କରୋନା କାରୁଣ୍ୟ ; ବୃତ୍ତି ପୋଷୁନି କୁଟୁମ୍ବ

ଭୁବନେଶ୍ବର : ଲକ୍‌ଡାଉନ କୋହଳ ହେଲା ତଥାପି ଦୁଃଖ ହଟୁନି । ଦିନକୁ ଯେତିକି ବିକ୍ରି ହେଉଛି ସେଥିରେ ନିଜ ପେଟ ପୂରୁନି । ପରିବାର ପାଇଁ କ’ଣ ପଠାଇବି ବୋଲି କହିଛନ୍ତି ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳର ବାଉଁଶ ସାମଗ୍ରୀ କାରିଗର ଦନେଇ ନାଏକ ।
ସରୁନି କରୋନା ଯନ୍ତ୍ରଣା । ଭଲ ଦି’ ପଇସା ରୋଜଗାର ଆଶାରେ ରାଜଧାନୀକୁ ଆସିଥିଲେ ଦନେଇ । ଏକନମ୍ବର ହାଟ ନିକଟରେ ବାଉଁଶ କାରିଗର ଭାବେ କୁଲା, ବାଉଁଶିଆ, ଡାଲା, କୁଲେଇ, ଝୁଡ଼ି ପ୍ରଭୃତି ବୁଣାବୁଣି କରି ଦିନକୁ ୧୦୦୦ରୁ ୧୫୦୦ ଟଙ୍କା ରୋଜଗାର କରୁଥିଲେ । ସବୁ ଖର୍ଚ୍ଚ ଯାଇ ଟଙ୍କା ୫୦୦ ବଳୁଥିଲା । କରୋନା ମହାମାରୀ ଲକ୍‌ଡାଉନ୍‌ କୋହଳ ପରେ ୩ମାସ ହେଲା ହାଟ କଡ଼ରେ ପସରା ଖୋଲିପାରୁ ନାହାନ୍ତି । କଟକଣା ଯୋଗୁଁ ଏଠାରୁ ନିକଟରେ ଥିବା ପରିବା ହାଟ ଅନ୍ୟତ୍ର ଉଠିଯାଇଥିବା ବେଳେ ଲୋକଙ୍କ ଗହଳିଚହଳି କମିଯାଇଛି। ପର୍ବପର୍ବାଣି, ବାହାପୁଆଣି ବନ୍ଦ ରହିଥିବାରୁ ଆଉ ବେପାର ହେଉନାହିଁ । ତେଣୁ ବାଧ୍ୟ ହୋଇ ରାଜଧାନୀର ସାହି ବସ୍ତି ବୁଲି ଗୁଜୁରାଣ ମେଣ୍ଟାଇବା ଆଶାରେ ଭାରରେ ବାଉଁଶ ସାମଗ୍ରୀ ଧରି ବୁଲୁଥିବା କହିଛନ୍ତି ଦନେଇ। ଦିନମାନ ବୁଲିଲେ ଟଙ୍କା ୨୦୦ରୁ ୩୦୦ ଟଙ୍କା ବେପାର ହେଉଛି। ଏଥିରେ ବାଉଁଶ କିଣା ଖର୍ଚ୍ଚ ଉଠୁନାହିଁ । ପରିବାର ଗାଁରେ ରହୁଛନ୍ତି । ନିଜ ପେଟ ପୂରୁନି ଏଥିରେ ପିଲାଙ୍କ ପାଖକୁ କ’ଣ ପଠାଇବି ବୋଲି କହିଛନ୍ତି ଦନେଇ ।
ବର୍ଷା ଆସିଲାଣି, ଗାଁକୁ ଯାଇ ଅନ୍ୟର ରୁଆ ବେଉଷଣ ଚାଷକାମ କରି କିଛି ରୋଜଗାର କରନ୍ତା-ତାହା ମଧ୍ୟ ସମ୍ଭବ ହେଉନାହିଁ। ଗାଡ଼ି​‌ମୋଟର ଠିକରେ ଚାଲୁନଥିବାରୁ ଯିବା କଷ୍ଟକର ହେଉଛି । ସେହିପରି ହାଟ ନିକଟରେ ଥିବା ୨୦ରୁ ଊର୍ଦ୍ଧ୍ବ ବାଉଁଶ କାରିଗରଙ୍କ ଅବସ୍ଥା ସେୟା । ସରକାରୀ ସହାୟତା ନ ଥିବାରୁ ଦୁର୍ବିସହ ମଧ୍ୟରେ ଦନେଇ ଭଳି ସମସ୍ତେ ଜୀବନ ବିତାଉଛନ୍ତି। ତଥାପି କରୋନାକୁ ଜୟ କରିବାର ଆଶା ରଖିଛନ୍ତି ସେମାନେ ।

Comments are closed.