ଜରାଜୀର୍ଣ୍ଣ ଅବସ୍ଥାରେ ବର୍ଜ୍ୟବସ୍ତୁ ମୁକ୍ତାକାଶ ସଂଗ୍ରହାଳୟ ; ଦୃଷ୍ଟି ଦେଲାନି ପ୍ରଶାସନ

ଭୁବନେଶ୍ୱର : ବର୍ଷ ଗୋଟାକରେ ନଷ୍ଟ ହୋଇଗଲା କୋଟି କୋଟି ଟଙ୍କାର କଳାକୃତି ରକ୍ଷଣାବେକ୍ଷଣ ଅଭାବାରୁ ଉପହସିତ ହେବାକୁ ପଡୁଛି ସରକାରଙ୍କୁ। ଦେଶ ବିଦେଶର କଳାକାରଙ୍କ କଳାକୃତି ଭୁଲୁଣ୍ଠିତ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳିଙ୍ଗ ନଗର କେ-୭ ସ୍ଥିତ ବର୍ଜ୍ୟବସ୍ତୁ ମୁକ୍ତାକାଶ ସଂଗ୍ରହାଳୟରେ। ଗତ ପୁରୁଷ ହକି ବିଶ୍ବକପ୍‌ ସମୟରେ ଉଦ୍‌ଘାଟିତ ହୋଇଥିଲା ଏହି ସଂଗ୍ରହାଳୟ। ରକ୍ଷଣାବେକ୍ଷଣ ଅଭାବରୁ ବର୍ଜ୍ୟବସ୍ତୁରେ ନିର୍ମିତ ସଂଗ୍ରହାଳୟର କଳାକୃତି ଭାଙ୍ଗି ଗଲାଣି। ତା’ ଉପରେ ଏବେ ଗଛଲଟା ମାଡ଼ିଯାଇଛି। ସଂଗ୍ରହାଳୟ ହତାରେ ସବୁଆଡ଼େ ଅନାବନା ଗଛଲତାର ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଏହା ବିଷଧର ସର୍ପ ଓ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳ ପାଲଟିଛି। ଗଦାଗଦା ଆବର୍ଜନା ଜମି ରହିଥିବାରୁ ପରିବେଶ ଆହୁରି ପ୍ରଦୂଷିତ ହୋଇପଡ଼ିଛି। ଶ୍ରୀହୀନ ହୋଇପଡ଼ିଛି ଏହି ମୁକ୍ତାକାଶ ସଂଗ୍ରହାଳୟ। ରକ୍ଷଣାବେକ୍ଷଣ ପରିବ‌େ‌ର୍ତ୍ତ ବିଡିଏ ଏହାର ଦୁଇଟିଯାକ ଫାଟକରେ ତାଲା ଝୁଲାଇ ଦେଇଛି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜଧାନୀକୁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଏହି ସଂଗ୍ରହାଳୟ ଦେଖିବାରୁ ବଞ୍ଚିତ ହେଉଛନ୍ତି । ଯଦି ଏହି କଳାକୃତିର ସୁରକ୍ଷା କରିନହେବ ତେବେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର କ’ଣ ଆବଶ୍ୟକତା ଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ହକି ବିଶ୍ବକପ୍ ସମୟରେ ପର୍ଯ୍ୟଟକ ଏବଂ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ନଭେମ୍ବର ୨୦୧୮ରେ ସଂଗ୍ରହାଳୟ ଖୋଲାଯାଇଥିଲା। ଏହାର ରକ୍ଷାଣବେକ୍ଷଣ ଦାୟିତ୍ବ ଏକ ଘରୋଇ ଅନୁଷ୍ଠାନ ଓ ବିଡିଏକୁ ଦିଆଯାଇଥିଲା। ଦେଶବିଦେଶର କଳାକାରଙ୍କ ଦ୍ବାରା ପ୍ରସ୍ତୁତ କଳାକୃତି ବିଭିନ୍ନ ପ୍ରକାରର ବର୍ଜ୍ୟବସ୍ତୁରେ ନିର୍ମିତ ହୋଇଥିଲା। ଭାରତ ସମେତ ଅଷ୍ଟ୍ରେଲିଆ, ବେଲଜିୟମ, ନିୟୁଜିଲାଣ୍ଡ, ଇଂଲଣ୍ଡ, ନେଦରଲାଣ୍ଡ, ଜାପାନ, ସ୍ପେନ, ଆ‌େ‌ର୍ଜଣ୍ଟିନା, ଚାଇନା ଭଳି ୧୬ଟି ଦେଶର ୨୧ଜଣ ଶିଳ୍ପୀଙ୍କୁ ଏଥିରେ ନିୟୋଜିତ କରାଯାଇଥିଲା। ସେତେବେଳେ ସଂଗ୍ରହାଳୟକୁ ଦେଖିଲେ ଆଖି ଝଲସି ଯାଉଥିଲା। ସଂଗ୍ରହାଳୟରେ ଲୁହା ପାତିଆ, ସାଇକଲ ରିମ୍‌, ଟାୟାର ଏବଂ ଅନ୍ୟାନ୍ୟ ବର୍ଜ୍ୟରୁ ନିର୍ମିତ ମୟୂର, ବାଘୁଣୀ ସୁନ୍ଦରୀ, ସାଇକଲ ପାଇପ୍‌ରୁ ହାତୀ, ଲୁହାରଡ୍‌ ଓ ସାଇକଲ ରିମ୍‌ରୁ ଗଛ ଓ ମାଙ୍କଡ଼, ଭଙ୍ଗା ଲୁହା କଡ଼େଇରୁ ଅଲିଭ ରିଡଲେ, ପ୍ଲାଷ୍ଟିକ ବୋତଲ, ଟାୟାର, ଭଙ୍ଗା ସ୍କୁଟର ଯନ୍ତ୍ରାଂଶରୁ ତିଆରି ମାଛ ସିଂହ, ପୋକ, ଉଡ଼ନ୍ତା ଛଞ୍ଚାଣ ଆଦି କଳାକୃତି ଲୋକଙ୍କୁ ବେଶ୍‌ ଆର୍ଷିତ କରିପାରିଥିଲା। କଠିନ ବର୍ଜ୍ୟକୁ ନେଇ କଳାକୃତି ଓଡ଼ିଶାରେ ପ୍ରଥମ ଥର ପାଇଁ ନିର୍ମାଣ ହୋଇଥିଲା। ଦିନକୁ ଦିନ ସଂଗ୍ରହାଳୟରେ ଆଗନ୍ତୁକଙ୍କ ସଂଖ୍ୟା ବଢ଼ୁଥିଲା; କିନ୍ତୁ ୬ମାସ ଭିତରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଉଦ୍‌ଘାଟନ ପରେ କଳାକୃତିର ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଖରା ବର୍ଷା ପ୍ରଭାବରୁ ଏହାର ଅବସ୍ଥା ଜରାଜୀର୍ଣ୍ଣ ହୋଇ ପଡ଼ିଛି।

Comments are closed.