାକୁ କୁହାଯାଇଛି। ସେପଟେ ଘରୋଇ ବସ୍‌ରେ ଅନେକ ସମୟରେ ମହିଳାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥାଏ। ସେଥିପାଇଁ ମଧ୍ୟ କଣ୍ଡକ୍ଟରକୁ କିଭଳି ଆଚରଣ କରିବେ ତାହା ଉପରେ କୁହାଯାଇଥିଲା।

ମୋ ବସ୍‌ରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ହେଲେ ଘରୋଇ ବସ୍‌ରେ ଏହି ବ୍ୟବସ୍ଥା ନାହିଁ। ଆଗକୁ ବସ୍‌ଗୁଡ଼ିକରେ ସିସିଟିଭି ବ୍ୟବସ୍ଥା କରିବାକୁ କୁହାଯାଇଛି। କମିସନରେଟ ପୁଲିସ ମୁଖ୍ୟାଳୟରେ ଏକ ବୈଠକରେ ଆଲୋଚନା ହୋଇଛି। ଏଥିରେ ପୁଲିସ କମିସନର ଡା.ସୁଧାଂଶୁ ଷଡ଼ଙ୍ଗୀ, କ୍ରୁଟ୍‌ର ମହାପ୍ରବନ୍ଧକ ଅରୁଣ ବୋଥ୍ରା ଓ ବିଭିନ୍ନ ଘରୋଇ ବସ୍‌ର ମାଲିକମାନେ ଉପସ୍ଥିତ ଥିଲେ।

Comments are closed.