‘ଝୁମୁକା’ର ସାରସ୍ବତ ସମାରୋହ : ‘ଶିଶୁ ସାହିତ୍ୟ ସମାଜକୁ ପରିବର୍ତ୍ତନ କରିପାରିବ’

ଭୁବନେଶ୍ବର : ଦେଶରେ ଶିଶୁ, ମାତୃ ମୃତ୍ୟୁହାର ଭଳି ପତ୍ରିକାର ମୃତ୍ୟୁହାର ବି ବଢ଼ିଚାଲିଛି। ଏଭଳି ସ୍ଥିତିରେ ଗୋଟିଏ ଶିଶୁ କିଶୋର ପତ୍ରିକାର ୩୩ ବର୍ଷ ସଂଘର୍ଷ ନିହାତି ଭାବେ ଗ୍ରହଣୀୟ। ଶିଶୁ ଉପରେ ପ୍ରଭାବ ପକାଇବା, କିଛି ସୂଚନା ଦେବା ଓ ସେମାନଙ୍କ ମନୋରଞ୍ଜନ ପାଇଁ ଶିଶୁ ସାହିତ୍ୟ ଲେଖାଯାଇଥାଏ। ଆଜିର ଶିଶୁ ବେଶ୍‌ ବିଚକ୍ଷଣ, ଏଣୁ ସେମାନଙ୍କୁ ଶିକ୍ଷିତ ଓ ସଂସ୍କାରିତ କରିବାକୁ ଆଜିର ସମୟ ଭଳି ସାହିତ୍ୟ ଲେଖିବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ତଥା ଭାରତ ନିର୍ବାଚନ ଆୟୋଗର ପ୍ରାକ୍ତନ ଉପଦେଷ୍ଟା ଡ. ଭଗବାନପ୍ରକାଶ।
ରେଡକ୍ରସ୍‌ ଭବନଠାରେ ଆୟୋଜିତ ଶିଶୁ-କିଶୋର ପତ୍ରିକା ‘ଝୁମୁକା’ର ୩୩ତମ ସାରସ୍ବତ ସମାରୋହ-୨୦୧୯ରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଡ. ପ୍ରକାଶ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ସ୍ମାରକୀ ବକ୍ତୃତା ‘ଶିଶୁ ସାହିତ୍ୟ ବନାମ ଶିକ୍ଷା ସାହିତ୍ୟ’ ଶୀର୍ଷକରେ କହିଲେ ଯେ, ମହାତ୍ମା ଗାନ୍ଧୀଙ୍କ ମତରେ ଶିଶୁ ସାହିତ୍ୟ ସମାଜରେ ପରିବର୍ତ୍ତନ ଆଣେ। କାରଣ ଶିଶୁ ପରିବର୍ତ୍ତନ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବ। କଥାଶିଳ୍ପୀ ଦାଶ ବେନହୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଶିଶୁମାନେ ଆଜିର ସମୟ ଓ ସେମାନେ ପ୍ରବେଶ କରିବାକୁ ଯାଉଥିବା ଦୁନିଆ ସହ କେମିତି ମୁକାବିଲା କରିବେ ସେ ନେଇ ଶିଶୁସାହିତ୍ୟ ଲେଖାଯିବାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିଭାବେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ କହିଲେ ଯେ, ଶିଶୁ ସାହିତ୍ୟିକ ହେଉଛନ୍ତି କାଳ ସ୍ରଷ୍ଟା। ସେ ସମୟରେ ଲେଖାଯାଇଥିବା ଢଗଢମାଳି ଏବେବି ଜନମାନସରେ ଖୁବ୍‌ ପ୍ରଚଳିତ। ଶିଶୁ ସାହିତ୍ୟ ଶିଶୁଙ୍କ ମଧ୍ୟରେ ଆଦର୍ଶ, ସଂସ୍କାର ଆଣିବା ସହ ଭଲ ଓ ଖରାପକୁ ବିଚାର କରିବାରେ ସାହାଯ୍ୟ କରେ।
ଏହି ଅବସରରେ ‘ଝୁମୁକା’ର ନୂତନ ସଂସ୍କରଣ ସହ ‘ଗୀତ ଝରକା’ ଓ ‘ଫେରିଆ ମୋ ସୁନା ଚଢ଼େଇ’ ପୁସ୍ତକ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମରେ ଚିତ୍ତରଞ୍ଜନ ପଟ୍ଟନାୟକ, ଶୁଭଶ୍ରୀ ନନ୍ଦ ଓ ଅରୁଣ କୁମାର ପଣ୍ଡାଙ୍କୁ ‘ଝୁମୁକା ସାରସ୍ବତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ବାଗତ ଭା‌ଷଣ ଦେଇଥିବାବେଳେ ସହସମ୍ପାଦିକା ସୁଜାତା ଦାସ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ରାକ୍ଷୀ ଦାସ।

Comments are closed.