ଅନଲାଇନ ଗେମ୍‌ରେ ଜୁଆଖେଳ ; ଶିକାର ହେଉଛନ୍ତି ଯୁବପିଢ଼ି

ଭୁବନେଶ୍ବର : ବର୍ତ୍ତମାନର ଡିଜିଟାଲ ଯୁଗରେ ପିଲାମାନେ କମ୍ପ୍ୟୁଟର, ଇଣ୍ଟରନେଟ, ମୋବାଇଲ, ସାଇବର ବ୍ୟବହାରରେ ଅଭ୍ୟସ୍ତ ହୋଇଗଲେଣି । ସେମାନଙ୍କୁ ସଠିକ୍ ରାସ୍ତା ଦେଖାଇବା ପିତାମାତା, ଅଭିଭାବକ ପାଇଁ କାଠିକର ପାଠ ​‌େ​‌ହଲାଣି। କରୋନା ଲକଡାଉନରେ ରାଜ୍ୟରେ ବଢ଼ିଛି ଅନଲାଇନ ଗେମର ଚାହିଦା । ଘରେ ବସି ସମୟ କାଟିବାରେ ଏହା ସହାୟକ ହେଉଥିବା ବେଳେ ଏହାର ସୁଯୋଗ ନେଉଛନ୍ତି ସାଇବର ଅପରାଧୀ। ଲୁଡୋ, କ୍ୟାରେମ, ତାସ୍‌ ଖେଳ ଭଳି ଅନେକ ଅନଲାଇନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ବ୍ୟବହାରକାରୀ ୫ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ବେଟ୍‌ ଲଗାଉଛନ୍ତି। ଘ‌େ‌ର ବସି ଅନଲାଇନ ମାଧ୍ୟମରେ ଗେମ୍‌ ଖେଳି ଅର୍ଥ ରୋଜଗାର କରିବାର ଲୋଭ ଯୁବପିଢ଼ିଙ୍କୁ ଅଧିକ ଘାରିଛି। ଭିଡିଓ ଗେମ୍‌ ନିର୍ମାଣକାରୀ ସଂସ୍ଥା ଯୁବପିଢ଼ି, ଛାତ୍ରଛାତ୍ରୀ ଏପରିକି ସବୁବର୍ଗର ଲୋକଙ୍କୁ ଏଥିପ୍ରତି ଆକର୍ଷିତ କରୁଛନ୍ତି। ସବୁଠୁ ଅଧିକାର ଶିକାର ହେଉଛନ୍ତି ଯୁବପିଢ଼ି। ଜୁଆଖେଳ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଅନେକ କଟକଣା ରହିଥିବା ବେଳେ ଅନଲାଇମ ଗେମ୍‌ ପ୍ରତି କୌଣସି କଟକଣା ରହୁନଥିବା ସାଧାରଣରେ ଅଭିଯୋଗ ହେଉଛି। ଗେମ୍‌ ନିର୍ମାଣକାରୀ ସଂସ୍ଥା ଅର୍ଥରାଶି ଏବଂ ମାଗଣା ମୋବାଇଲ ରିଚାର୍ଜ ଲୋଭ ଦେଖାଇ ଲୋକଙ୍କୁ ଆକର୍ଷିିତ କରୁଛନ୍ତି। ଯାହାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ସବୁ ଆପ୍‌ଗୁଡ଼ିକୁ ପ୍ଲେ ‌ଷ୍ଟୋରରୁ ହଟାଇବା ନେଇ ସାଧାରଣରେ ଦାବି ହେଉଛି।

ମାର୍ଚ୍ଚରୁ ମେ ମଧ୍ୟରେ ୬୦%ରୁ ଅଧିକ ଯୁବପିଢ଼ି ଏବଂ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଛନ୍ତି। ଛାତ୍ରଛାତ୍ରୀ ମାନେ ପାଠପଢାରୁ ମନ ହାଲୁକା କରିବା ପାଇଁ ଘରେ ରହି ମୋବାଇଲ୍‌ ଫୋନ୍‌ ବା ଟ୍ୟାବ୍‌ ଧରି ଅନଲାଇନ ଗେମ୍‌ ଖେଳୁଛନ୍ତି। ଫଳରେ ବହୁମୂଲ୍ୟ ସମୟ ଅପଚୟ ହେଉଛି ତା’ ନୁହେଁ ସାଇବର ଅପରାଧର ଶିକାର ହେଉଛନ୍ତି। ଅପରପକ୍ଷରେ ଏହି ଅନଲାଇନ ଗେମ୍‌ ମାଧ୍ୟମରେ ଗୋପନ ତଥ୍ୟ ଚୋରି ହେଉଥିବା ଆଇଟି ବିଶେଷଜ୍ଞ ମତ ରଖିଛନ୍ତି।
ମତାମତ :
ଦୀପକ କୁମାର ନାଥ (ସାଇବର ବିଶେଷଜ୍ଞ): ଅନଲାଇନର କୁପ୍ରଭାବରେ ବିତୃଷ୍ଣା ଭାବ, ଚିଡ଼ିଚିଡ଼ା ପଣ, ହିଂସାତ୍ମକ ପନ୍ଥା ଆପଣାଇବା, ନିଦ୍ରାହୀନତା, ସ୍ମୃତିଶକ୍ତି ହ୍ରାସ ପାଇବା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଏକ ଘଣ୍ଟାରୁ ଅଧିକ ସମୟ ମୋବାଇଲରେ ଖେଳୁଥିଲେ ଏହା ମାନସିକସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ଏଥିପାଇଁ ଅଭିଭାବକ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି। ଅନଲାଇନ ବେଟିଂ ଆପ୍ଲିକେସନ, ଅନଲାଇନ ଗେମକୁ ଜୁଆକୁ ପ୍ରଶ୍ରୟ ଦେଉଥିବା ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଜରୁରୀ।
ବିକାଶ କୁମାର ମହାପାତ୍ର (ଯୁବକ): ଲକ୍‌ଡାଉନ୍‌ କାରଣରୁ ନା କାହାରି ସାଙ୍ଗରେ ଦେଖା ହେଉଛି ନା ସାଙ୍ଗସାଥୀ ଗହଣରେ ପୂର୍ବ ଭଳି ଚାଲିଛି ମଉଜ ମସ୍ତି। ଅନଲାଇନ ଗେମ୍‌ ସାଙ୍ଗସାଥୀଙ୍କ ସହ ଟାଇମ୍‌ ପାସ୍‌ କରିବାର ସହଜ ଓ ସୁନ୍ଦର ଉପାୟ ଆଣିଦେଇଛି। ଅପରପକ୍ଷରେ ଏହା ଦ୍ବାରା ସହଜରେ କିଛି ଅର୍ଥ ରୋଜଗାର ସହ ମାଗଣା ମୋବାଇଲ ରିଚାର୍ଜ ମିଳିପାରୁଛି।
ସନ୍ତୋଷ କୁମାର ଜେନା(ଅଭିଭାବକ): ଅନଲାଇନ ଗେମ୍‌ ଯୁବପିଢ଼ିଙ୍କୁ ଏକପ୍ରକାର ମୋହଗ୍ରସ୍ତ କରିବାରେ ଲାଗିଛି। ଏହା ଫଳରେ ଛାତ୍ରଛାତ୍ରୀ, ଯୁବପିଢ଼ି ନିଜ ଜୀବନର ପ୍ରମୁଖ ଲକ୍ଷ୍ୟଠାରୁ ଦୂରେଇ ଯାଉଛନ୍ତି। ଆପ୍ଲିକେସନକୁ ହଟାଯିବା ଦରକାର।

Comments are closed.