ଅଦଳ ବଦଳରେ ବିଶ୍ବାସ କରନ୍ତୁ ନାହିଁ, କରୋନା ଲଢେଇ ପାଇଁ ନୂଆ ଯୋଦ୍ଧା ଆସିବେ: ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: ପ୍ରତିଦିନ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେହିପରି ଚିକିତ୍ସା ପରେ ସଂକ୍ରମିତ ରୋଗୀ ସୁସ୍ଥ ହୋଇ ଘରକୁ ଯାଉଛନ୍ତି। ସଂକ୍ରମିତ ତୁଳନାରେ ସୁସ୍ଥଙ୍କ ହାର ଅଧିକ ରହୁଛି। ତଥାପି କରୋନା ଭୂତାଣୁ ରାଜ୍ୟର ୩୦ଟି ଜିଲାରେ ନିଜର କାୟା ବସ୍ତାର କରି ଚାଲିଛି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ରାଜ୍ୟ ସରକାର ଏକ ଟିମ୍‌ ଗଠନ କରିଥିଲେ। ଏଥିରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କରୋନା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ଅପରପକ୍ଷରେ ଭୁବନେଶ୍ବର, ଯାଜପୁର, ଗଞ୍ଜାମ, ଭଦ୍ରକ, ବାଲେଶ୍ବର ଆଦି ସ୍ଥାନରେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏସବୁ ସ୍ଥାନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜର ଦକ୍ଷତା ପ୍ରତିପାଦନ କରି କରୋନା ମୁକାବିଲା ନେଇ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ତେବେ ବରିଷ୍ଠ ପ୍ରଶାସନିକ ଟିମ୍‌ରୁ ବିନା କୌଣସି ପ୍ରାକ୍‌ ସୂଚନାରେ ୯ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଅକସ୍ମାତ ଅପସାରଣ କରିନେଇ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବା ଅନେକଙ୍କୁ ବିସ୍ମିତ କରିଛି। ଏହି ୯ ଜଣ ଅଧିକାରୀ ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ଆଗଧାଡ଼ିରେ ରହିବା ସହ ପ୍ରତ୍ୟେକଟି ଜିନିଷକୁ ନିୟନ୍ତ୍ରଣ କରୁଥିଲେ। ତେବେ ହଠାତ୍‌ ଏହି ବରିଷ୍ଠ ଅଧିକାରୀମାନଙ୍କୁ କୋଭିଡ୍‌ ମୁକାବିଲା ଟିମ୍‌ରୁ ରାଜ୍ୟ ସରକାର ଅପସାରଣ କରିନେବା ପରେ ଏହାକୁ କେନ୍ଦ୍ରକରି ଦିନତମାମ୍‌ ରାଜ୍ୟରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହୋଇଥିଲା ଏବଂ ସୋସିଆଲ ମିଡିଆରେ ଏହାକୁ କେନ୍ଦ୍ର କରି ଅନେକ କଥା ପ୍ରଚାରିତ ଓ ପ୍ରସାରିତ ହୋଇଥିଲା। ତେବେ କୋଭିଡ୍‌- ୧୯ ମୁଖପାତ୍ର ସୁବ୍ରତ ବାଗଚୀ ଗୀତଗୋବିନ୍ଦ ସଦନ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପଛର କାରଣ ପ୍ରକାଶ କରିବା ସହ ଏହି ଘଟଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ପ୍ରଚାରିତ ଓ ପ୍ରସାରିତ ହେଉଥିବା ଗୁଜବକୁ ବିଶ୍ୱାସ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ଅଦଳ ବଦଳ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ ଏବଂ କରୋନା ଲଢ଼େଇ ପାଇଁ ନୂଆ କରୋନା ଯୋଦ୍ଧା ଆସିବେ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।

ରାଜ୍ୟ ସରକାର ମାର୍ଚ୍ଚ ମାସରେ କୋଭିଡ୍‌ ମୁକାବିଲାକୁ ସର୍ବପ୍ରଥମ ଓ ସର୍ବାଧିକ ପ୍ରାଥମିତା ଦେଇଥିଲେ। ସେଥିପାଇଁ ଅନ୍ୟ ବିଭାଗରୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗକୁ ଆଣିବା ସହ କୋଭିଡ୍‌ ମୁକାବିଲାର ବିଭିନ୍ନ ଦାୟିତ୍ୱ ଦେଇଥିଲେ। ସଂପୃକ୍ତ ଅଧିକାରୀମାନେ ମଧ୍ୟ ବିଗତ ୩ ମାସ ଧରି କୋଭିଡ୍‌ ମୁକାବିଲାରେ ନିଜକୁ ନିୟୋଜିତ କରିଥିଲେ। ପୁଣି ସେମାନଙ୍କ ଅନୁପସ୍ଥିତି ଦ୍ୱାରା ସେମାନଙ୍କ ମୂଳ ବିଭାଗ ଗତ ତିନିମାସ ହେଲା ଦୁର୍ବଳ ହୋଇ ପଡ଼ିଥିଲା। ସେଥିପାଇଁ ସେମାନଙ୍କ ସ୍ଥାନରେ ନୂଆ ଯୋଦ୍ଧାଙ୍କୁ ଆଣିବାକୁ ସରକାର ଯୋଜନା କରିଛନ୍ତି । ଏହା କୋଭିଡ୍‌ ମୁକାବିଲା କ୍ଷେତ୍ରରେ କେବଳ ଏକ ରଣ କୌଶଳ ମାତ୍ର। ଏହା ପଛରେ ଅନ୍ୟ କୌଣସି ପ୍ରକାରର ନିହିତ ଉଦ୍ଦେଶ୍ୟ ନାହିଁ ବୋଲି ଶ୍ରୀ ବାଗ୍‌ଚୀ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଗଠନ କରିଥିବା କୋଭିଡ୍‌ ପରିଚାଳନା ଟିମ୍‌ରୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ହେମନ୍ତ ଶର୍ମା, ସୁରେନ୍ଦ୍ର କୁମାର, ଅନୁ ଗର୍ଗ, ବିଶାଳ କୁମାର ଦେବ, ଆର୍‌.ଭିନିଲକ୍ରିଷ୍ଣା, କ୍ରିଷନ୍‌ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ୍‌ ରାମଚନ୍ଦ୍ର ଯାଦବ, ଭୂପିନ୍ଦର ସିଂହ ପୁନିଆ, ଓ ରଶ୍ମିତା ପଣ୍ଡା ପ୍ରମୁଖଙ୍କୁ କୋଭିଡ୍‌ ପରିଚାଳନା ଦାୟିତ୍ୱରୁ ହଟାଟିବା ପରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଟ୍ବିଟ୍‌ କରି କୋଭିଡ଼୍‌ ପରିଚାଳନାରେ ସହଯୋଗ କରିଥିବା ଏହି ଅଧିକାରୀଙ୍କୁ ପ୍ରସଂଶା କରିଥିଲେ।

Comments are closed.