ଚନ୍ଦ୍ରଶେଖରପୁରରେ ଏଣିକି ‘ଷ୍ଟ୍ରିଟ୍‌ ମଜା’

ଚନ୍ଦ୍ରଶେଖରପୁର : ଏଣିକି ପ୍ରତି ରବିବାର ସକାଳେ ‘ଷ୍ଟ୍ରିଟ୍‌ ମଜା’ରେ କମ୍ପିବ ଚନ୍ଦ୍ରଶେଖରପୁର ଅଞ୍ଚଳ। ରାସ୍ତାରେ ନାଚ, ଗୀତ, ଚିତ୍ର ଆଉ ଯୋଗରେ ମଗ୍ନ ରହିବେ ଜନସାଧାରଣ। ରାହାଗିରି ପରି ଏକ ଚମତ୍କାର କାର୍ଯ୍ୟକ୍ରମର ପରିକଳ୍ପନା କରିଛି ଚନ୍ଦ୍ରଶେଖରପୁର ଆଥଲେଟିକ୍‌ ଆସୋସିଏସନ। ‘ଷ୍ଟ୍ରିଟ୍‌ ମଜା’ ନାମରେ ଏହି ଅଭିନବ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ଦିଆଯାଇ ସାରିଥିବାବେଳେ କେବେଠାରୁ ଆରମ୍ଭ ହେବ କେବଳ ଘୋଷଣା ବାକି ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳର ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ, ସଂଗଠକ, ମହିଳା ଏହି ଷ୍ଟ୍ରିଟ୍‌ ମଜାରେ ଭାଗ ନେବେ। ସକାଳ ୭ରୁ ୮ଟା ପର୍ଯ୍ୟନ୍ତ ଡମଣା ଛକରୁ ପଟିଆ ଛକ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ପ୍ରାତଃ ଭ୍ରମଣ ସାଙ୍ଗକୁ ନାଚ, ଗୀତ,, ଚିତ୍ର ଓ ଯୋଗ ପ୍ରଭୃତି ସାମିଲ ହେବ। ବସ୍ତି ପିଲାମାନେ ଭାଗ ନେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ। ଏଭଳି ଏକ ନିଆରା କାର୍ଯ୍ୟକ୍ରମ ସମସ୍ତଙ୍କୁ ଯୋଡ଼ିବା ସହ ଭାଇଚାରା ସୃଷ୍ଟି ଦିଗରେ ସହାୟ ହେବ ବୋଲି ଚନ୍ଦ୍ରଶେଖରପୁର ଆଥଲେଟିକ୍‌ ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା କହିଛନ୍ତି।
ସମ୍ପାଦକ ବିଜୟ ପାତ୍ର କହିଛନ୍ତି, ଭୁବନେଶ୍ବର ଜନପଥରେ ପୂର୍ବରୁ ଅନୁଷ୍ଠିତ ହେଉଥିବା ‘ରାହାଗିରି’ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜନସାଧାରଣ ସାମିଲ ହେବା କଷ୍ଟକର ହେଉଥିବା ବେଳେ ସେବେଠାରୁ ‘ଷ୍ଟ୍ରିଟ୍‌ ମଜା’ର ପରିକଳ୍ପନା କରାଯାଇଥିଲା। ତେବେ ବିଭିନ୍ନ କାରଣରୁ ଆୟୋଜିତ ହୋଇପାରିନଥିବାବେଳେ ଏବେ ପୁଣି ପ୍ରୟାସ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.