ନବୀନ ନିବାସରେ ବିଜେଡି ସଂସଦୀୟ ଦଳ ବୈଠକ : ଜନଗଣନାରେ ବାଧ୍ୟତାମୂଳକ ହେବନି ବାପା-ମାଆଙ୍କ ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟ

ଭୁବନେଶ୍ବର : ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ। ଏଥିପାଇଁ ବିଜେଡି ରଣକୌଶଳ ସ୍ଥିର କରିଛି। ଆଜି ନବୀନନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସେସବୁକୁ ସଂସଦରେ ଉଠାଇବାକୁ ନିଷ୍ପତ୍ତି ହୋଇଛି। ଜନଗଣନାରେ ଜାତି ସମ୍ପର୍କିତ ତଥ୍ୟ ଦେବା ପାଇଁ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଜନସାଧାରଣଙ୍କ ପରି ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସ୍ବତନ୍ତ୍ର ସ୍ତମ୍ଭ ରଖିବା, କ୍ଲିନ ଏନର୍ଜି ସେସ ବ୍ୟବସ୍ଥା, ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପ୍ରଦାନ, କୋଇଲା ରୟାଲିଟି ବୃଦ୍ଧି, ରେଳବାଇ କ୍ଷେତ୍ରରେ ଅଧିକ ଅର୍ଥ ପ୍ରଦାନ, ନଦୀ ଜଳ ବିବାଦ ଏବଂ ବିଧାନ ପରିଷଦ ଗଠନ ନେଇ ଦଳର ସାଂସଦ ମାନେ ଦାବି ଉପସ୍ଥାପନ କରିବେ।

ବୈଠକ ଶେଷରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ଜନଗଣନା ଉପରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଜନଗଣନାରେ ଓଡ଼ିଶାରେ ବାପା ମାଆଙ୍କ ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟ ବାଧ୍ୟତାମୂଳକ ହେବ ନାହିଁ। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଆପତ୍ତି କରିବା ପରେ ଜନଗଣନାରେ ୧୩(୨) ସ୍ତମ୍ଭକୁ ଓଡ଼ିଶା ପାଇଁ ଇଚ୍ଛାଧୀନ କରାଯାଇଛି। କେନ୍ଦ୍ର ସରକାର ଏଥିନେଇ ରାଜ୍ୟକୁ ଅବଗତ କରାଇଛନ୍ତି। ସେହିପରି ଓଡ଼ିଶାରେ ପଛୁଆବର୍ଗଙ୍କ ସଂଖ୍ୟା ଗଣନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଥିରେ ଅନୁସୂଚିତ ଜନଜାତି ଓ ଜାତି ବର୍ଗଙ୍କ ପାଇଁ ସ୍ତମ୍ଭ ରହିଛି। ପଛୁଆବର୍ଗଙ୍କ ପାଇଁ ସ୍ତମ୍ଭ ରଖିବାକୁ ଦାବି କରାଯିବ। ୨୦୧୧ରେ ଜାତିଗତ ଗଣନାରେ କେନ୍ଦ୍ର ପଛୁଆବର୍ଗଙ୍କ ପାଇଁ ବ୍ୟବସ୍ଥା କରିନଥିଲେ। ଏହାହେଲେ ପଛୁଆ ବର୍ଗଙ୍କ ସଂଖ୍ୟା ଜଣାପଡ଼ିବ। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯିବ। ରାଜ୍ୟ ସରକାର ରେଳ ପ୍ରକଳ୍ପ ପାଇଁ ଜମି ଏବଂ ଅର୍ଥ ବ୍ୟୟ କରୁଛନ୍ତି। ଅଥଚ ରେଳବାଇ ଯେଉଁ ପରିମାଣର ରାଜସ୍ବ ଆଦାୟ କରୁଛି ସେ ତୁଳନାରେ ଅନୁଦାନ ଆଶାଜନକ ହେଉନାହିଁ। ଅନେକ ରେଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ଏହି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଅଧିକ ଅର୍ଥ ପ୍ରଦାନକୁ ଦଳ ପ୍ରସଙ୍ଗ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସଂସଦରେ କ୍ଲିନ ଏନର୍ଜି ସେସ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିବ। ଖଣି ଖାଦାନ ଦ୍ବାରା ରାଜ୍ୟ ପ୍ରଦୂଷଣ ଦ୍ବାରା କ୍ଷତିଗ୍ରସ୍ତ ହେଉଛି। ଏହା ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ସେହିପରି ଜିଏସଟି ଆସିବା ପରେ ରାଜ୍ୟ ସରକାର କେନ୍ଦ୍ର ଠାରୁ ପାଇବାକୁ ଥିବା କ୍ଷତିପୂରଣ ବାବଦ ବହୁ ପରିମାଣର ଅର୍ଥ ବକେୟା ରହିଛି। କେନ୍ଦ୍ର ସରକାର ରାଜ୍ୟକୁ ତାହାର ହକ ପ୍ରଦାନ କରିବା ଆବଶ୍ୟକ। ପୋଲାଭରମ ଓ ମହାନଦୀ ପରି ଆନ୍ତରାଜ୍ୟ ଜଳ ବିବାଦ ପ୍ରସଙ୍ଗକୁ ଦଳ ଗୁରୁତ୍ବ ଦେବ। ନାଗରିକ ସଂଶୋଧନ ଆଇନ ଦ୍ବାରା ଭାରତର ଜନସାଧାରଣ ପ୍ରଭାବିତ ହେଉନାହାନ୍ତି। ବିଜେଡି ଏହାକୁ ସମର୍ଥନ କରୁଛି। ତେବେ ଏନଆରସି ପ୍ରସଙ୍ଗରେ ସମର୍ଥନ କରୁନଥିବା ସେ କହିଛନ୍ତି। ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ଆମକୁ ପ୍ରତିଶ୍ରୁତି ମିଳିଛି। ବିଧାନସଭାରେ ଏହା ସର୍ବସମ୍ମତକ୍ରମେ ପାରିତ ହେବା ପରେ ଏହାକୁ ନେଇ କେହି ବିରୋଧ କରୁନାହାନ୍ତି। ତେଣୁ ଏଥର ସଂସଦରେ ଏ ସମ୍ପର୍କିତ ବିଧେୟକ ଆସିବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ବୈଠକରେ ଦଳର ସାଂସଦ ଓ ବିଧାୟକମାନେ ନିର୍ବାଚନମଣ୍ଡଳୀରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ନେଇ ସଭାପତି ନିର୍ଦେଶ ଦେଇଛନ୍ତି। ସାଂସଦ ମାନେ ପ୍ରତି ଦୁଇମାସରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ ରିପୋର୍ଟ ସଭାପତିଙ୍କୁ ଦେଉଛନ୍ତି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ଏହାର ତଦାରଖ କରୁଛନ୍ତି। ଏହାଦ୍ବାରା ରାଜ୍ୟର ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେଉଛି ବୋଲି ସେ କହିଛନ୍ତି।

Comments are closed.