ରାଜହଂସରେ ଡଲଫିନଙ୍କ ଜଳକ୍ରୀଡ଼ା

ଭୁବନେଶ୍ୱର : ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଏବେ ବିଦେଶାଗତ ପକ୍ଷୀଙ୍କ ସମ୍ଭାର ସହ ଡଲଫିନ୍‌ଙ୍କ ଜଳକ୍ରୀଡ଼ାରେ ପର୍ଯ୍ୟଟକଙ୍କୁ ଆନମନା କରିଛି। ଏହି ପ୍ରାକୃତିକ ଭରା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଚାଲିଛି। ଚିଲିକା ଏବଂ ବରକୁଳରେ ଥିବା ସମସ୍ତ ଅତିଥିଶାଳାରେ ପର୍ଯ୍ୟଟକଙ୍କ ପାଇଁ ଭିଡ଼ ଲାଗି ରହୁଛି। ଚଳିତବର୍ଷ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପକ୍ଷୀ ପରେ ଏବେ ଡଲଫିନଙ୍କ ଗଣନା ଆରମ୍ଭ ହୋଇଛି। ଇତିମଧ୍ୟରେ ୧୩ଟି ସ୍ଥାନରେ ୧୪୫ରୁ ୧୭୦ଟି ପର୍ଯ୍ୟନ୍ତ ଡଲଫିନ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଅପେକ୍ଷା ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାସବୁ ଚିଲିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ଓ ଶାନ୍ତ ପରିବେଶ ପାଇଁ ସମ୍ଭବ ହୋଇପାରିଛି ବୋଲି ସିଡ଼ିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।

ଚିଲିକା ବନ୍ୟଜନ୍ତୁ ଡ଼ିଭିଜନ ପକ୍ଷରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଅନୁଯାୟୀ ରାଜହଂସଠାରେ ପ୍ରାୟ ୨୫ଟି ଡଲଫିନ ମିଳନ ପାଇଁ ବିଚରଣ କରୁଥିବାବେଳେ ମାଳତିକୁଦ ଓ ମଗରମୁଖରେ ୨୦ଟି ଲେଖାଏଁ, ମହିଷାରେ ୧୫ରୁ ୨୦ଟି ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଜହ୍ନିକୁଦା, ନଳବଣ, କାଳିଯୁଗେଶ୍ବର, ପଥରା, ସାମଲ ଆଇସଲ୍ୟାଣ୍ଡ, କାଳୀଜାଈ ଆଇସଲ୍ୟାଣ୍ଡ, ଆଇଏନଏସ ଚିଲିକା, କୃଷ୍ଣପ୍ରସାଦ ଗଡ଼ ଜେଟୀ ଏବଂ ସାତପଡାଠାରେ ଡଲଫିନଙ୍କ ବିଚରଣ ପର୍ଯ୍ୟଟକଙ୍କୁ ବିଭୋର କରୁଛି। ଚଳିତବର୍ଷ ରମ୍ଭାଠାରେ ପ୍ରଥମ ଥର ପାଇଁ ଡଲଫିନଙ୍କ ବିଚରଣ ପର୍ଯ୍ୟଟକଙ୍କୁ ବେଶ ଉତ୍ସାହିତ କରୁଥିବା ଜଣାଯାଇଛି।

Comments are closed.