ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ; ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗକୁ ଉପେକ୍ଷା

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ସ୍ୱୀକୃତି ମିଳିଲା। ସଙ୍ଗୀତ ପାଇଁ ରାଜ୍ୟ ସରକାର ପଦକ୍ଷେପ ସ୍ୱରୂପ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର କ’ଣ ଉତ୍ତର ରଖିଲେ ବା ରାଜ୍ୟ ସରକାର ଆଉ କ’ଣ ପଦକ୍ଷେପ ନେଲେ ତାହା ଏବେବି ଅସ୍ପଷ୍ଟ। ଅନ୍ୟପକ୍ଷରେ ବରିଷ୍ଠ ଗୁରୁ, ନୃତ୍ୟଶିଳ୍ପୀ ତଥା କଣ୍ଠଶିଳ୍ପୀ ଓଡ଼ିଶୀ ସଙ୍ଗୀତର ଅଧିକ ପ୍ରଚାର ପ୍ରସାର ତଥା ରାଜ୍ୟ ବା ଦେଶ ବାହାରେ ପରିବେଷଣ ନେଇ ମତ ରଖୁଛନ୍ତି। ହେଲେ ଯେଉଁଠି ଛାତ୍ରଛାତ୍ରୀଙ୍କୁ ଓଡ଼ିଶୀ ସଙ୍ଗୀତ ଉପରେ ଶିକ୍ଷାଦାନ କରାଯାଉଛି ସେଠାରେ ଅସଜଡ଼ା ଭିତ୍ତିଭୂମି। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡ଼ିଶୀ କଣ୍ଠସଙ୍ଗୀତ ବିଭାଗକୁ ରାଜ୍ୟ ସରକାର ଉପେକ୍ଷା କରୁଥିବା ସ୍ପଷ୍ଟ ବାରିହୋଇପଡୁଛି। ନିୟମିତ ଅଧାପକ ନଥିବାବେଳେ ମୋଟ ଦୁଇ ଅତିଥି ଅଧ୍ୟାପକରେ ଚାଲିଛି ବିଭାଗ।
ୟୁନିଟ୍‌-୨ରୁ ମଦନପୁରକୁ ସ୍ଥାନାନ୍ତର ହେଲା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ। ସମ୍ପୂର୍ଣ୍ଣଭାବେ ନୂଆ ବିଲ୍ଡିଂରେ ପାଠପଢ଼ା ହେଲା। ହେଲେ ନୂଆ ନିଯୁକ୍ତି ମିଳିପାରିଲା ନାହିଁ। କଣ୍ଠସଙ୍ଗୀତ ବିଭାଗରେ ମୋଟ ୨୪ ସିଟ୍‌ ରହିଥିବାବେଳେ ୨୪ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଦୁଇବର୍ଷିଆ ପାଠ୍ୟକ୍ରମ ରହିଛି କିନ୍ତୁ ଦୁଇଜଣ ଅଧ୍ୟାପକ ରହିଛନ୍ତି। ପୂର୍ବରୁ ନିୟମିତ ଅଧ୍ୟାପକଭାବେ
ଡ. ସଙ୍ଗୀତା ଗୋସାଇଁ ଥିବାବେଳେ ନିକଟରେ ସେ ଅବସର ନେଇଛନ୍ତି। ଏନେଇ ଜଣେ ଅଧ୍ୟାପକ ଓ ଅଧ୍ୟାପିକା ଥିବାବେଳେ ଶିକ୍ଷାଦାନରେ ଅସୁବିଧା ହେଉଛି। ଯଦିଓ କରୋନା ପାଇଁ ଅଫ୍‌ଲାଇନ୍‌ କ୍ଲାସ୍‌ ହେଉନାହିଁ କିନ୍ତୁ ଅନ୍‌ଲାଇନ୍‌ରେ ଶିକ୍ଷାଦାନ କରାଯାଉଛି। ଏହାଛଡ଼ା ଅନ୍‌ଲାଇନ୍‌ ଯୋଗୁଁ ପ୍ରାକ୍ଟିକାଲ କ୍ଲାସ୍‌ ପାଇଁ ମଧ୍ୟ ଅସୁବିଧା ହେଉଛି। ୨୦୦୬ରୁ ୟୁନିଟ୍‌-୨ରେ ଯେବେଠୁ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେଲା ସେବେ ଅତିଥି ଅଧ୍ୟାପକ ହିଁ ପାଠ ପଢ଼ାଉଥିଲେ। ଆରମ୍ଭରୁ ୩ଜଣ ରହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଫେସର ଓ ରିଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋନୟନ ଜରିଆରେ ପ୍ରଥମେ କଣ୍ଠସଙ୍ଗୀତ ବିଭାଗ ପାଇଁ ଗୁରୁ ରାମହରି ଦାସ ପ୍ରଫେସର ଏବଂ ପରେ ରିଡରଭାବେ ଡ.ସଙ୍ଗୀତା ଗୋସାଇଁ ନିଯୁକ୍ତି ପାଇଥିଲେ। ପର୍ଯ୍ୟାୟକ୍ରମେ ଗୁରୁ ଶ୍ରୀ ଦାସ ଅବସର ନେଇଥିବାବେଳେ ନିକଟରେ ଶ୍ରୀମତୀ ଗୋସାଇଁ ମଧ୍ୟ ଅବସର ନେଇଛନ୍ତି।
ଦୁଇଜଣ ଅଧ୍ୟାପକ ଥିବାବେଳେ ଉଭୟ ଅତିଥି ଅଧ୍ୟାପକ। ଦୁଇବର୍ଷିଆ ପାଠ୍ୟକ୍ରମରେ ୬ ସେମିଷ୍ଟାର ଥିବାବେଳେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୁଳପତି ଡ. ବ୍ୟୋମକେଶ ତ୍ରିପାଠୀ କହିଛନ୍ତି ବର୍ତ୍ତମାନ କରୋନା ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି। ଏକାଡେମିକ୍‌ କାଉନସିଲ ପରେ ବୋର୍ଡ ମ୍ୟାନେଜମେଣ୍ଟ ନିଷ୍ପତ୍ତି ଅନୁଯାୟୀ ସରକାରଙ୍କୁ ପ୍ରସ୍ତାବ ଦିଆଯିବ।

Comments are closed.