ଗାନ୍ଧୀମାର୍ଗରେ ଅଙ୍ଗନବାଡ଼ି କର୍ମୀ

0

ଭୁବନେଶ୍ୱର : ଗାନ୍ଧିମାର୍ଗରେ ଗର୍ଜିଛନ୍ତି ଅଙ୍ଗନବାଡ଼ି କର୍ମୀ। ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଆସୋସିଏସନର ଆହ୍ୱାନ କ୍ରମେ ରାଜ୍ୟର ୩୦ଟି ଜିଲାରୁ ୨୦ ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ମାଷ୍ଟରକ୍ୟାଣ୍ଟିନ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮୦୦୦ଟଙ୍କା ଓ ସହାୟିକାଙ୍କ ପାଇଁ ୯୦୦୦ଟଙ୍କା ପ୍ରଦାନ, ନୂତନ ଖାଦ୍ୟ ତାଲିକାରେ ମୂଲ୍ୟ ବୃଦ୍ଧି, ସମସ୍ତ ସହରାଞ୍ଚଳରେ ଟିଏ/ଡ଼ିଏ ଲାଗୁ କରାଯିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ପରିଚାଳନା ପାଇଁ ଘରଭଡ଼ା ପ୍ରତ୍ୟେକ ମାସରେ ପ୍ରଦାନ କରାଯିବା, ଗାଁ କଲ୍ୟାଣ ସମିତି କାର୍ଯ୍ୟଗୁଡ଼ିକରୁ ଅଙ୍ଗନବାଡ଼ି କର୍ମୀଙ୍କୁ ବାଦ୍‍ ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ କାର୍ଯ୍ୟରହିତ କରାଯିବା ସହିତ ସେମାନଙ୍କୁ ଅବସରରେ ଗ୍ରାଚ୍ୟୁଟି ବାବଦକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା, ତା ସହ ମାସିକ ୩୦୦୦ ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ, ସବୁ କର୍ମଚାରୀଙ୍କୁ ସମ୍ବଲପୁରୀ ଶାଢ଼ି ପ୍ରଦାନ ଆଦି ୧୩ ଦଫା ଦାବି କରାଯାଇଛି। ସଭାନେତ୍ରୀ ସୌଦାମିିନୀ ଦାସଙ୍କ ନେତୃତ୍ୱରେ ଏହି ସଭାରେ ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ, ରାଜ୍ୟ ଉପ ସଭାପତି ଏ.ଶ୍ରୀନିବାସ ରାଓ,ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ଅଲ ଓଡ଼ିଶା ଅଙ୍ଗନବାଡ଼ି ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତ୍ରା ମହାପାତ୍ର, ରାଜ୍ୟ ଉପ ସଭାନେତ୍ରୀ ସବିତା ନାୟକ ପ୍ରମୁଖ ସାମିଲ ଥିଲେ। ପରେ ସଂଘ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

Leave A Reply