ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ମିଳିବ ସୂଚନା

ସିଇଟି ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ରଙ୍କ ନୂଆ ଉଦ୍ଭାବନ

ଭୁବନେଶ୍ବର : ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗି ବହୁ ବିପତ୍ତି ଡାକି ଆଣୁଛି। ଏଥିଯୋଗୁଁ ସବୁଜିମା ଧ୍ବଂସ ହେବା ସହ ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡୁଛନ୍ତି। ସବୁଠାରୁ ବେଶି କ୍ଷତି ହେଉଛି ପରିବେଶ। ପ୍ରଚୁର ନିଆଁ ଓ ଧୂଆଁ ଯୋଗୁଁ ବାୟୁ ପ୍ରଦୂଷଣ ମଧ୍ୟ ଘଟୁଛି। ସମଗ୍ର ପୃଥିବୀରେ ରହିଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଘଟୁଥିବା କ୍ଷତି ନେଇ ପରିବେଶବିତ୍‌ ଗଭୀର ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି। ଜଙ୍ଗଲରେ ନିଆଁ ଲାଗିଲେ ତାହାକୁ ନିୟନ୍ତ୍ରଣ କରିବାରେ ସମସ୍ୟା ଦେଖାଯାଉଛି। ଏଭଳି ପରିସ୍ଥିତି ଏଡ଼ାଇବା ପାଇଁ ଦୁଇଜଣ ଇଞ୍ଜିନିୟରିଂ ଛାତ୍ର ନୂତନ ଜ୍ଞାନକୌଶଳ ଉଦ୍ଭାବନ କରିଛନ୍ତି।
ସିଇଟି ଇଞ୍ଜିନିୟରିଂ କଲେଜ ଚତୁର୍ଥ ବର୍ଷର ଛାତ୍ର ପ୍ରତ୍ୟୁଷ ମଲ୍ଲିକ ଓ ପ୍ରମିତ୍‌ କୁମାର ଭୁକ୍ତାଙ୍କ ଦ୍ବାରା ଉଦ୍ଭାବନ କରାଯାଇଥିବା ଜ୍ଞାନକୌଶଳ ଅନୁଯାୟୀ ଜଙ୍ଗଲରେ ନିଆଁ ଲାଗିବାର ୧୫ ମିନିଟ୍‌ ପୂର୍ବରୁ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ମିଳିବ। ଏହାଦ୍ବାରା ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିବ।
‘ଫରେଷ୍ଟ ଫାୟାର ଡିଟେକ୍ସନ’ ସିଷ୍ଟମ ନାଁରେ ଏହି ଜ୍ଞାନକୌଶଳ ନାମିତ ହୋଇଛି। ଏଥିରେ ନିଆଁ ଲାଗିବା ପୂର୍ବରୁ ବ୍ୟବହାରକାରୀଙ୍କ ପାଖକୁ ଆଲର୍ଟ ମେସେଜ୍‌ ଆସିବ। ବର୍ତ୍ତମାନ ସାଟେଲାଇଟ୍‌ ଓ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଦ୍ବାରା ନିଆଁ ଲାଗିବାର ଘଣ୍ଟାଏ ପରେ ଜଣାପଡ଼ୁଥିବାବେଳେ ଉକ୍ତ ସିଷ୍ଟମ୍‌ ନିଆଁ ଲାଗିବାର ୧୫ମିନିଟ୍‌ ପୂର୍ବରୁ ଜଣାଇବ। ତୁରନ୍ତ ଖବର ପାଇ ଅଗ୍ନିଶମ ବିଭାଗ କିମ୍ବା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବେ। ଏହାଦ୍ବାରା ଜଙ୍ଗଲ ସହିତ ଧନସମ୍ପତ୍ତି ରକ୍ଷା ପାଇବ। ଜଙ୍ଗଲର ତାପମାତ୍ରା, ଆର୍ଦ୍ରତା ଓ ଅଙ୍ଗାରକାମ୍ଳକୁ ନେଇ ଓୟାର୍‌ଲେସ୍‌ ସେନ୍ସର ନେଟ୍‌ୱର୍କ ପ୍ରସ୍ତୁତ କରାଯାଇଛି। ବ୍ୟବହୃତ ସ୍ବତନ୍ତ୍ର ନୋଡ୍‌ରେ ଏକ ସେନ୍ସର, ଭୋଲଟେଜ୍‌ ବୁଷ୍ଟର, ଯୋଗାଯୋଗ ପାଇଁ ସ୍ବତନ୍ତ୍ର ମାଇକ୍ରୋ ରେଡିଓ ସହ ବିଭିନ୍ନ ଯନ୍ତ୍ରାଂଶ ଲାଗିଛି। ଜଙ୍ଗଲରେ ସ୍ଥାପିତ ସିଷ୍ଟମ ବ୍ୟାଟେରି ଓ ସୋଲାର ପାୱାର ଉପରେ ନିର୍ଭର କରୁଥିବାବେଳେ ଏହି ସିଷ୍ଟମ ମାଟି ତଳୁ ସ୍ବତନ୍ତ୍ର ସେଲ୍‌ ଦ୍ବାରା ଚାର୍ଜ ହୋଇପାରିବ। ଏହାପରେ ୧୫ ମିନିଟ୍‌ ବ୍ୟାକ୍‌ଅପ୍‌ ନେଇ ୧ ମିନିଟ୍‌ ଡାଟା ଷ୍ଟୋର୍‌ କରିବା ସହ ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ ମାଧ୍ୟମରେ ଅପଡେଟ୍‌ ପଠାଇବ। ଏଭଳି ପ୍ରତି ୧୫ ମିନିଟ୍‌ରେ ପୁନରାବୃତ୍ତି ହେବ। ଯାହା ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ କୌଣସି ରକ୍ଷଣାବେକ୍ଷଣରେ ବ୍ୟବହାର କରିହେବ। ନିଆଁ ଲାଗିବା ପୂର୍ବରୁ ସୂଚାଇବା ସହ ସଠିକ୍‌ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚି ପାରିବେ। ସମ୍ପୂର୍ଣ୍ଣ ଓୟାରଲେସ୍‌ କିମ୍ବା ଯେକୌଣସି ଇଣ୍ଟରନେଟ୍‌ ସଂଯୋଗ ସିଷ୍ଟମ୍‌ରେ ଅପଡେଟ୍‌ ବ୍ୟବହାରକାରୀ ପାଇପାରିବେ।
ଏହି ‘ଫରେଷ୍ଟ ଫାୟାର ଡିଟେକ୍ସନ’ ପ୍ରକଳ୍ପ ନାସା ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟପ୍‌-୨୫ ସେମିଫାଇନାଲ ତାଲିକାରେ ଏସିଆର ଏକମାତ୍ର ପ୍ରକଳ୍ପ ଭାବେ ସ୍ଥାନ ପାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହି ପ୍ରକଳ୍ପ ପୁରସ୍କୃତ ହୋଇଛି। ଏହାକୁ ରାଜ୍ୟ ଜଙ୍ଗଲ ବିଭାଗରେ କାର୍ଯ୍ୟକ୍ଷମ ଲାଗି ଯୋଜନା ଚାଲିଛି। ଏହି ସିଷ୍ଟମ ଲାଗିବା ଦ୍ବାରା ଜଙ୍ଗଲର ଯେଭଳି କିଛି କ୍ଷତି ନହୁଏ ସେଥିପ୍ରତି ମଧ୍ୟ ଗବେଷଣା ଚଳାଇଥିବା ସେମାନେ ମତ ଦେଇଛନ୍ତି।

Comments are closed.