ମଳ ପରିଚାଳନା: ନିଃଶୁଳ୍କ ସହାୟତା ନମ୍ବର ଜାରି

ଭୁବନେଶ୍ବର: ପାଇଖାନା ମଳ ପରିଚାଳନାରେ ଅଭିଯୋଗ ଥିଲେ ତୁରନ୍ତ ସମାଧାନ କରିବ ବିଏମ୍ସି। ଏନେଇ ଏକ ୨୪ଘଣ୍ଟିଆ ନିଃଶୁଳ୍କ ସହାୟତା ନମ୍ବର ୧୪୪୨୦ ଜାରି ହୋଇଛି। ଏହି ନମ୍ବରରେ ଯୋଗାଯୋଗ କରି ନାଗରିକମାନେ କେବଳ ମଳ ପରିଚାଳନା ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ କରିବା ସୁଯୋଗ ପାଇବେ ନାହିଁ ଏହାସହିତ ସଫେଇ ମିତ୍ର ସେପ୍ଟିକ୍ ଟାଙ୍କି ଏବଂ ସ୍ୱେରେଜ୍ ଲାଇନ୍ ସଫେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସମ୍ପର୍କେର ଜାଣି ପାରିବେ। ୧୯ ନଭେମ୍ବର ୨୦୨୦ରେ ଦେଶରେ ସଫେଇ ମିତ୍ର କାର୍ଯ୍ୟକ୍ରମ ଲୋକାର୍ପଣ ହୋଇଥବାବେଳେ ବିଏମ୍ସି ଅଞ୍ଚଳରେ ଏହା ଲାଗୁ ହୋଇଛି। ଦେଶର ପ୍ରଥମ ସହର ଭାବେ ପୋର୍ଟବ୍ଲେୟାର ଏବଂ ଭୁବନେଶ୍ବର ଉକ୍ତ ନିଃଶୁଳ୍କ ସହାୟତା ନମ୍ବର ଜାରି କରିଛନ୍ତି। ଏହି ନମ୍ବରକୁ ଭୁବନେଶ୍ୱର ମହାନଗର ନିଗମର ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୦୦୬୧ ସହିତ ସଂଯୁକ୍ତ କରାଯାଇଛି। ଉତ୍ତମ ମଳ ପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଆଇଏସ୍ଓ ମାନ୍ୟତା ମିଳିଛି। ଏହାସହିତ ବସ୍ତିବାସିନ୍ଦାଙ୍କ ପରିମଳ ତଥା ମଳ ପରିଚାଳନାରେ ଉନ୍ନତି ଆଣିବା ପାଇଁ ବିଏମ୍ସି ଦ୍ୱାରା ସ୍ୱତନ୍ତ୍ର ରିଆତି ସେସ୍ପୁଲ୍ ସେବା ଯୋଗାଇ ଦିଆଯାଉଛି। ଭୁବନେଶ୍ୱରକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା ଦିଗରେ ବିଏମ୍ସି ପକ୍ଷରୁ ବିିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଡେପୁଟି କମିସନର(ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।