ଫଳକରେ ସୀମିତ ପାନୀୟଜଳ ପ୍ରକଳ୍ପ

ଉତ୍ତରଭୁବନେଶ୍ୱର : ଅମୃତ ଯୋଜନାରେ ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ବିଭିନ୍ନ ସ୍ଥାନରେ ମେଗା ପ୍ରକଳ୍ପ ସ୍ଥାପନ କରି ଆସୁଛନ୍ତି। ସେହି ଯୋଜନାରେ ଭୁବନେଶ୍ୱର ଅଞ୍ଚଳର ୧୮ ଓ ୧୯ ନଂ ୱାର୍ଡରେ ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗତ ୨୦୧୮ ଜାନୁଆରୀ ୧୮ରେ ପିଏଚ୍‍ଡି ଡିଭିଜନ୍‍-୨ ପକ୍ଷରୁ କିମ୍ଭିରିଆ ଛକଠାରେ ଏକ ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ପାନୀୟ ଜଳ ପ୍ରକଳ୍ପ ବାବଦରେ ମୋଟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟବରାଦ ପାଇଁ ସ୍ଥିର ହୋଇଥିବା ବେଳେ ବାଲିଅପଟା, କିମ୍ଭିରିଆ ସମେତ ୨ଟି ୱାର୍ଡର ଅନ୍ୟୂନ ୧୦ହଜାର ଜନସାଧାରଣ ଏଥିରେ ଉପକୃତ ହୋଇଥାଆନ୍ତେ। ଏହି ପ୍ରକଳ୍ପଟି ୬ମାସ ମଧ୍ୟରେ ଶେଷ ହେବବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଭୂୟାଁ ଭିତ୍ତିପ୍ରସ୍ତର ସମୟରେ ସୂଚନା ଦେଇଥିଲେ। ତତ୍‍କାଳୀନ ବିଧାୟକ, ମେୟର, ଡେପୁଟି ମେୟର, ଷ୍ଟାଣ୍ଡିଂ କମିଟିର ସଦସ୍ୟ, ସ୍ଥାନୀୟ ୨ୱାର୍ଡର କର୍ପୋରେଟରଙ୍କ ସମେତ ବହୁ ବ୍ୟକ୍ତି ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗଦେଇଥିଲେ। ଭିତ୍ତିପ୍ରସ୍ତର ଇତିମଧ୍ୟରେ ୨ ବର୍ଷ ବିତି ଯାଇଛି। ହେଲେ ପ୍ରକଳ୍ପ ଆରମ୍ଭ ହେବାର ନାଁ ଗନ୍ଧ ନାହିଁ। ପ୍ରକଳ୍ପ ପାଇଁ ଜିଏ ବିଭାଗ ପକ୍ଷରୁ ଜାଗା ଯୋଗାଇ ଦିଆଯାଇଥିଲା। ସେଠାରେ ଗତ କିଛି ଦିନ ତଳୁ ଚତୁଃପାର୍ଶ୍ବରୁ ଝୁମ୍ପୁଡ଼ି ଘର ନିର୍ମାଣ କରାଯାଇ ଜବରଦଖଲକୁ ଚାଲିଗଲାଣି ା ହେଲେ ବିଭାଗ ଏବେବି ଅଚେତ ଅବସ୍ଥାରେ ରହିଥିବା ସ୍ଥାନୀୟ ଅହଲ୍ୟା ସ୍ୱାଇଁ, ଜିତେନ୍ଦ୍ର ଦାସ, ଜ୍ଞାନେନ୍ଦ୍ର ରାଉତ ଏବଂ ମିନତି ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ପ୍ରକଳ୍ପ ସ୍ଥାନରେ ପାଚେରି ମଧ୍ୟ ହୋଇପାରିନାହିଁ। ସଂପୃକ୍ତ ବିଭାଗର ଉଦାସୀନତା ଯୋଗଁୁ ଏଭଳି ଅବସ୍ଥା ଦେଖାଦେଇଛି। ଏ ସଂକ୍ରାନ୍ତରେ ସଂପୃକ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ଭୂୟାଁଙ୍କୁ ପଚାରିବାରେ ସେହି ପ୍ରକଳ୍ପକୁ ୱାଟ୍‍କୋ ଗତ ୬ମାସ ତଳୁ ନେଇ ସାରିଲାଣି। ତାଙ୍କୁ ପଚାରିଲେ ସେ କହି ପାରିବେ ବୋଲି ଉତ୍ତର ଦେଇଛନ୍ତି।

Comments are closed.