ଏସ୍‌ଟିଏସ୍‌ସି ବିଭାଗର ଅଭିନବ କାର୍ଯ୍ୟକ୍ରମ ; ଚଳିତ ବର୍ଷ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ନୂଆ ରେକର୍ଡ

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ସମବାୟ ଉନ୍ନୟନ ନିଗମ ଲିମିଟେଡ୍‌ (ଟି.ଡି.ସି.ସି.ଓ.ଏଲ୍‌) ନୋଡାଲ୍‌ ଏଜେନ୍ସି ଭାବେ ଲଘୁ ବନଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରୁଛନ୍ତି। ରାଜ୍ୟରେ ଟି.ଡି.ସି.ସି.ଓ.ଏଲ୍‌ ଦ୍ୱାରା ଲଘୁ ବନଜାତ ଦ୍ରବ୍ୟ ସ୍କିମ କାର୍ଯ୍ୟକାରୀ ହେଉଛି । ପ୍ରାଥମିକ ସଂଗ୍ରହକାରୀ ନେଟ୍‌ଓ୍ୱାର୍କ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତି (ଭି.ଏସ୍‌.ଏସ୍‌),ବନ୍ଧନ ବିକାଶ କେନ୍ଦ୍ର ମିଳିତ ଭାବେ ଲଘୁବନଜାତ ଯୋଜନାକୁ ତ୍ୱରାନ୍ୱିତ କରୁଛନ୍ତି । ରାଜ୍ୟର ମୁଖ୍ୟତଃ ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲାରେ ଶାଳ ମଞ୍ଜି, ତେନ୍ତୁଳି ମଞ୍ଜି, ଚାର ମଞ୍ଜି ପାହାଡ଼ି ଝାଡ଼ୁ ଇତ୍ୟାଦି ପ୍ରଚରୁ ପରିପାଣରେ ଉପଲବ୍ଧ ହେଉଛି। ତେଣୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରିତ ଭାବେ ଆଗେଇ ଚାଲିଛି ।

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଟି.ଡି.ସି.ସି.ଓ.ଏଲ୍‌ ୧୩ ହଜାର ୩୦୦ ମେଟ୍ରିକ୍‌ ଟନ୍‌ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଛି । ଏହାର ମୂଲ୍ୟ ୨୮ କୋଟି ୧୦ ଲକ୍ଷ ଯାହାକି ଗତ ଛଅ ବର୍ଷରେ ସମୁଦାୟ ମୂଲ୍ୟଠାରୁ ଅଧିକ । ଗତ ଛଅ ବର୍ଷରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ମୂଲ୍ୟ ୪ କୋଟି ୯ ଲକ୍ଷ ହୋଇଥିଲା ।

ଏବର୍ଷ ଟି.ଡି.ସି.ସି.ଓ.ଏଲ୍‌ ପକ୍ଷରୁ ୩୭୦ଟି ସଂଗ୍ରହ କେନ୍ଦ୍ର ଜରିଆରେ ଗ୍ରାମାଞ୍ଚଳରେ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ସଂଗ୍ରହକାରୀଙ୍କଠାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଇଛି। ଏହା ଦ୍ୱାରା ୩୨ ହଜାରରୁ ଊର୍ଦ୍ଧ୍ୱ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଛନ୍ତି । ଗତ ଛଅ ବର୍ଷରେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ସ୍କିମ ଦ୍ୱାରା ୧୨ ହଜାର ୫୦୦ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀ ଉପକୃତ ହୋଇଥିଲେ । ମଧ୍ୟସ୍ଥିଙ୍କ ଦ୍ୱାରା ବେଆଇନ୍‌ ବିକ୍ରୟ ଓ ଶୋଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ପ୍ରାଥମିକ ଆଦିବାସୀ ସଂଗ୍ରହକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ପଠାଇବା ପାଇଁ ନିର୍ଦ୍ଦେଶ ରହିଛି ।

ଟି.ଡି.ସି.ସି.ଓ.ଏଲ୍‌ ପକ୍ଷରୁ ସମଗ୍ର ଲଘୁ ବନଜାତ ସଂଗ୍ରହ ପ୍ରକ୍ରିୟାକୁ ସ୍ୱୟଂ ଚାଳିତ କରାଯାଇଛି । ଆଗାମୀ ଶସ୍ୟ ସଂଗ୍ରହ ଋତୁରେ ଏହି ପ୍ରକ୍ରିୟାକୁ ଧାନ ସଂଗ୍ରହ ସ୍ୱୟଂ କ୍ରିୟ ବ୍ୟବସ୍ଥା ( ପି. ପି.ଏ.ଏସ୍‌) ଓ ସ୍ୱୟଂଚାଳିତ ଶସ୍ୟ କ୍ରୟବ୍ୟବସ୍ଥା (ଏମ୍- ପି.ଏ.ଏସ୍‌) ଭଳି ସ୍ୱୟଂଚାଳିତ କରାଯିବା ପାଇଁ ପଦକ୍ଷେ ନିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡି.ବି.ଟି)ବ୍ୟବସ୍ଥା ଦ୍ୱାରା ଶସ୍ୟ ସଂଗ୍ରହବ୍ୟବସ୍ଥା ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ ହୋଇ ପାରିବ । ଚଳିତ ବର୍ଷର ଶସ୍ୟ ସଂଗ୍ରହ ପ୍ରକ୍ରିୟାରେ ‘ବନ୍ଧନ ବିକାଶ କେନ୍ଦ୍ର’ ଅଂଶ ଗ୍ରହଣ କରିଛି । ଏତଦ୍‌ବ୍ୟତୀତ ଭି.ଡି.ଭି.କେ.ଏସ୍‌ ପକ୍ଷରୁ ଶସ୍ୟଦ୍ରବ୍ୟଗୁଡ଼ିକର ପ୍ୟାକେଟ୍‌ ଓ ବ୍ରାଣ୍ଡ ପ୍ରସ୍ତୁତି କରିବା ସହିତ ଲଘୁବ ନଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରାଯାଉଛି। ସ୍ଥାନୀୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ୍ୟଯୁକ୍ତ ନିମନ୍ତେ ଭି.ଡି.ଭି.କେ ସାଧାରଣ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଏହା କୋଭିଡ୍‌ ସମୟରେ ଆଦିବାସୀମାନଙ୍କର ଆୟ ବୃଦ୍ଧିରେ ସହାୟକ ହୋଇପାରିଛି ।

Comments are closed.