ସରକାର ଖୋଜୁଛନ୍ତି ସ୍କୁଲ ବାହାର କିଶୋରୀ

0

ଭୁବନେଶ୍ୱର :କିଶୋରୀମାନଙ୍କ ପୁଷ୍ଟିସାଧନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସବଳା ଏବଂ କିଶୋରୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ରାଜ୍ୟକୁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦିଆଯାଉଛି। ହେଲେ ବାସ୍ତବରେ ଏହା କିଶୋରୀମାନଙ୍କ ନିକଟରେ ପହଞ୍ଚୁଛି ନା ନାହିଁ ସେନେଇ କେନ୍ଦ୍ର ଏବେ ସର୍ଭେ ଆରମ୍ଭ କରିଛି। ଓଡ଼ିଶାରେ ୧୧ରୁ ୧୪ ବର୍ଷର କେତେ କିଶୋରୀ ବାସ୍ତବରେ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ଏବଂ କେତେ ସ୍କୁଲ ବାହାରେ ଅଛନ୍ତି ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ରିପୋର୍ଟ ମଗାଯାଇଛି। ଏହାକୁ ନେଇ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜୁଲାଇ ଶେଷ ସପ୍ତାହରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯେଉଁଥିରେ ୫୫ହଜାର ୮୬୮ଜଣ କିଶୋରୀ ବିଦ୍ୟାଳୟ ବାହାରେ ଥିବା ଦର୍ଶାଯାଇଥିଲା। ମାତ୍ର ଗଣଶିକ୍ଷା ବିଭାଗର ରିପୋର୍ଟ କିନ୍ତୁ ଭିନ୍ନ ଥିଲା, ବିଭାଗ ପକ୍ଷରୁ ୧୦୬୧ ଜଣ ବିଦ୍ୟାଳୟ ବାହାରେ ଥିବା କୁହାଯାଇଥିଲା। ଉଭୟ ବିଭାଗର ରିପୋର୍ଟରେ ତାଳମେଳ ନରହିବାରୁ ଏହାକୁ ନେଇ ସରକାର ଅଡୁଆରେ ପଡିଛନ୍ତି। କେନ୍ଦ୍ରକୁ କେଉଁ ରିପୋର୍ଟ ପ୍ରଦାନ କରାଯିବ ସେନେଇ ଉଭୟ ବିଭାଗ ପକ୍ଷରୁ ପୁନଶ୍ଚ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ବାସ୍ତବ ରିପୋର୍ଟ ଲୋଡାଯାଇଛି।
ଏନେଇ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସବୁ ଜିଲାପାଳଙ୍କୁ ପତ୍ରଲେଖି ୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ଏକ ସପ୍ତାହ ବିତି ଯାଇଥିଲେ ବି ସବୁ ଜିଲାପାଳ ରିପୋର୍ଟ ଦେଇ ନାହାନ୍ତି। ଅନ୍ୟପକ୍ଷରେ ଓପେପା ନିର୍ଦେଶକ ସବୁ ଜିଲା ଶିକ୍ଷା ଅଧିକାରୀଙ୍କଠାରୁ ରିପୋର୍ଟ ଲୋଡିଛନ୍ତି। ଏନେଇ ଜିଲାସ୍ତରରୁ ଯୁଗ୍ମ ତଦନ୍ତ ରିପୋର୍ଟ ତୁରନ୍ତ ପଠାଇବାକୁ ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଓଡ଼ିଶାର କୋରାପୁଟ, କଳାହାଣ୍ଡି, କଟକ, ସୁନ୍ଦରଗଡ଼, ବରଗଡ଼, ଗଜପତି, ମୟୂରଭଞ୍ଜ, ଭଦ୍ରକ ଓ ପୁରୀ ଭଳି ୯ଟି ଜିଲାରେ କେନ୍ଦ୍ରୀୟ ଯୋଜନା ସବଳା କାର୍ଯ୍ୟକାରୀ ହେଉଥିବାବେଳେ ଅବଶିଷ୍ଟ ଜିଲାରେ କିଶୋରୀ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଉଛି। ସବଳା ଯୋଜନାରେ ଦୁଇଟି ପର୍ଯ୍ୟାୟରେ କିଶୋରୀଙ୍କ ପୁଷ୍ଟିସାଧନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସେମାନଙ୍କ ବିକାଶ ପାଇଁ ସହାୟତା ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଅର୍ଥ ପ୍ରଦାନ କରାଯାଉଛି ତାହା ବାସ୍ତବ କ୍ଷେତ୍ରରେ କିଶୋରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେନେଇ କେନ୍ଦ୍ର ସରକାର ଜାଣିବାକୁ ଚାହିଁଛି। ହେଲେ ରାଜ୍ୟର ଦୁଇ ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ତାଳମେଳ ରହୁନାହିଁ।
ଗୋଟିଏ ପଟେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଚଳିତବର୍ଷ ୫୫ହଜାର ୮୬୮ଜଣ କିଶୋରୀ ବିଦ୍ୟାଳୟକୁ ଆସି ନାହାନ୍ତି ବୋଲି ଦର୍ଶାଇଥିବାବେଳେ ଗଣଶିକ୍ଷା ବିଭାଗ ଏହାକୁ ଅସ୍ୱୀକାର କରିଛି। ନିକଟରେ ଏନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସ୍ପଷ୍ଟ କରିଛନ୍ତି ଯେ ଚଳିତବର୍ଷ ୧୦୬୧ଜଣ କିଶୋରୀ ସ୍କୁଲ ଛାଡିଛନ୍ତି।
ବିଭାଗୀୟ ତଥ୍ୟ ଅନୁଯାୟୀ କୋରାପୁଟରେ ୨୫୯ଜଣ କିଶୋରୀ ବିଦ୍ୟାଳୟ ପରିତ୍ୟାଗ କରିଥିବାବେଳେ ମୟୂରଭଞ୍ଜରେ ୧୬୬, ରାୟଗଡାରେ ୧୨୮,କେନ୍ଦୁଝରରରେ ୧୧୪, କନ୍ଧମାଳରେ ୬୮, ପୁରୀରେ ୪୬, କଳାହାଣ୍ଡିରେ ୩୦,ସୁନ୍ଦରଗଡ଼ରେ ୨୪, ନୂଆପଡାରେ ୨୨, ଢ଼େଙ୍କାନାଳରେ ୨୦,ଖୋର୍ଦ୍ଧାରେ ୧୯, ଯାଜପୁରରେ ୧୮, ନୟାଗଡରେ ୧୫, ବରଗଡ଼ ରେ ୬, ବଲାଙ୍ଗିରେ ୫ଜଣ ଏବଂ ଗଜପତିରେ ଜଣେ କିଶୋରୀ ବିଦ୍ୟାଳୟ ଛାଡିଛନ୍ତି। ଏହାବାଦ୍‍ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, କେନ୍ଦ୍ରାପଡା, ମାଲକାନଗିରି ଓ ସମ୍ବଲପୁରରେ ଜଣେ ହେଲେ ବି କିଶୋରୀ ପାଠ ପଢ଼ା ଛାଡି ନାହାନ୍ତି ବୋଲି ଜଣାଯାଇଛି।
ଅନ୍ୟପକ୍ଷରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯେଉଁ ରିପୋର୍ଟ ଦେଇଛି ସେଥିରେ କେବଳ କୋରାପୁଟ ଜିଲାରେ ୧୦,୫୯୯ ଜଣ ପାଠ ଛାଡିଥିବା ଦର୍ଶାଯାଇଛି। ଅନୁଗୋଳରେ ସ୍କୁଲ ଛାଡୁଥିବା ଛାତ୍ରୀଙ୍କ ସଂଖ୍ୟା ୪୨୮ ଥିଲା ବେଳେ ବଲାଙ୍ଗୀରରେ ୯୪୨, ବାଲେଶ୍ୱର ୨୬୧, ବରଗଡ ୬୬୧, ବୌଦ୍ଧ ୧୧୬, କଟକ୧୮, ଦେବଗଡ ୧୧୦ ରହିଛି।
ସେହିପରି ଢେଙ୍କାନାଳରେ ୬୧୧, ଗଜପତି ୫୫୨, ଗଞ୍ଜାମ ୪୨୯୬, ଜଗତ୍‍ସିଂହପୁର ୩୦, ଯାଜପୁର ୪୧୨, ଝାରସୁଗୁଡା ୧୨୬, କଳାହାଣ୍ଡି ୭୧୩୨, କନ୍ଧମାଳ ୧୦୧୬, କେନ୍ଦ୍ରାପଡା ୨୦୩, କେନ୍ଦୁଝର ୨୬୩୬, ଖୋର୍ଦ୍ଧା ୧୧୨୧, ମାଲକାନାଗିରି ୫୫୮୫, ମୟୂରଭଞ୍ଜ ୬, ନବରଙ୍ଗପୁର ୮୮୯୯, ନୟାଗଡ ୧୨୯୦, ନୂଆପଡା ୧୩୫୫, ପୁରୀ ୭୬, ରାୟଗଡ ୫୩୨୦, ସମ୍ବଲପୁର ୪୦୧, ସୁବର୍ଣ୍ଣପୁର ୬୭ ଓ ସୁନ୍ଦରଗଡରେ ୧୫୯୯ଜଣ ଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି ଏବଂ ଭଦ୍ରକରେ ଏହି ସଂଖ୍ୟା ଶୂନ୍‍ ରହିଛି।

Leave A Reply