ରାସ୍ତାକଡ଼ରୁ ହଟିଲା ପୁରୁଣା ଗାଡ଼ି

ଭୁବନେଶ୍ବର : ସରସ ସୁନ୍ଦର ରାଜଧାନୀକୁ ବିଗାଡୁଛି ଦଦରା ଗାଡି। ରାସ୍ତାକଡ ଓ ଫ୍ଲାଏ ଓଭର ବ୍ରିଜ ପାର୍ଶ୍ବରେ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଭଙ୍ଗାରୁଜା ଦଦରା ଗାଡିକୁ ରାସ୍ତାରୁ ହଟାଇବା ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଏଭଳି ଗାଡି ଯେଉଁଠି ଥୁଆ ହୋଇଥିବ ୧୦୦କୁ ଡାଏଲ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରି ଅଭିଯୋଗ କରିପାରିବେ। ଟ୍ରାଫିକ ପୁଲିସ ତୁରନ୍ତ ସେଠାରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିବେ ବୋଲି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି। ଟ୍ରାଫିକ ପୁଲିସର ଏହି କାର୍ଯ୍ୟକ୍ରମ ସାତଦିନ ଧରି ଚାଲିବ।
ସ୍ମାର୍ଟସିଟି ସହରକୁ ସଜାଇବା ପାଇଁ ବିଏମସି ଓ ବିଡିଏ ଅଧିକାରୀମାନେ ଦିନରାତି ଏକ କରି ଦେଇଛନ୍ତି। କିନ୍ତୁ ସ୍ମାଟସିଟିର ରାସ୍ତା କଡରେ ବର୍ଷ ବର୍ଷ ଧରି ପଡି ରହି ସହର ସୌନ୍ଦର୍ଯ୍ୟକୁ ବିଗାଡିବାରେ ଲାଗିଛି। ଏଥିସହ ରାସ୍ତାକଡରେ ଗାଡି ରହିବା ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି େହଉଛି। ଟ୍ରାଫିକ ଡିସିପି ଏହାକୁ ଦୃଷ୍ଟିରେ ନେଇ ଶନିବାର ଠାରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ରାସ୍ତା କଡରେ ପାର୍କିଂ ହୋଇଥିବା ଗାଡିର ଫ‌େ‌ଟା ଓ ଠିକଣା ସହ ୧୦୦ ନଂ କିମ୍ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ଡିସିପି ସର୍ବସାଧାରଣଙ୍କୁ କହିଛନ୍ତି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡିମାଲିକଙ୍କୁ ସତର୍କ କରାଇବା ସହ ସେମାନଙ୍କ ଗାଡିକୁ ନିଜ ହେପାଜତକୁ ନେଇ ଯିବାକୁ କହିବେ । ଏଥିପାଇଁ ଗାଡିମାଲିକଙ୍କୁ ସମୟ ଦିଆଯିବ। ଏଥିରେ ଖିଲାପ କଲେ ପୁଲିସ ଗାଡିକୁ ଉଠାଇ େନବ। ଗାଡି ଟଣା ହେବା ସମୟରେ ଗାଡିର କୌଣସି କ୍ଷତି ଘଟିଲେ ଗାଡିମାଲିକ ଏଥିପାଇଁ ଦାୟୀ ରହିବେ। ଗାଡି ମାଲିକ ଜୋରିମାନା େଦବା ସହ ଗାଡି ଟଣା ଖର୍ଚ୍ଚ ବହନ କରିବେ।
ଭୁବନେଶ୍ୱର ବରମୁଣ୍ଡା, ରସୁଲଗଡ, ବମିଖାଲ, କଳ୍ପନା ଏବଂ କେଦାରଗୌରୀ ଆଦି ଅଞ୍ଚଳରେ ଟ୍ରାଫିକ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବା ସହ ୧୪ଟି ପୁୁରୁଣା ଭଙ୍ଗା ଗାଡି ହଟାଯାଇଛି। ରାଜଧାନୀର ବରମୁଣ୍ଡା ବସଷ୍ଟପ, ମଞ୍ଚେଶ୍ବର, ରସୁଲଗଡ, ବୁଦ୍ଧନଗର, ସହିଦନଗର, ଶିରିପୁର, ଗଙ୍ଗନଗର, ଜାଗମରା ଓ ଖଣ୍ଡଗିରି ଆଦି ସ୍ଥାନରେ ଏଭଳି ବହୁ ପରିମାଣର ଗାଡି ପଡି ରହିଛି। ସେହିପରି ଗ୍ୟାରେଜ ମାଲିକ ଓ କବାଡ଼ିଆ ଦୋକାନୀ ଗାଡି ଗୁଡିକୁ ରାସ୍ତା କଡରେ ପକାଇ ରଖୁଛନ୍ତି। କେତେକ ସ୍ଥାନରେ ଲୋକେ ଜାଣିଶୁଣି ଗାଡି ପାର୍କିଂ କରୁଛନ୍ତି। ଫଳରେ ସାଧାରଣ ଲୋ‌େ‌କ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ରାସ୍ତା ପାର୍ଶ୍ବରେ ସୃଜନଶୀଳ ପରିକଳ୍ପନାରେ ନିର୍ମିତ ହେଉଥିବା ଅନେକ କାରୁକାର୍ଯ୍ୟର ଶୋଭା ଲୁଚିଯାଉଛି। ଯାହାକି ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସୁନି। କମିସନରେଟ ପୁଲିସ ଏହି ଅଭିଯାନରେ ପ୍ରାୟ ୩୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରଥମ ଦିନରେ ୧୪ ଗାଡିକୁ ଟ୍ରାଫିକ ପୁଲିସ ଉଠାଇଥିବା ବେଳେ ୫୦ରୁ ଅଧିକ ମାଲିକଙ୍କୁ ନୋଟିସ କରିଥିବା ଜଣାପଡିଛି। ପୁଲିସ ତରଫରୁ ସଚେତନ ପରେ ୪୧ଜଣ ମାଲିକ ସେମାନଙ୍କ ଗାଡିକୁ ରାସ୍ତା ଉପରୁ ଉଠାଇ ନେଇଥିଲେ। ବରମୁଣ୍ଡା ଅଞ୍ଚଳରେ ଗୋଟିଏ ବସ ଜବତ ହୋଇଥିବା ବେଳେ ୫ ବସ ମାଲିକଙ୍କୁ ନୋଟିସ କରାଯାଇଛି।

Comments are closed.