ଆଜି ଛାଡ଼, ଆମିଷ ବଜାରରେ ହେବ ଭିଡ଼

ଭୁବନେଶ୍ବର: ପୁଣ୍ୟମାସ ସରିଲା। ମଙ୍ଗଳବାର ଅର୍ଥାତ ଆଜି ଛାଡ଼ଖାଇ। ଅନେକଙ୍କ ପାଇଁ ଏହି ବାର ପାଣିଚିଆ ହୋଇଛି। ତଥାପି ବାରକୁ ଖାତିର ନକରି ଛାଡ଼ଖାଇରେ ଆମିଷ ଖାଇବାକୁ ଅନେକ ଟାକି ବସିଛନ୍ତି। ଏନେଇ ବ୍ୟବସାୟୀ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି।
୪ନଂ ହାଟ​‌ରେ ଆମିଷ ବେପାର ବେଶ୍‌ ଜମିବ ବୋଲି ବ୍ୟବସାୟୀ ଆଶା ବାନ୍ଧିଛନ୍ତି। ୨୦ଟି ମାଂସ ଦୋକାନ ଆଗରେ ଖାସି ବନ୍ଧା ସରିଥିବାବେଳେ ଚିକେନ ଦୋକାନୀ ବଏଲର, ଦେଶୀ ଓ ବନରାଜ କୁକୁଡ଼ା ବିଭିନ୍ନ ଫାର୍ମରୁ ମଗାଇ ମହଜୁଦ ରଖିଛନ୍ତି। ମାଛଗଦି ବାଲା ଆନ୍ଧ୍ର, ବାଲୁଗାଁ, ପାରାଦୀପ ଓ ଧାମରା ଅଞ୍ଚଳରୁ ପ୍ରାୟ ୧୮ଟନ୍‌ ମାଛ ମଗାଇଛନ୍ତି। ବଜାରରେ ଦେଶୀ ମାଛର ଚାହିଦାକୁ ଆଖିରେ ରଖି ଦରଧାର୍ଯ୍ୟ ହେବ ବୋଲି ବ୍ୟବସାୟୀ ସଂଘର ସମ୍ପାଦକ ସମସେର ଅଲ୍ଲୀ କହିଛନ୍ତି।

ଛାଡ଼ଖାଇ ପାଇଁ ଛେଳି ମାଂସ ୬୫୦ରୁ ୭୦୦ ଟଙ୍କା ରଖାଯାଇଥିବା ବ୍ୟବସାୟୀ କମଲ ଉଦ୍ଦିନ ଆହମ୍ମଦ କହିଛନ୍ତି। ଚିକେନ ଦର ୧୮୦ରୁ ୨୦୦, ଦେଶୀ କୁକୁଡ଼ା ୩୨୦ ରୁ ୩୫୦ ଓ ବନରାଜ ୨୨୫ରୁ ୨୫୦ ରହିଥିବା ଜଣେ ବ୍ୟବସାୟୀ କହିଛନ୍ତି। ଛାଡ଼ଖାଇ ପାଇଁ କୁକୁଡ଼ା, ଖାସି, ମାଛ, କଙ୍କଡ଼ା ଅଧିକ ପରିମାଣରେ ମଗାଯାଇଛି। ଛାଡ଼ଖାଇରେ ଅଢ଼େଇ ହଜାରରୁ ୩ ହଜାର କ୍ବିଣ୍ଟାଲ ମାଛ, ୩୦୦ରୁ ୪୦୦ କ୍ବିଣ୍ଟାଲ ମାଂସ ବିକ୍ରି ହେବା ଆକଳନ ହୋଇଛି। ଅନ୍ୟପକ୍ଷରେ ଆମିଷ ବଜାରରେ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାମାଜିକ ଦୂରତା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Comments are closed.