ଭୁବନେଶ୍ୱରରେ ଦକ୍ଷତା ବିକାଶ ଓ ଶିଳ୍ପ କ୍ଷେତ୍ରରେ ସର୍କୁଲାର୍‍ ଅର୍ଥନୀତି ସମ୍ବନ୍ଧୀୟ ଜାତୀୟ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର : ଆଲୁମିନିୟମ୍‍ ଆସୋସିଏସନ୍‍ ଅଫ୍‍ ଇଣ୍ଡିଆ (ଏଏଆଇ), ମ୍ୟାଟେରିଆଲ୍‍ ରିସାଇକ୍ଲିଂ ଆସୋସିଏସନ୍‍ ଅଫ୍‍ ଇଣ୍ଡିଆ (ଏମ୍‍ଆର୍‍ଏଆଇ) ଏବଂ ଆଲୁମିନିୟମ୍‍ ସେକଣ୍ଡାରୀ ମାନ୍ୟୁଫାକ୍‍ଚରର୍ସ୍‍ (ଏଏସ୍‍ଏମ୍‍ଏ) ସହ ମିଳିତ ଆନୁକୂଲ୍ୟରେ ଜୱାହରଲାଲ ନେହରୁ ଆଲୁମିନିୟମ୍‍ ରିସର୍ଚ୍‍ ଡେଭେଲପ୍‍ମେଣ୍ଟ୍‍ ଆଣ୍ଡ୍‍ ଡିଜାଇନ୍‍ ସେଣ୍ଟର୍‍ ପକ୍ଷରୁ ଗୁରୁବାର  ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେଫେୟାର୍‍ ପରିସରରେ ‘ଦକ୍ଷତା ବିକାଶ ଏବଂ ଆଲୁମିନିୟମ୍‍ ସମ୍ବନ୍ଧୀୟ ସଚେତନତା’କାର୍ଯ୍ୟକ୍ରମ ଉଦ୍‍ଘାଟିତ ହୋଇଛି। ଏହାକୁ ଇଏସି-ପିଏମ୍‍, ଭାରତ ସରକାରଙ୍କ ସଦସ୍ୟ ସଚିବ ଶ୍ରୀ ରତନ ପି.ୱାଟାଲ ଏହାର ଉଦ୍‍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେଏନ୍‍ଏଆର୍‍ଡିଡିସିର ନିର୍ଦ୍ଦେଶକ ଡଃ ଅନୁପମ ଅଗ୍ନିହୋତ୍ରୀ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଅଫିସ୍‍ର ବରିଷ୍ଠ କନ୍ସଲ୍‍ଟାଣ୍ଟ୍‍ ଡଃ ବି.ଏନ୍‍. ଶତପଥୀ, ଖଣି ମନ୍ତ୍ରାଳୟର ନିର୍ଦ୍ଦେଶକ ଶ୍ରୀ ଅମିତ ଶରଣ, ହିଣ୍ଡାଲ୍‍କୋର ଏମ୍‍ସିଓଇ ଶ୍ରୀ ବିଭୁ ମିଶ୍ର, ନାଲ୍‍କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଷଡ଼ାନନ ଚୌଧୁରୀ, ଏମ୍‍ଆର୍‍ଏଆଇର ଉପ ସଭାପତି ଶ୍ରୀ କିଶୋର ରାଜପୁରୋହିତ ଏବଂ ଅନେକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।

ନିଜର ଉଦ୍‍ଘାଟନୀ ଅଭିଭାଷଣରେ ଶ୍ରୀ ୱାଟାଲ୍‍ ସର୍କୁଲାର୍‍ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେଉଁଥିରେ କି ସାଧନକୁ ଯଥାସମ୍ଭବ ଅଧିକ ସମୟ ପର୍ଯ୍ୟନ୍ତ ଉପଯୋଗ କରାଯାଇଥାଏ ଏବଂ ଉପଯୋଗ ସମୟରେ ସେଥିରୁ ସର୍ବାଧିକ ମୂଲ୍ୟ ବାହାର କରାଯାଇଥାଏ ଏବଂ ଏହାର ଜୀବନଚକ୍ର ଶେଷ ହେବା ପରେ ମଧ୍ୟ ତାହାର ପୁନଃଚକ୍ରଣ କରାଯାଇଥାଏ। ଏଥି ସହିତ, ସେ ଆନ୍ତର୍ଜାତୀୟ ପ୍ରତିଦ୍ୱନ୍ଦିତାମୂଳକ ପରିସ୍ଥିତିରେ ପ୍ରାକୃତିକ ସାଧନର କ୍ଷୟକୁ ଆଖିରେ ରଖି ସାଧନର ପ୍ରଭାବଶାଳୀ ଭାବେ ଉପଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ନିରନ୍ତର ବିକାଶ ପାଇଁ ସାଧନର ପ୍ରଭାବଶୀଳତା ଏକ ପ୍ରମୁଖ ଉପାଦାନ ହୋଇଥିବା ବେଳେ ବକ୍ସାଇଟ୍‍ର ରେସିଡ୍ୟୁ (ରେଡ୍‍ ମଡ୍‍), ଫ୍ଲାଏ ଆଶ୍‍, ସ୍ପେଣ୍ଟ୍‍ ପଟ୍‍ଲାଇନ୍‍ (ଏସ୍‍ପିଏଲ୍‍), ଡ୍ରସ୍‍ ଆଦିର ଉପଯୋଗ ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ବିକାଶ ସମ୍ଭବ ହୋଇପାରିବ। ନିଜର ଅଭିଭାଷଣରେ ଡଃ ଅଗ୍ନିହୋତ୍ରୀ ଆଲୁମିନିୟମ୍‍ ଶିଳ୍ପ କ୍ଷେତ୍ରରେ ସାଧନର ପ୍ରଭାବଶାଳୀ ଉପଯୋଗ ସହ ଏହାକୁ ୨୦୩୦-୩୫ ସୁଦ୍ଧା ଏକ ଶୂନ୍ୟ ନିର୍ଗମନ ଏବଂ କାର୍ବନ୍‍ ନିଉଟ୍ରାଲ୍‍ ଉଦ୍ୟୋଗରେ ରୂପାନ୍ତରିତ କରିବା ଦିଗରେ ଜେଏନ୍‍ଆର୍‍ଡିଡିସିର ଅବଦାନ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଆଲୁମିନିୟମ୍‍ ଉଦ୍ୟୋଗ କ୍ଷେତ୍ରରେ ସାଧନର ପ୍ରଭାବଶାଳୀ ଉପଯୋଗକୁ ସୁନିଶ୍ଚିତ କରିବା ପାଇଁ ଏବଂ ସାଧନର ସଂରକ୍ଷଣ କରିବା ପାଇଁ ଏକ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷର ପ୍ରତିଷ୍ଠା କରିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମଟି ଶିଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଦକ୍ଷତା ଓ ନିରାପତ୍ତା ବୃଦ୍ଧି ଦିଗରେ ସହାୟକ ହେବ। ଆଲୁମିନିୟମ୍‍ ଶିଳ୍ପରେ ସାଧନର ପ୍ରଭାବଶୀଳତା ସମ୍ବନ୍ଧୀୟ ବର୍ଜ୍ୟବସ୍ତୁରୁ ମୂଲ୍ୟଯୁକ୍ତ ଉତ୍ପାଦର ପ୍ରକ୍ରିୟାକରଣ, ଆଲୁମିନିୟମ୍‍ର ପୁନଃଚକ୍ରଣ, ଶ୍ରେଷ୍ଠ ଉପଲବ୍ଧ ବୈଷୟିକ ଜ୍ଞାନକୌଶଳ ଉପରେ ପର୍ଯ୍ୟବସିତ ହେବ।

 

Comments are closed.