ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର

ଇସ୍ପାତ ମନ୍ତ୍ରଣାଳୟର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

ଭୁବନେଶ୍ୱର : ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରର ଇସ୍ପାତ ଆବଶ୍ୟକତା ପୂରଣ ପାଇଁ ଆମଦାନୀକୁ ହ୍ରାସ କରିବା ଉପରେ  ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।

ଆତ୍ମନିର୍ଭର ଭାରତ , ତୈଳ ଓ ଗ୍ୟାସ କ୍ଷେତ୍ରରେ ଘରୋଇ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗ ଉପରେ ଆୟୋଜିତ ୱେବିନାରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଅଧିକ ବ୍ୟବହାର ହୋଇଥାଏ। ଏହି ପରିପ୍ରେକ୍ଷୀରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗ ହେଲେ ଇସ୍ପାତର ବ୍ୟବହାର ମଧ୍ୟ ବଢିବ। ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ ଓ ଘରୋଇ ଇସ୍ପାତର ଚାହିଦାରେ ମଧ୍ୟ ବୃଦ୍ଧି ଘଟିବ। ଏହାବ୍ୟତିତ ସେ କହିଛନ୍ତି ଭବିଷ୍ୟତରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଇସ୍ପାତ ଉତ୍ପାଦନକାରୀ ସମର୍ଥ ଅଟନ୍ତି। ଘରୋଇ ଇସ୍ପାତ ଉଚ୍ଚ କ୍ଷମତା ବିଶିଷ୍ଟ ଏବଂ ସଠିକ୍‍ ମୂଲ୍ୟ ରହିବା ଦରକାର। ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛିା ବିଗତ ଦିନ ମାନଙ୍କରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନେକ ଅଭୁତପୂର୍ବ ପରିବର୍ତନ ଘଟିଛି। ସିଟି ଗ୍ୟାସ ବିତରଣ ନେଟୱାର୍କର ସଂପ୍ରସାରଣ ଦେଶ ଜନସଂଖ୍ୟାର ୭୦ ପ୍ରତିଶତକୁ କଭର କରିଛି। ରିଫାଇନିଂ କ୍ଷମତା ବୃଦ୍ଧି କରାଯିବା ସହ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି। ଅନ୍ୱେଷଣ ଓ ଉତ୍ପାଦନ କ୍ଷେତ୍ରକୁ ବଢାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ସବୁ ପଦକ୍ଷେପ ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ। ଆଜିର ଅନ୍‍ଲାଇନ କାର୍ଯ୍ୟକ୍ରମ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଚାହିଦା ପୂରଣ କରିବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ରୋଡମ୍ୟାପ ସୃଷ୍ଟି କରିବାରେ ସହାୟକ ହେବ ବୋଲି  ପ୍ରଧାନ କହିଛନ୍ତି।

Comments are closed.