କାଦମ୍ବିନୀ ସାହିତ୍ୟ ମହୋତ୍ସବ : ‘ମାନବିକ ମୂଲ୍ୟବୋଧର ସନ୍ଦେଶ ଦେଉ ସାହିତ୍ୟ’

ଚନ୍ଦ୍ରଶେଖରପୁର : ସାହିତ୍ୟ ମାନବିକ ମୂଲ୍ୟବୋଧର ସନ୍ଦେଶ ଦେଉ। ପ୍ରତିଟି ସ୍ରଷ୍ଟା ଏଥିପ୍ରତି ଯତ୍ନବାନ ହେଲେ ସେମାନଙ୍କ ସୃଷ୍ଟି ପାଠକୀୟ ଆଦୃତି ଲାଭ କରିବ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ସପ୍ତଦଶ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ଦ୍ୱାଦଶ ପତ୍ରିକା ହାଟରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଉଦ୍‍ଘାଟକ ଓ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଅଧିବକ୍ତା, ଲେଖକ ସଲମାନ୍‍ ଖୁର୍ସିଦ୍‍ ଯୋଗଦେଇ ବକ୍ତବ୍ୟରେ କହିଲେ, ସବୁ ଧର୍ମରେ ମାନବିକ ମୂଲ୍ୟବୋଧ ସମାନ। ​ତେବେ ଏହାକୁ ଭାଷାରେ ପରିପ୍ରକାଶ କରିବାରେ ଭିନ୍ନତା ରହିଛି। ସମ୍ମାନିତ ଅତିଥି ବିଶିଷ୍ଟ ସାମ୍ବାଦିକ ରାହୁଲ ଦେବ କହିଲେ, ଭାରତ ଏକ ବହୁଭାଷୀ ଦେଶ; ମାତ୍ର ଆମର ଇଂରାଜୀ ଭାଷା ପ୍ରୀତିି ଆମ ଭାଷାକୁ ସଙ୍କଟରେ ପକାଇଦେଇଛି। ଏହା ଆମ ଭାଷା ସଙ୍କଟ ନୁହେଁ ଭାରତୀୟ ସଭ୍ୟତାର ସଙ୍କଟ ବୋଲି ସେ କହିଥିଲେ।

ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ଲେଖିକା ମୃଦୁଳା ଗର୍ଗ କହିଲେ, ସାହିିତ୍ୟ ଶାଶ୍ୱତ ମୂଲ୍ୟବୋଧକୁ ବଞ୍ଚାଇ ରଖିଥାଏ। ଆମକୁ ଆମର ଶାଶ୍ୱତ ମୂଲ୍ୟବୋଧକୁ ବଞ୍ଚାଇ ରଖିବାକୁ ପଡ଼ିବ। ଅଭିନେତା, ନିର୍ଦେଶକ ରଜତ କପୁର କହିଥିଲେ ସାହିତ୍ୟ ସମାଜରେ ପରିବର୍ତ୍ତନ ଆଣିପାରେ। ପୁସ୍ତକ ଆମକୁ ମନୋରଞ୍ଜନଠାରୁ ଅନେକ କିଛି ଅଧିକ ପ୍ରଦାନ କରିଥାଏ। ଏହି ଅବସରରେ ବିଶିଷ୍ଟ ଔପନ୍ୟାସିକା ଅନୁରାଧା ରାୟଙ୍କୁ ଜାତୀୟସ୍ତରୀୟ ନୀଳିମାରାଣୀ ସାହିତ୍ୟ ସମ୍ମାନ ୨୦୨୦ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୫ଲକ୍ଷ ଟଙ୍କା ସହ ଉପଢୌକନ ଓ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ଦାସଙ୍କ କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା, ସନନ୍ଦପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା।

ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ, ସାହିତ୍ୟ ହେଉଛି ଆତ୍ମ ଦର୍ଶନ। ସାହିତ୍ୟରେ ଜୀବନକୁ ହାସ୍ୟରସପୂର୍ଣ୍ଣ ଭାବେ ଚିତ୍ରଣ କରିବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ସବରେ ‘ଶତଦ୍ରୁ’ର ସଂପାଦକ ଉପେନ୍ଦ୍ର ନାୟକଙ୍କୁ କାଦମ୍ବିନୀ ସଂପାଦକ ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ ପ୍ରିୟବ୍ରତ ଦାସ, ବିନୋଦିନୀ ଦେବୀ, ଭୂପେନ ମହାପାତ୍ର ଏବଂ ରାଜେଶ୍ୱରୀ ଦଳବେହେରାଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା ୨୦୨୦ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ‘କାଦମ୍ବିନୀ’ ଓ ‘କୁନିକଥା’ର ସ୍ବତନ୍ତ୍ରସଂଖ୍ୟା ଏବଂ ଇତି ସାମନ୍ତଙ୍କ ପୁସ୍ତକ ‘ଶକୁନ୍ତଳାଜ୍‍ ଡଟର୍‍’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ତଥା ‘କାଦମ୍ବିନୀ’ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ‘କାଦମ୍ବିନୀ’ର ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ କୁନାକୁନି ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Comments are closed.